ମହାମହିମଙ୍କୁ ଅପମାନ । ସୋରିଷ ତେଲ ବିଜ୍ଞାପନରେ ରାଷ୍ଟ୍ରପତିଙ୍କ ଫଟୋ । ମୟୂରଭଞ୍ଜ କରଞ୍ଜିଆ ସହରରେ ବଡ଼ ବଡ଼ ବ୍ୟାନର, ହୋଡିଂ

480

କନକ ବ୍ୟୁରୋ: ସୋରିଷ ତେଲ ବିଜ୍ଞାପନରେ ରାଷ୍ଟ୍ରପତିଙ୍କ ଫଟୋ । ମୟୂରଭଞ୍ଜ କରଞ୍ଜିଆ ସହରରରେ ଏକ ସୋରିଷ ତେଲ କମ୍ପାନୀ ପୋଷ୍ଟରରେ ରାଷ୍ଟ୍ରପତିଙ୍କ ଫଟୋ ଲଗାଇ ବିବାଦକୁ ଆସିଛି । ରାଷ୍ଟ୍ରପତିଙ୍କ ଫଟୋକୁ ବ୍ୟବସାୟିକ ବିଜ୍ଞାପନ ପାଇଁ ବ୍ୟବହାର କରାଯିବାକୁ ନେଇ ବିବାଦ ସୃଷ୍ଟି ହୋଇଛି । ତେବେ ଘଟଣାକୁ ନେଇ କରଞ୍ଜିଆ ଥାନାରେ ଏତଲା ହୋଇଛି ।

  • ସୋରିଷ ତେଲ ବିଜ୍ଞାପନରେ ରାଷ୍ଟ୍ରପତିଙ୍କ ଫଟୋ
  • ଥାନାରେ ଏତଲା ଦେଲେ ଆଇନଜୀବୀ

ଏକ ସୋରିଷ ତେଲ କମ୍ପାନୀ ଏହାର ବିଜ୍ଞାପନ ପୋଷ୍ଟରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଫଟୋକୁ ଲଗାଇଛି । ସବୁଠୁ ବଡ଼ କଥା ହେଲା ଏହି ଚିତ୍ର ଆସିଛି ତାଙ୍କ ନିଜ ଜିଲ୍ଲା ମୟୁରଭଞ୍ଜରୁ । ଜିଲ୍ଲାର କରଞ୍ଜିଆ ସହରରରେ ଏହିପରି ପୋଷ୍ଟର ଲଗାଯାଇଛି । ଖାଲି ଏହି ଗୋଟିଏ ଜାଗାରେ ନୁହେଁ, ସହରରେ ଏହିପରି ବିଭିନ୍ନ ସ୍ଥାନରେ ସୋରିଷ ତେଲ ବିଜ୍ଞାପନରେ ରାଷ୍ଟ୍ରପତିଙ୍କ ଫଟୋ ଥିବା ବଡ଼ ବଡ଼ ବ୍ୟାନର ଓ ହୋର୍ଡିଂ ଲଗାଯାଇଛି । ହେଲେ ରାଷ୍ଟ୍ରପତିଙ୍କ ଫଟୋକୁ ବ୍ୟବସାୟିକ ବିଜ୍ଞାପନ ପାଇଁ ବ୍ୟବହାର କରାଯିବାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏନେଇ ଆଇନଜୀବୀ ଝରଣା ପୃଷ୍ଟି କରଞ୍ଜିଆ ଥାନାରେ ଏତଲା ଦେଇଛନ୍ତି ।

ରାଷ୍ଟ୍ରପତି ଦେଶର ସାମ୍ବିଧାନିକ ମୁଖ୍ୟ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସମ୍ପର୍କିତ ବିଜ୍ଞାପନରେ ରାଷ୍ଟ୍ରପତିଙ୍କ ଫଟୋ ବ୍ୟବହାର ହୋଇପାରିବ । ହେଲେ ବ୍ୟବସାୟିକ ବିଜ୍ଞାପନରେ ରାଷ୍ଟ୍ରପତିଙ୍କ ଫଟୋ ବ୍ୟବହାର କରାଯିବା ବିବାଦ ସୃଷ୍ଟିି କରିଛି । ଏହା ପୂର୍ବରୁ ରିଲାଏନ୍ସ ଜିଓ ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ବ୍ୟବହାରକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଥିଲା ।