ଆନନ୍ଦ ବଜାରରେ ଅମୁଣିଆ ମହାପ୍ରସାଦ ! ଭକ୍ତଙ୍କ ମହଲରେ ଆଲୋଡ଼ନ ସୃଷ୍ଟି

34

କନକ ବ୍ୟୁରୋ: ପୁଣି ଶ୍ରୀମନ୍ଦିରରେ ଘଟିଛି ଅଘଟଣ। ଶ୍ରୀଜିଉଙ୍କ ନିକଟରେ ମଣୋହୀ ନ କରି ଆନନ୍ଦବଜାରରେ ମହାପ୍ରସାଦ ବିକ୍ରି କରିବା ବେଳେ ଧରାପଡ଼ିଛନ୍ତି ଜଣେ କୋଠଭୋଗ ସୁଆର । ଏହି ଘଟଣା ପୁରୀରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଭକ୍ତଙ୍କ ମହଲରେ ବି ଆଲୋଡ଼ନ ସୃଷ୍ଟି କରିଛି ।

ଆନନ୍ଦ ବଜାରରେ ଭକ୍ତଙ୍କୁ ଅମୁଣିଆ ପ୍ରସାଦ ବିକି ଧରା ପଡ଼ିଥିବା ଏହି କୋଠଭୋଗ ସୁଆର ହେଲେ ଗଦୁ ଦୀକ୍ଷିତ। ଏଭଳି ଅପକର୍ମ କରିଥିବା ସ୍ୱୀକାର କରିବା ପରେ ତାଙ୍କୁ ରୋଷଘରରୁ ବାସନ୍ଦ କରାଯାଇଛି । ଗତକାଲି ସୁଆର ମହାସୁଆର ନିଯୋଗର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ବସି ଏହି ନିଷ୍ପତ୍ତି ନିଆଯାଇଛି  । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ତାଙ୍କୁ ରୋଷଘର ମନା କରାଯାଇଛି । ଶ୍ରୀଜଗନ୍ନାଥ ଓ ମହାପ୍ରସାଦ ପ୍ରତି ଥିବା ଭକ୍ତି ଓ ବିଶ୍ୱାସରେ ବିଷ ଦେଇଥିବାରୁ ସେ ରୋଷ ଘରେ ପ୍ରବେଶ କରିପାରିବେ ନାହିଁ ବୋଲି ତାଙ୍କୁ ଦିଆଯାଇଥିବା ନୋଟିସରେ ଉଲ୍ଲେଖ କରାଯାଇଛି । ରୋଷଘର କାନ୍ଥରେ ବି ଏହି ନୋଟିସ୍ ଲଗାଯାଇଛି । ତେବେ ତାଙ୍କ ବିରୋଧରେ ଅନ୍ୟ କିଛି କାର୍ଯ୍ୟାନୁଷ୍ଠାନ ନିଆଯିବ କି ନା ତାହା ଜଣାପଡ଼ିନାହିଁ ।

ଠିକ୍ ବର୍ଷେ ତଳେ ଏହି ସେବକଙ୍କର ପାଦ କଟି ରକ୍ତ ବୋହିବାରୁ ଗର୍ଭଗୃହରେ ରକ୍ତ ପଡ଼ିଥିଲା । ଏହି ସମୟରେ କୋଠଭୋଗ ପୂଜା ବସିବାକୁ ଯାଉଥିବାରୁ ସମଗ୍ର କୋଠଭୋଗ ପୋତା ଯାଇଥିଲା । ଏହି ଅଘଟଣର ଠିକ୍ ବର୍ଷେ ପରେ ଏହି ଅଘଟଣ ଘଟିଛି । ଗୁରବାର ତାଙ୍କର ପାଳି ଥିଲା । କୋଠ ଭୋଗ ପାଇଁ ସୁଭଦ୍ରାଙ୍କ ବାଡ଼ରେ ବିଡ଼ୁଆ ଥାଳି ବଢ଼ା ଯାଇଥିଲା । ସବୁ ଭୋଗ ବଢ଼ା ଯାଇଥିବା ବେଳେ କେବଳ ଏକ ଡାଲି ଆସିବାକୁ ଥିଲା । ତରବରରେ ଗଦୁ ଏହି ଡାଲି ନେଇ ଆସିବା ବେଳକୁ ଟେରା ପଡ଼ି ଯାଇଥିଲା । ଏଣୁ ଏହା ମହାପ୍ରଭୁଙ୍କୁ ଲାଗି ହୋଇ ପାରିଲା ନାହିଁ । ମଣୋହୀ ହୋଇ ନ ପାରିଲେ ଏହି ଅମୁଣିଆକୁ ବିକ୍ରି କରାଯାଏ ନାହିଁ ବା କାହାକୁ ପରଷା ଯାଏ ନାହିଁ । ସର୍ବ ପୁରାତନ ପରମ୍ପରା ମୁତାବକ ଏହି କୋଠ ଭୋଗକୁ ପୋତା ଯାଏ । କିନ୍ତୁ ଗଦୁ ଟେରା ପଡ଼ିଥିବା ଦେଖି ଡାଲିକୁ ନ ପୋତି ସିଧା ଆନନ୍ଦ ବଜାରକୁ ନେଇ ଯାଇଥିଲେ । ସେଠାରେ ବିକ୍ରି ଆରମ୍ଭ କରିଥିଲେ । ଭକ୍ତମାନେ ମହାପ୍ରସାଦ ଭାବି ବିଶ୍ୱାସରେ ନେଇଥିବା ବେଳେ କେତେକ ଆନନ୍ଦ ବଜାରରେ ବସି ଏହି ଅମୁଣିଆ ଡାଲିକୁ ପାଇଥିଲେ ।

ଭକ୍ତଙ୍କ ଅଜାଣତରେ ଗଦୁ ସେମାନଙ୍କୁ ଧୋକା ଦେଇଥିଲେ । ତେବେ କେବଳ ଭକ୍ତଙ୍କୁ ଧୋକା ନୁହେଁ; ବରଂ ମହାପ୍ରସାଦର ପବିତ୍ରତାକୁ ଅସମ୍ମାନ କରିଥିଲେ । ଏହି ଘଟଣା ଲୁଚି ରହି ନ ଥିଲା । ଗଦୁଙ୍କର ଏକ ଡାଲି ଅମୁଣିଆ ହୋଇଥିବା ଜଣାପଡ଼ିଥିଲା । ଏହାକୁ ପୋତା ଯିବା ପାଇଁ ଖୋଜା ପଡ଼ିଥିଲା । କିନ୍ତୁ ଏହା ମିଳିନଥିଲା । ଖୋଜାଖୋଜି ପରେ ସେ ବିକ୍ରି କରୁଥିବା ନେଇ ସନ୍ଦେହ ହୋଇଥିଲା।  ଆନନ୍ଦ ବଜାରରେ ସୁପର ଭାଇଜର ଓ କମାଣ୍ଡର ପହଞ୍ଚି ଦେଖିବା ପରେ ଜଣାପଡ଼ିଥିଲା । ଏ ସଂପର୍କରେ କମାଣ୍ଡର ସମ୍ପୃକ୍ତ ନିଯୋଗକୁ ଖବର ଦେବା ପରେ ସମ୍ପାଦକ କୃଷ୍ଣଚନ୍ଦ୍ର ସାମନ୍ତରାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ଗଦୁଙ୍କୁ ଡକାଇ ପ୍ରତିକ୍ରିୟା ରଖିବାକୁ ସୁଯୋଗ ଦିଆଯାଇଥିଲା। କିଛି ସମୟ ପରେ ଗଦୁ ଏହି ଅକ୍ଷମଣୀୟ ଅପରାଧକୁ ସ୍ୱୀକାର କରିଥିଲେ।  ଏଣୁ ତାଙ୍କୁ ବାସନ୍ଦ କରାଯାଇଥିଲା।