କାଲି ପୁଣି ଓଡ଼ିଶା ଆସୁଛନ୍ତି ରାହୁଲ ! ରାଉରକେଲା ଓ ଭବାନୀପାଟଣାରେ ଦଳୀୟ ସମାବେଶକୁ କରିବେ ସମ୍ବୋଧନ, ସମାନ ଦିନରେ ବିଜେଡିରେ ମିଶିବେ ଯୋଗେଶ ସିଂ ।

148

କନକ ବ୍ୟୁରୋ : ଆସନ୍ତାକାଲି ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ମାତ୍ର ୧୫ଦିନ ଭିତରେ ଦ୍ୱିତୀୟ ଥର ଆସୁଛନ୍ତି ରାହୁଲ । ଆଉ ଏଥର ରାହୁଲଙ୍କ ଫୋକସରେ ରହିଛି ପଶ୍ଚିମ ଓଡିଶା । ଗୋଟିଏ ଦିନରେ ଭବାନୀପାଟଣା ଓ ରାଉରକେଲାରେ ଦୁଇ ଦୁଇଟି ବିଶାଳ ସମାବେଶ କରିବେ ରାହୁଲ  । ଦଳର ମୁଖିଆଙ୍କ ଗସ୍ତକୁ ନେଇ ଚଳଚଂଚଳ କଂଗ୍ରେସ ଶିବିର । ତେବେ ଗୋଟିଏ ପଟେ ରାଉରକେଲାରେ କଂଗ୍ରେସ ସମାବେଶ କରୁଥିବା ବେଳେ ଅନ୍ୟପଟେ କଂଗ୍ରେସରୁ ବହିଷ୍କୃତ ଯୋଗେଶ ସିଂ ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିଜ ସମର୍ଥକଙ୍କ ସହ ଶଙ୍ଖ ଧରିବେ । ଯାହାକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ତେବେ ଗତ ଗସ୍ତ ସମୟରେ ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ କରିଥିବା ରାହୁଲଙ୍କ ଆଭିମୁଖ୍ୟ ଏଥର କଣ ରହିବ ତାହା ଚର୍ଚ୍ଚାର ବିଷୟ ହୋଇଛି ।

ଆସୁଛନ୍ତି ଅଧ୍ୟକ୍ଷ, ବିଜେଡିକୁ ଯିବେ ଯୋଗେଶ । ରାହୁଲଙ୍କ ଗସ୍ତ ଦିନ ଶଙ୍ଖ ଫୁଙ୍କିବେ ପୂର୍ବତନ ବିଧାୟକ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ତମାଣ୍ଡୋ ଗସ୍ତ ସମୟରେ ଯେଉଁ ଭଳି ଏକ ରାଜନୈତିକ ହଟଚମଟ ସୃଷ୍ଟି ହୋଇଥିଲା, ସେହିଭଳି ଏକ ସ୍ଥିତିକୁ ସାମ୍ନା କରିବାକୁ ଯାଉଛି ଓଡ଼ିଶା କଂଗ୍ରେସ । କାରଣ ଆସନ୍ତକାଲି ଠିକ୍ ରାହୁଲଙ୍କ ଓଡ଼ିଶା ଗସ୍ତ ଦିନରେ ହିଁ ଦଳବଳ ନେଇ ନବୀନ ନିବାସରେ ବିଜୁ ଜନତା ଦଳରେ ସାମିଲ ହେବେ କଂଗ୍ରେସର ପୂର୍ବତନ ବିଧାୟକ ଯୋଗେଶ ସିଂ ।

ରାହୁଲ ଗାନ୍ଧୀଙ୍କ ଭୁବନେଶ୍ୱର ଗସ୍ତର ଠିକ୍ ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ ପଶ୍ଚିମ ଓଡ଼ିଆର ଟାଣୁଆ ନେତା ତଥା ଦଳର କାର୍ଯ୍ୟକାରୀ ସଭାପତି ନବଦାସ  । ଆଉ ଏଥର ରାହୁଲ ଆସିବା ଦିନ ହିଁ ଶଙ୍ଖ ଫୁଙ୍କିବେ ଯୋଗେଶ ସିଂ  । ବଡ କଥା ହେଉଛି, କଂଗ୍ରେସ ଅଧ୍ୟକ୍ଷ ପଶ୍ଚିମ ଓଡ଼ିଶାର ସଂଗଠନକୁ ମଜବୁତ କରିବା ପାଇଁ ଆସନ୍ତାକାଲି କଳାହାଣ୍ଡି ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ସମାବେଶ କରୁଛନ୍ତି ରାହୁଲ ଗାନ୍ଧୀ  । ଆଉ ଏମିତି ବେଳେ ସେହି ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଦଳ ଛାଡି ବିଜେଡିରେ ସାମିଲ ହେବାକୁ ଯାଉଛନ୍ତି ।

ରାହୁଲ ଗାନ୍ଧୀଙ୍କ ସାମ୍ନାରେ ବଡ ଚ୍ୟାଲେଂଜ୍ । ଭବାନୀପାଟଣା ଓ ରାଉରକେଲାରେ କ’ଣ କରିବେ ରାହୁଲ? ତମାଣ୍ଡୋ ସମାବେଶରେ ଉଭୟ ନବୀନ ଏବଂ ମୋଦିଙ୍କୁ ଆକ୍ରମଣ କରି ରାହୁଲ ଗାନ୍ଧୀ, ଓଡ଼ିଶାରେ ଦଳର ଆଭିମୁଖ୍ୟ କ’ଣ ରହିବ, ତାହା ସ୍ପଷ୍ଟ କରି ସାରିଛନ୍ତି । ନବୀନଙ୍କୁ ରିମୋଟରେ ଚଳାଉଛନ୍ତି ମୋଦି କହିବା ସହ ରାଫେଲ ଓ ରୋଜଗାର ପ୍ରସଙ୍ଗରେ ଖୋଲାଖୋଲି ବିଜେପିକୁ ଟାର୍ଗେଟ୍ କରିଛନ୍ତି ।

ଏପଟେ ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ ଶିବିର ବେଶ୍ ଉତ୍ସାହିତ ଥିବାବେଳେ ବିଜେଡି ଓ ବିଜେପି ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଦାବି କରିଛନ୍ତି । ରାଜନୀତିର ଏହି ବୟାନବାଜୀ ଭିତରେ କିନ୍ତୁ ଆସନ୍ତାକାଲି ପୁଣି ଥରେ କମ୍ପିବ ଓଡ଼ିଶା । କାରଣ ରାହୁଲ ସମାବେଶ କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ସରକାରୀ କାର୍ଯ୍ୟକ୍ରମ ଏବଂ ଦଳୀୟ କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ଆସୁଛନ୍ତି । ଆଉ ଏପଟେ ବିଜେଡିରେ ସାମିଲ ହେବେ ଯୋଗେଶ ସିଂ ।