ଗାଁ ନୁହେଁ, ରାଜଧାନୀରେ କଙ୍ଗାରୁ କୋର୍ଟ । କମେଣ୍ଟମରାକୁ ନେଇ ବସିଲା ସଭା । ଜଣେ ନାବାଳକ ସମେତ ୨ଜଣଙ୍କୁ ଆଣ୍ଠେଇଲେ ଲୋକେ ।

164

କନକ ବ୍ୟୁରୋ: ରାଜଧାନୀରେ କଙ୍ଗାରୁ କୋର୍ଟ । କମେଣ୍ଟମରାକୁ ନେଇ ବରମୁଣ୍ଡାରେ ତୁମୁଳକାଣ୍ଡ । ବରମୁଣ୍ଡା ପାଲାମଣ୍ଡପ ନିକଟରେ ସଭା କରି ୨ ନାବାଳକଙ୍କୁ କାନ ଧରି ଆଣ୍ଠେଇଲେ ଗ୍ରାମବାସୀ । ସ୍କୁଲ ପିଲାଙ୍କୁ କମେଣ୍ଟ ମାରିବାକୁ ନେଇ ୨ ନାବାଳକଙ୍କୁ ଦଣ୍ଡ ଦେଇଛନ୍ତି ସ୍ଥାନୀୟ ଲୋକ । ଏପରିକି ବୁଝାସୁଝା କରିବାକୁ ଆସିଥିବା ବାପାଙ୍କୁ ସଭାରେ ପିଲାଙ୍କ ସହ କାନ ଧରି ଆଣ୍ଠେଇବାକୁ କହିଥିଲେ ଲୋକେ । ତେବେ ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଗାଁର ୨ଜଣଙ୍କୁ ଉଠାଇ ଆଣି ତଦନ୍ତ କରୁଛି ପୋଲିସ ।

  • ରାଜଧାନୀରେ କଙ୍ଗାରୁ କୋର୍ଟ
  • କମେଣ୍ଟମରାକୁ ନେଇ ମହାଭାରତ
  • ସଭା ଭିତରେ ଆଣ୍ଠେଇଲେ ୨ ପିଲା ଓ ସେମାନଙ୍କ ବାପା

କେଉଁ ଗାଁ ନୁହେଁ, ଭୁବନେଶ୍ୱର ପ୍ରମୁଖ ସ୍ଥଳ ବରମୁଣ୍ଡାରୁ ଆସିଛି ଏଭଳି ଅଭାବନୀୟ ଖବର । ସଭା ଚାଲିଥିଲା, ଚାରିପଟେ ଘେରି ରହିଥିଲେ ସ୍ଥାନୀୟ ଲୋକ । ଅସାମାଜିକଙ୍କୁ ଦଣ୍ଡ ଦେବା ପାଇଁ ଆଇନର କାଠଗଡ଼ା ମଧ୍ୟରେ ନୁହେଁ ବରଂ ଗାଁ ଦାଣ୍ଡରେ ନିଆଯାଉଥିଲା ନିଷ୍ପତି । ଜଣେ ନାବାଳକଙ୍କ ସମେତ ଦୁଇ ଜଣ ଆଣ୍ଠେଇଥିଲେ, ସେମାନଙ୍କ ସହ ଆଣ୍ଠେଇଥିଲେ ଦୁଇ ଜଣଙ୍କ ବାପା । ସ୍କୁଲ ପିଲାଙ୍କୁ କମେଣ୍ଟ ମାରିବାକୁ ନେଇ ୨ ଜଣଙ୍କୁ ଦଣ୍ଡ ଦେଇଛନ୍ତି ସ୍ଥାନୀୟ ଲୋକ । ଏପରିକି ବୁଝାସୁଝା କରିବାକୁ ଆସିଥିବା ଦୁଇ ଜଣଙ୍କ ବାପାଙ୍କୁ ମଧ୍ୟ ସଭାରେ କାନ ଧରି ଆଣ୍ଠେଇବାକୁ ନିର୍ଦ୍ଦେଶ ଦିଆଯାଇଥିବା ଅଭିଯୋଗ ହୋଇଛି ।

ରାଜଧାନୀର କଙ୍ଗାରୁ କୋର୍ଟର ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରୁବୁଲିଲା ଏବଂ ସୋସିଆଲ ମିଡିଆରେ ବି ଅପଲୋଡ ହେଲା । ବାପାଙ୍କ ସହ ଆଣ୍ଠେଇବା ଭିଡିଓ ଭାଇରାଲ ହେବା ପରେ ଜଣେ ପୀଡ଼ିତ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଦିଲ୍ଲୀପ ପ୍ରଧାନ ଓ ରମେଶ ପ୍ରଧାନଙ୍କୁ ଗିରଫ କରିଛି ପୁଲିସ । ଏହି ଘଟଣା ନେଇ ବରମୁଣ୍ଡା ଅଂଚଳରେ ଉତେଜନା ଦେଖିବାକୁ ମିଳିଛି । ଉଭୟ ଗୋଷ୍ଠୀର ଲୋକ ଖଣ୍ଡିଗିରି ଥାନା ନିକଟରେ ରୁଣ୍ଡ ହୋଇଥିଲେ । ତେବେ ଯେଉଁମାନଙ୍କ ଭିଡିଓ ଭାଇରାଲ ହେଉଛି ସେମାନେ ସ୍ଥାନୀୟ ଅଞ୍ଚଳରେ ଝିଅମାନଙ୍କୁ କମେଣ୍ଟ ମାରିବା ସହ ଅଶାଳୀନ ବ୍ୟବହାର କରୁଥିଲେ ବୋଲି ମହିଳା ମାନେ ଅଭିଯୋଗ କରିଛନ୍ତି । ତେବେ ପ୍ରଶ୍ନ ଉଠୁଛି, କମେଣ୍ଟ ମାରୁଥିବା ଯୁବକଙ୍କ ବିରୋଧରେ ଥାନାରେ କାହିଁକି ହୋଇନଥିଲା ଅଭିଯୋଗ? ଆଇନକୁ ହାତକୁ ନେବା ପାଇଁ କିଏ ଦେଇଥିଲା ସାହସ?