ଶ୍ରୀରାମଲଲାଙ୍କ ମସ୍ତକରେ ‘ସୂର୍ଯ୍ୟ ତିଳକ’ର ବିରଳ ଦୃଶ୍ୟ ଦେଖିଲା ସାରା ବିଶ୍ୱ । ମସ୍ତକରେ ୪ ମିନିଟ ଯାଏଁ ପଡ଼ିଲା ସୂର୍ଯ୍ୟକିରଣ ।

ଟାବ୍ଲୋଏଡରେ ଦର୍ଶନ କଲେ ମୋଦୀ

438

କନକ ବ୍ୟୁରୋ: ଆଜି ଅଯୋଧ୍ୟାରେ ଶ୍ରୀରାମଲଲାଙ୍କ ସୂର୍ଯ୍ୟତିଳକ ଦୃଶ୍ୟ ସମସ୍ତଙ୍କୁ ବିମୋହିତ କରିଛି । ଠିକ୍ ମଧ୍ୟାହ୍ନ ବେଳେ ଦେଖିବାକୁ ମିଳିଥିଲା ଏହି ଅଭିନବ ଦୃଶ୍ୟ । ବିଜ୍ଞାନର ଫର୍ମୁଲା ଅନୁସାରେ ଏହା ସମ୍ପନ୍ନ କରାଯାଇଛି । ବୈଜ୍ଞାନିକମାନେ ଏନେଇ ଯଥେଷ୍ଟ ଗବେଷଣା କରାଯାଇ ପରୀକ୍ଷଣ କରାଯିବା ପରେ ଆଜି ଏହାକୁ ସଫଳ ଭାବେ କାର୍ଯ୍ୟକାରୀ କରାଯାଇଛି ।

ଆଜି ହେଉଛି ଭକ୍ତଙ୍କ ପାଇଁ ଅମୃତବେଳା । ପ୍ରଭୁଙ୍କ ସୂର୍ଯ୍ୟ ତିଳକ ସହ ଜନ୍ମୋତ୍ସବର ପ୍ରତ୍ୟେକ ପ୍ରକ୍ରିୟା ଅବିସ୍ମରଣୀୟ ହୋଇଛି । ଦିନ ୧୨ଟାରେ ଶ୍ରୀରାମଙ୍କ ଜନ୍ମ ଉତ୍ସବ ସହ ତାଙ୍କ ମସ୍ତକରେ ସୂର୍ଯ୍ୟତିଳକ କରାଯାଇଛି । ଆଉ ଏହାର ସାକ୍ଷୀ ହୋଇଛନ୍ତି ବିଶ୍ୱର କୋଟି କୋଟି ରାମ ଭକ୍ତ । ଏହି ଦୃଶ୍ୟ ଦେଖିବାକୁ ଅଯୋଧ୍ୟାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି । ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ୧୨ଟା ସମୟରେ କିନ୍ତୁ ଶ୍ରୀରାମଙ୍କ ସୂର୍ଯ୍ୟ ତିଳକ ଦୃଶ୍ୟକୁ ନିଜ ଟାବ୍ଲୋଏଡରେ ଦର୍ଶନ କରିଥିଲେ । ପ୍ରଚାର ପାଇଁ ବିମାନରେ ଯାତ୍ରା କରୁଥିଲେ ବି ଏହି ସମୟରେ ଜୋତା ଖୋଲି ପ୍ରଭୁଙ୍କୁ ଦର୍ଶନ କରିବା ସହ ପ୍ରଣାମ ଜଣାଇଥିଲେ ମୋଦୀ ।