ଗୋପାଳପୁର ପୁଲିସର ଥାର୍ଡ ଡିଗ୍ରୀ : ମିଛ ଅଭିଯୋଗରେ ରାଇକିଆ ବ୍ୟବସାୟୀଙ୍କୁ ନିର୍ଦ୍ଧୁମ ପିଟିଲେ ଥାନା ବାବୁ, ଅଭିଯୋଗ ପରେ ହେଲେ ବଦଳି

252

କନକ ବ୍ୟୁରୋ : ଗଞ୍ଜାମ ଗୋପାଳପୁର ପୁଲିସର ବର୍ବରତା । ମିଛ ଅଭିଯୋଗରେ କନ୍ଧମାଳ ରାଇକିଆ ବ୍ଲକ ଅଞ୍ଚଳର ବ୍ୟବସାୟୀ ସୁମନ୍ତ କୁମାର ସାହୁଙ୍କୁ ଗୋପାଳପୁର ଥାନାରେ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗ । ଘଟଣା ପରେ ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରିଙ୍କ ନାମରେ ରାଇକିଆ ଥାନାରେ ମାମଲା ରୁଜୁ ହୋଇଛି । ଏଭଳି ସାଘାଂତିକ ଅଭିଯୋଗ ଆସିବା ପରେ ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀଙ୍କୁ ଗଞ୍ଜାମ ଏସପି ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି ।

ଗତ ୨୭ ତାରିଖରେ ଗୋପାଳପୁର ପୋଲିସ କର୍ମଚାରୀ ରାଇକିଆ ଅଞ୍ଚଳର ବ୍ୟବସାୟୀ ସୁମନ୍ତ କୁମାର ସାହୁଙ୍କ ଘରେ ପଶି ଉଠାଇ ନେଇଥିଲେ । ଏମିତିକି ତାଙ୍କୁ ଜୋର ଜବରଦସ୍ତ ଉଠାଇ ଗୋପାଳପୁର ଥାନାକୁ ନେଇ ସେଠାରେ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ଆହତ ସୁମନ୍ତଙ୍କ ସ୍ତ୍ରୀ ସୁଭଦ୍ରା କୁମାରି ଚନ୍ଦନ, ରାଇକିଆ ଥାନାରେ ଘଟଣା ନେଇ ଅଭିଯୋଗ କରିଥିଲେ । ସୂଚନା ଅନୁସାରେ ରାଇକିଆ ଅଞ୍ଚଳର ସ୍ମୃତି ରେଖା ସାହୁ ନାମକ ଜଣେ ମହିଳାଙ୍କ ଠାରୁ ସୁମନ୍ତ କୁମାର ସାହୁ ୪ଲକ୍ଷ ଟଙ୍କା ଋଣ ଆଣିଥିଲେ । ପରେ ସେ ଋଣଟଙ୍କା ସହ ସୁଧ ମଧ୍ୟ ତାଙ୍କ ଫୋନ ପେ ଓ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଫେରସ୍ତ କରିଥିଲେ ।

ଭୁଲ ବଶତଃ ଋଣ ଆଣିବା ବେଳେ କରିଥିବା ଏଗ୍ରିମେଣ୍ଟ ପେପର ସ୍ମୃତି ରେଖାଙ୍କ ଠାରୁ ଆଣିନଥିଲେ । ଫଳରେ ତାର ସୁଯୋଗ ନେଇ ସ୍ମୃତି ରେଖା ପୁଣି ଟଙ୍କା ଦାବି କରିଥିଲେ । ଏନେଇ ସ୍ମୃତି ରେଖା ବ୍ୟବସାୟୀଙ୍କ ନାଁରେ ଅଭିଯୋଗ କରିଥିଲେ । ପରେ ଗୋପାଳପୁର ଥାନା ଅଧିକାରୀ ପୋଲିସ ଟିମ ପଠାଇ ସୁମନ୍ତଙ୍କୁ ଘରୁ ଉଠାଇ ଆଣି କିଛି ନବୁଝି ଥାନାରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।