ପ୍ଲାଷ୍ଟିକ୍ ବ୍ୟବହାର ଉପରେ ଲାଗିଲା କଟକଣା । ଧରାପଡିଲେ ଗଣିବେ ମୋଟା ଅଙ୍କର ଜରିମାନା, ଏକାସଙ୍ଗେ ଚାଲିବ ସଚେତନତା, ଚଢଉ ଓ କାର୍ଯ୍ୟାନୁଷ୍ଠାନ ।

1,108

କନକ ବ୍ୟୁରୋ : ଆଜି ଠାରୁ ସାରା ରାଜ୍ୟରେ ବନ୍ଦ ହେଲା ସିଙ୍ଗଲ ୟୁଜଡ୍ ପ୍ଲାଷ୍ଟିକ୍ ବା ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ । ଥରେ ବ୍ୟବହାର ହେଉଥିବା ଥର୍ମକୁଲ ଉପରେ ମଧ୍ୟ କଟକଣା ଲାଗିଛି । ଭୋଜିଭାତରେ ବ୍ୟବହାର କରାଯାଉଥିବା ଥର୍ମୋକୁଲ ଥାଳି, ଗ୍ଲାସ, ପ୍ଲେଟ୍, ଠାରୁ ଆରମ୍ଭ କରି ପ୍ଲାଷ୍ଟିକ୍ ଗ୍ଲାସ ପ୍ରଭୃତିର ବ୍ୟବହାର ଉପରେ କଟକଣା ଲାଗିଛି । ଆଜିଠାରୁ ଏସବୁର ବ୍ୟବହାର କରି ଧରାପଡିଲେ ଆପଣ ଦଣ୍ଡିତ ହୋଇପାରନ୍ତି । ଆଉ ଗଣିପାରନ୍ତି ମୋଟା ଅଙ୍କର ଜରିମାନା । ସବୁ ସହରାଂଚଳରେ ପଲିଥିନ୍ ବ୍ୟାନ୍ ହୋଇଛି । ଏବେ ଏକାସଙ୍ଗେ ଚାଲିବ ସଚେତନତା, ଚଢଉ ଓ ଦଣ୍ଡବିଧାନ ।

ସେପଟେ ନିୟମ ଲାଗୁ ହେବା ପରେ ବଜାରର ଚିତ୍ର ବଦଳିଛି । ଗତକାଲି ଲୋକେ ପଲିଥିନ ବ୍ୟାଗରେ ସାମଗ୍ରୀ ନେଉଥିବା ବେଳେ ଆଜି କିନ୍ତୁ କିଛି ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା ରାଜ୍ୟର ବିଭିନ୍ନ ସ୍ଥାନରେ । ଭୁବନେଶ୍ୱର, କଟକ, ଜୟପୁରରେ କାଁ ଭାଁ ଲୋକଙ୍କୁ ଛାଡିଦେଲେ ଲୋକେ ସଚେତନ ହୋଇଛନ୍ତି ଏବଂ ପଲିଥିନ ନୁହେଁ ବରଂ ଅନ୍ୟ ବ୍ୟାଗ ବ୍ୟବହାର କରୁଛନ୍ତି । ସରକାରଙ୍କ ଏହି ନୂଆ ନିୟମକୁ ଲୋକେ ସ୍ୱାଗତ କରିଛନ୍ତି ।

ନୂଆ ନିୟମ ଅନୁସାରେ,
• ପଲିଥିନ୍ ଏବଂ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ସାମଗ୍ରୀ ମହଜୁଦ ରଖିଥିବା ବ୍ୟକ୍ତିଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ।

• ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହା ଉପରେ ନଜର ରଖିବେ ।

• ଧରାପଡିଲେ ଏକ ଲକ୍ଷ ଟଙ୍କାର ଜରିମାନା ସହିତ ୫ବର୍ଷ ଜେଲ ହେବାର ସମ୍ଭାବନା ରହିଛି ।

• କୌଣସି ବ୍ୟକ୍ତିବିଶେଷ ପ୍ଲାଷ୍ଟିକ୍ ପଲିଥିନର ବ୍ୟବହାର କରୁଥିବା ନେଇ ଧରାପଡିଲେ, ସହରାଂଚଳ ବିକାଶ ମନ୍ତ୍ରଣାଳୟ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ।

ଏସବୁ ନିୟମ କାନୁନକୁ ଦୃଷ୍ଟିରେ ରଖି ଲୋକେ ପଲିଥିନ ବ୍ୟବହାରକୁ ନାଁ କରିଛନ୍ତି ।

କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ଦ୍ୱାରା ପ୍ରଣିତ ପରିବେଶ ସୁରକ୍ଷା ଆଇନ -୧୯୮୬ ଅନୁଯାୟୀ ସାରା ଦେଶରେ ଆଜିଠାରୁ ବ୍ୟାନ ହୋଇଛି ପ୍ଲାଷ୍ଟିକ ପଲିଥିନ । ଓଡିଶାରେ ମଧ୍ୟ ଏହି ଆଇନ ଆଜି ଠାରୁ ଲାଗୁ ହୋଇଛି । ପ୍ରଥମେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଓ ପୁରୀ ପୌରନିଗମରେ କାର୍ଯ୍ୟକାରୀ ହୋଇଛି ଏହି ନିୟମ । ପିଇବା ପାଣି ପାଉଚ୍, ଛୋଟ ପାଣି ବୋତଲ, ପଲିଥିନ୍ ବ୍ୟାଗ୍, ଡିସ୍ପୋଜେବଲ ପ୍ଲାଷ୍ଟିକ କପ୍, ପ୍ଲେଟ୍, ଗ୍ଲାସ, ବାଉଲ ଓ ଚାମଚ ଉପରେ ଲାଗିଛି କଟକଣା । ଏଥିସହ ଥର୍ମୋକୁଲ କପ୍, ପ୍ଲେଟ୍, ଗ୍ଲାସ ଓ ବାଉଲ ଉପରେ ମଧ୍ୟ କଟକଣା ଲଗାଯାଇଛି ।