ରାଉରକେଲା ରାଜରାସ୍ତାରେ ରାଜ୍ କରୁଛନ୍ତି ବୁଲା ଗାଇଗୋରୁ ଓ ମଇଁଷି । ଗାଡି ଚଳାଇବାକୁ ଭୟ କରୁଛନ୍ତି ଗାଡି ଚାଳକ, ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୁଣୁନି ପ୍ରଶାସନ ।

271

କନକ ବ୍ୟୁରୋ  : ବୁଲା ଗାଇଗୋରୁ ଓ ମଇଁଷିଙ୍କ କବଜାରେ ସ୍ମାର୍ଟସିଟି ରାଉରକେଲାର ରାଜରାସ୍ତା । ଦିନ ହେଉ ବା ରାତି, ସବୁ ବେଳେ ରାସ୍ତାରେ ରାଜ୍ କରୁଛନ୍ତି ବୁଲା ଗୋରୁଗାଇ । ରାସ୍ତା ଉପରେ ସବୁ ବେଳେ ଟହଲ ମାରୁଛନ୍ତି ପଲପଲ ମଇଁଷି ଓ ଗୋରୁଗାଇ । ଦିନେ କି ଦୁଇ ଦିନ ନୁହେଁ, ବର୍ଷବର୍ଷ ଧରି ରାଜରାସ୍ତା ଉପରେ ଏଭଳି ଅବସ୍ଥା ଜାରି ରହିବା ସହ ଅନେକ ସମୟରେ ଦୁର୍ଘଟଣା ଘଟୁଛି, ହେଲେ ଏଥିପ୍ରତି ଆରଏସପି କର୍ତୃପକ୍ଷଙ୍କର ନଜର ନଥିବା ଅଭିଯୋଗ ହୋଇଛି ।

ସ୍ମାର୍ଟ ସିଟି ରାଉରକେଲା ରାଜରାସ୍ତାର ଦୃଶ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଦିନ ରାତି ୨୪ ଘଣ୍ଟା  ରାସ୍ତା ଉପରେ ବିନଦାସ୍ ବୁଲୁଛନ୍ତି ବୁଲା ଗାଇଗୋରୁ ଓ ମଇଁଷି । ଷ୍ଟିଲ ସିଟିର ପ୍ରମୁଖ ରାସ୍ତାରେ ରାଜ୍ କରୁଥିବା ଏହି ଗୃହପାଳିତ ପଶୁଙ୍କ ଯୋଗୁଁ ଛୋଟବଡ ଦୁର୍ଘଟଣା ବି ଘଟିଥାଏ । ଆଉ ଏହାଦ୍ୱାରା ସବୁଠାରୁ ବେଶି ପ୍ରଭାବିତ ହୋଇଥାନ୍ତି ଛାତ୍ରଛାତ୍ରୀ ଓ ବରିଷ୍ଠ ନାଗରିକ । ଏମାନଙ୍କ ଅବାଧ ଚଳପ୍ରଚଳ ଉରରେ ଅଙ୍କୁଶ ଲଗାଇବା ପାଇଁ ସହରବାସୀ ବାରମ୍ବାର ଦାବି କରିଥିଲେ ବି ଉଭୟ ଆରଏମସି କି ଆରଏସପି କର୍ତୃପକ୍ଷ ଶୁଣୁନଥିବା ଅଭିଯୋଗ ହୋଇଛି ।

ରାଉରକେଲା ସହରରେ ବୁଲୁଥିବା ଗାଇଗୋରୁଙ୍କ ପାଇଁ କାଞ୍ଜିଆହୁଦା ଅଛି ହେଲେ କାମରେ ଆସୁନି । ରାଜରାସ୍ତାରେ ଗୃହପାଳିତ ପଶୁଙ୍କ ବେଆଇନ୍ ବିଚରଣ ପ୍ରସଙ୍ଗରେ ମହାନଗର ନିଗମ କର୍ତୃପକ୍ଷ କହିଛନ୍ତି, ଆବଶ୍ୟକ ମାନବ ସମ୍ବଳ ନଥିବାରୁ ବୁଲା ଗାଇଗୋରୁଙ୍କୁ ଧରି ମାଲିକଙ୍କ ଠାରୁ ଜରିମାନା ଆଦାୟ କରି ଛାଡି ଦିଆଯାଉଛି ।

ଆରଏମସି ପାଖରେ ଅନୁଦାନ ନଥିବାରୁ ସହର ବାହାରେ ବୁଲା ଗାଇଗୋରୁଙ୍କ ଥଇଥାନ କରାଯାଇପାରୁନି । ତେବେ ଆଗକୁ ଗାଈ ଗୁଡିକୁ ଗୋଶାଳା ଛଡାଯିବା ନେଇ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ଆରଏମସି ଡେପୁଟି କମିଶନର ।  ଏବେ ଅପେକ୍ଷା କେବେ ଏନେଇ ପ୍ରକ୍ରିୟା ଆରମ୍ଭ ହେବ ଆଉ  ରାସ୍ତା ଉପରେ ଗାଇଗୋରୁଙ୍କ ଚଳପ୍ରଚଳ ବନ୍ଦ ହେବ ।