ଆଜି ଓଡିଶାରେ ପହଂଚିବ ପ୍ରଖ୍ୟାତ ନାଟ୍ୟକାର ଅନନ୍ତ ଓଝାଙ୍କ ମରଶରୀର 

23

କନକ ବ୍ୟୁରୋ: ଆଜି ଓଡିଶାରେ ପହଂଚିବ ପ୍ରଖ୍ୟାତ ନାଟ୍ୟକାର ତଥା ଯାତ୍ରା ନିର୍ଦ୍ଦେଶକ ଅନନ୍ତ ଓଝାଙ୍କ ମରଶରୀର । ପୈତୃକ ଗାଁ କେନ୍ଦ୍ରାପଡା ଜିଲ୍ଲା ନିଳକଂଠପୁରରେ ତାଙ୍କର ଶେଷକୃତ୍ୟ ହେବ । ୫୯ ବର୍ଷ ବୟସରେ ବେଙ୍ଗାଳୁରୁରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇ ସେ ବେଙ୍ଗାଲୁରୁର ଏଚସିଜି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଓଡିଶା ନାଟ୍ୟ ଜଗତକୁ ଅନେକ ସୁପରହିଟ୍ ନାଟକ ଭେଟି ଦେଇଛନ୍ତି ଅନନ୍ତ ଓଝା ।

ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ, ଭଲ ମଣିଷ ଖୋଜା ଚାଲିଛି, ମୋ ପେଁକାଳି ବଜେଇ ଦେ, ଛତା ଚିହ୍ନରେ ଭୋଟ୍ ଦିଅ, ହରେକୃଷ୍ଣ ହରେରାମ, ଅସତ୍ୟ ସହର, ଆକାଶବାଣୀ କଟକ, ବଜାରୀ ବୁଢା, ଜୀଅନ୍ତା ଶବ, ମୁଇଁ ସମ୍ବଲପୁରୀ ନନୀ, ବିଦେଶିନୀ ଓ କଳିଯୁଗ ତୋତେ ନମସ୍କାର ଇତ୍ୟାଦି ନାଟକ ଅନନ୍ତଙ୍କ କାଳଜୟୀ କୃତି ମଧ୍ୟରୁ ଅନ୍ୟତମ । ଓଡିଆ ଯାତ୍ରା ଜଗତର ବାଦଶାହା କୁହାଯାଉଥିବା ଅନନ୍ତ ଓଝାଙ୍କର ଆହୁରି ଅନେକ ନାଟକ ପାଣ୍ଡୁଲିପି ଏବେ ମଧ୍ୟ ଅପ୍ରକାଶିତ ଅବସ୍ଥାରେ ରହିଛି । ନାଟକ ଲେଖିବା ଥିଲା ତାଙ୍କର ପେଶା ଓ ନିଶା ।

ଗତ ୩ ଦଶନ୍ଧି ଧରି ନାଟକ ପାଇଁ ଲେଖନୀ ଚଳାଇ ଆସିଥିବା ଅନନ୍ତ ଓଝାଙ୍କର ଯାତ୍ରା ଦର୍ଶକ ମହଲରେ ରହିଛି ଏକ ସ୍ୱତନ୍ତ୍ର ପରିଚୟ । ନାଟ୍ୟ ଜଗତକୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ୭୦ରୁ ଅଧିକ ଅନୁଷ୍ଠାନରୁ ସମ୍ମାନିତ ହୋଇଛନ୍ତି ସେ । ନାଟ୍ୟ ରଚନା ସହ ଅନେକ ନାଟକରେ ନିଜ ନିର୍ଦ୍ଦେଶନାର ଛାପ ମଧ୍ୟ ଛାଡି ଦେଇ ଯାଇଛନ୍ତି ଅନନ୍ତ ଓଝା । ଅପ୍ରତିଦ୍ୱନ୍ଦୀ ନାଟ୍ୟକାର ଅନନ୍ତଙ୍କ ବର୍ତ୍ତମାନରେ ତାଙ୍କୁ ଝୁରୁଛି ଟଲିଉଡ୍ ।ଆଜି ଉକ୍ରର୍ଷର ସୀମା ଛୁଇଁଥିବା ଯାତ୍ରା ଜଗତରେ ସୃଷ୍ଟି ହୋଇଛି ଏକ ବିରାଟ ଶୂନ୍ୟସ୍ଥାନ । ଅନନ୍ତଙ୍କ ମୃତ୍ୟୁ ଖବର ପହଂଚିବା ପରେ ଯାତ୍ରା ଜଗତରେ ଖେଳିଯାଇଛି ଶୋକର ଛାୟା । ଖାଲି ଯାତ୍ରା କଳାକାର କିମ୍ବା ଯାତ୍ରା ସହ ସଂପୃକ୍ତ ବ୍ୟକ୍ତି ବିଶେଷ ନୁହଁନ୍ତି, ଅନନ୍ତ ଓଝାଙ୍କୁ ଜାଣିଥିବା ଓଡିଶାର ଅଗଣିତ କଳାପ୍ରେମୀ ଦର୍ଶକ ବି ଝୁରୁଛନ୍ତି ଏହି କାଳଜୟୀ ଲେଖକଙ୍କୁ ।