ଚୀନରେ ବିଚିତ୍ର କୋଭିଡ ନୀତି : ଅରାଜି ସତ୍ତ୍ୱେ ବଳ ପ୍ରୟୋଗ କରି ଲୋକଙ୍କୁ ନିଆଯାଉଛି କ୍ୱାରେନଣ୍ଟାଇନ୍ ସେଣ୍ଟର

328

କନକ ବ୍ୟୁରୋ : ଚୀନରେ ଜିରୋ କୋଭିଡ ପଲିସିକୁ ନେଇ ଜନସାଧାରଣ ଓ ସରକାର ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଲାଗିରହିଛି । ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବିରୋଧରେ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଉଛି । ଏହାରି ଭିତରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।  କିପରି ଜଣେ ବ୍ୟକ୍ତିଙ୍କୁ ଦୁଇ ଜଣ ସ୍ୱାସ୍ଥ୍ୟକର୍ମୀ ଜୋରଜବରଦସ୍ତ ଟାଣିଓଟାରି ନେବାକୁ ଚେଷ୍ଟା ଚଳାଇଛନ୍ତି ତାହାର ଭିଡିଓ ସାମ୍ନାକୁ ଆସୁଛି ।

ସୂଚନା ଅନୁସାରେ ଦକ୍ଷିଣ ଚୀନର ହାଙ୍ଗଝୋଓ ସହରରେ ଏପରି ଘଟଣା ଦେଖିବାକୁ ମିଳିଛି । ସମ୍ପୃକ୍ତ ବ୍ୟକ୍ତି ଜଣକ ସଙ୍ଗରୋଧ କେନ୍ଦ୍ରକୁ ଯିବାକୁ ମନା କରିଦେବାରୁ ପିପିଇ କିଟ ପିନ୍ଧି ଆସିଥିବା ଦୁଇ ଜଣ ସ୍ୱାସ୍ଥ୍ୟକର୍ମୀ ବ୍ୟକ୍ତି ଜଣକୁ ତାଙ୍କ ଘରୁ ଜୋରଜବରଦସ୍ତ ସଙ୍ଗରୋଧ କେନ୍ଦ୍ରକୁ ନେଇ ଯାଉଛନ୍ତି । ଏପରିକି ତାଙ୍କୁ କିଛି ସମୟ ଦେବା ପାଇଁ ଜଣେ ସମ୍ପର୍କୀୟ କହିବା ପରେ ମଧ୍ୟ କିଛି ଶୁଣୁନାହାନ୍ତି ସ୍ୱାସ୍ଥ୍ୟକର୍ମୀ । ସୂଚନା ଅନୁସାରେ ଏହି ଘଟଣା ପାଇଁ ପରେ ହାଙ୍ଗଝୋଓ ପ୍ରଶାସନ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଥିଲା ।

ଚୀନରେ କୋଭିଡ ସଂକ୍ରମଣ ବଢୁଥିବା ଯୋଗୁଁ ଜିରୋ କୋଭିଡ ପଲିସି ଆପଣାଇଛି ପ୍ରଶାସନ । ଏଥିରେ ଲୋକଙ୍କ ପାଇଁ କଡ଼ା ନିୟମ କରାଯାଇଛି । ଯାହାକୁ ଲଗାତରଭାବେ ବିରୋଧ କରାଯାଉଛି । ଚୀନରେ ପ୍ରତିଦିନ ୩୫ହଜାରରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି । ଗତ କିଛି ଦିନ ହେଲା ସଂକମଣ ବଢିବା ପରେ ଏବେ ସାଢେ ୩ଲକ୍ଷରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ।