କେନ୍ଦ୍ର ସରକାରଙ୍କ ନ୍ୟାସନାଲ ମେଡିକାଲ କମିଶନକୁ ବିରୋଧ । ଆନ୍ଦୋଳନକୁ ଓହ୍ଲାଇବେ ୩ଲକ୍ଷ ଡାକ୍ତର

42

କନକ ବ୍ୟୁରୋ : ସରକାରଙ୍କ ନ୍ୟାସନାଲ ମେଡିକାଲ କମିସନ ଗଠନ ନିଷ୍ପତି ବିରୋଧରେ ଆଜି ଆନ୍ଦୋଳନକୁ ଓହ୍ଲାଇବେ ଡାକ୍ତର । ଇଣ୍ଡିଆନ ମେଡିକାଲ ଆସୋସିଏସନ ସହ ଜଡିତ ଦେଶର ପ୍ରାୟ ୩ ଲକ୍ଷ ଡାକ୍ତର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଜଣାପଡିଛି । ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ଦେଶର ସରକାରୀ ଓ ଘରୋଇ ମେଡିକାଲର ଚିକିତ୍ସା ସେବା ଠପ ହେବା ସମ୍ଭାବନା ରହିଛି ।

କେନ୍ଦ୍ର ସରକାର କମିଶନ ଗଠନ ପାଇଁ ଆଜି ବିଲ ଆଣିବାକୁ ଯାଉଛନ୍ତି । ସେପଟେ ଡାକ୍ତରଙ୍କ କହିବା କଥା, ଏହି ବିଲ ପାସ ହେଲେ ମେଡିକାଲ ଇତିହାସ ପାଇଁ ଆଜି ହେବ କଳାଦିନ । ଏହଦ୍ୱାରା ଚିକିତ୍ସା ମହଙ୍ଗା ହେବ ଓ ଦୁର୍ନୀତି ବଢିବ । ଏହି ବିଲ ଲାଗୁ ହେଲେ ଘରୋଇ ମେଡିକାଲ କଲେଜରେ ମଧ୍ୟ ସରକାରଙ୍କ କର୍ତୃତ୍ୱ ଜାରି ରହିବ ।

ଦେଶବ୍ୟାପୀ ସରକାରୀ ଓ ଘରୋଇ ଡାକ୍ତରଖାନାର ୩ ଲକ୍ଷ ଡାକ୍ତର ଏହି ଧର୍ମଘଟରେ ସାମିଲ ହେବେ ବୋଲି ଜଣାପଡ଼ିଛି। ଏବେ ଘରୋଇ ମେଡିକାଲ କଲେଜଗୁଡ଼ିକର ୧୫ ପ୍ରତିଶତ ସ୍ଥାନ ଉପରେ ସରକାରଙ୍କ ନିୟନ୍ତ୍ରଣ ରହୁଥିଲା ବେଳେ ଏହି ବିଲ ପାସ ହେବା ପରେ ୬୦ ପ୍ରତିଶତ ଆସନ ଉପରେ ସରକାର ଫି’ ନିର୍ଦ୍ଧାରଣ କରିବେ ।

ସବୁଠୁ ମୁଖ୍ୟ ପ୍ରସଙ୍ଗ ହେଲା, ଏବେ ଏମବିବିଏସ ପାସ କରିବା ପରେ ବି ଡାକ୍ତରୀ ଛାତ୍ରଙ୍କୁ ଲାଇସେନ୍ସ ପାଇଁ ନିଟ ଭଳି ଆଉ ଏକ ପରୀକ୍ଷା ଦେବାକୁ ପଡ଼ିବ। ତେଣୁ ଏହାକୁ ଡାକ୍ତରୀ ସଂଘ ଜୋରଦାର ବିରୋଧ କରୁଛି। ଏନେଇ ସରକାରଙ୍କ ସହ ବାରମ୍ବାର ଆଲୋଚନା ପରେ ବି କିଛି ସୁଫଳ ମିଳିନଥିବାରୁ ସମସ୍ତ ଡାକ୍ତର ସଂଘ ଧର୍ମଘଟ କରିବେ ବୋଲି ଆଇଏମଏ ଜାତୀୟ ସଭାପତି କହିଛନ୍ତି। ସେପଟେ ଏହି ଧର୍ମଘଟ ଯୋଗୁଁ ଡାକ୍ତରଖାନା ଗୁଡ଼ିକର ଜରୁରୀ ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ ହେବନାହିଁ ବୋଲି ସେ ଆଶ୍ୱାସନା ମଧ୍ୟ ଦେଇଛନ୍ତି।