ଶକ୍ତିଶାଳୀ ହେଉଛି ଲଘୁଚାପ : ୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି

936

କନକ ବ୍ୟୁରୋ : ଘନୀଭୂତ ହେଉଛି ଲଘୁଚାପ । ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା । ସାଟେଲାଇଟରୁ ଉଠାଯାଇଥିବା ଏହି ଚିତ୍ର କହୁଛି, ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବା ପରେ ପୂରା ଓଡ଼ିଶାକୁ ଘେରିରହିଛି ମେଘଖଣ୍ଡ । ଆଜି ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ବର୍ଷାର ପ୍ରକୋପ ବଢ଼ିବ । ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା କରିଛି ପାଣିପାଗ ବିଭାଗ । ଦୁଇଦିନ ପାଇଁ ସତର୍କ କରାଯାଇଛି ।

ଆଜି ୧୦ ଜିଲ୍ଲାକୁ ରେଡ୍ ୱାଣ୍ଣିଂ ଜାରି କରାଯାଇଛି । ସେହିଭଳି ୧୫ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଦକ୍ଷିଣ ଓଡ଼ିଶାରେ ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ କରାଯାଇଛି । ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନଗୁଳ, ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା କରାଯାଇଛି । ଭୁବନେଶ୍ୱର ଓ କଟକରେ ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଓଡ଼ିଶାର ପ୍ରାୟ ସମସ୍ତ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ଝଡ଼ ପବନ ଆଶଙ୍କା ମଧ୍ୟ ରହିଛି । ଏହି ସମୟରେ ଘଂଟା ପ୍ରତି ପବନର ବେଗ ୪୫ରୁ ୫୫ କିଲୋମିଟର ରହିପାରେ । ଯାହାର ଝଟକା ୬୫ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ । ସମୁଦ୍ର ଆଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା କରାଯାଇଛି । ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିସନର ।