ପ୍ରମିଳାଙ୍କ ଟାର୍ଗେଟରେ ଲେଖାଶ୍ରୀ: କହିଲେ, ମୋ ପାଖକୁ ଟିକେଟ ପାଇଁ ଆସିଥିଲେ, ଏବେ ବିଜେପିରେ ଯାଇ କଥା କହୁଛନ୍ତି 

1,747

କନକ ବ୍ୟୁରୋ: ମମିତା ହତ୍ୟାକାଣ୍ଡକୁ ନେଇ ଏବେ ରାଜ୍ୟରାଜନୀତି ଚଳଚଞ୍ଚଳ ହୋଇ ପଡିଛି । ଏହି ହତ୍ୟାକାଣ୍ଡକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିଥିବା ବେଳେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛନ୍ତି । ହେଲେ ଏହାରି ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି ଲେଖାଶ୍ରୀ ସାମନ୍ତସିଂହାର ଓ  ପ୍ରମିଳା ମଲ୍ଲିକ ।

ମମିତା ହତ୍ୟାକାଣ୍ଡକୁ ନେଇ ବିବାଦ ଜୋର ଧରିବା ପରେ ମୁହଁ ଖୋଲିଥିଲେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ । ସେ କହିଥିଲେ, ଆଇନ ତା ବାଟରେ ଯିବ ଓ ଦୋଷୀ ନିଶ୍ଚେ ଦଣ୍ଡ ପାଇବ । ଆଉ ଏହାକୁ ନେଇ ଲେଖାଶ୍ରୀ ପ୍ରମିଳାଙ୍କୁ ଟାର୍ଗେଟ କରିଥିଲେ । କହିଥିଲେ, ଯିଏ ପୂର୍ବରୁ ଡାଲି, ଛତୁଆ ଚୋରି ମାମଲାରେ ମନ୍ତ୍ରୀ ପଦରୁ ବିଦା ହୋଇଥିଲେ ସେ କିଭଳି ଦୋଷୀ ଦଣ୍ଡ ପାଇବେ ବୋଲି କହୁଛନ୍ତି ।

ଏହି ଘଟଣାକୁ ନେଇ ଗଣ ମାଧ୍ୟମ ଆଗରେ ପ୍ରବଳ ବର୍ଷିଛନ୍ତି ପ୍ରମିଳା ମଲ୍ଲିକ । ସେ କହିଛନ୍ତି, ଲେଖାଶ୍ରୀ ଆମ ଦଳକୁ ଆସିଥିଲେ ଟିକେଟ ପାଇଁ । ମୁଁ ବାଲେଶ୍ୱରର ପର୍ଯ୍ୟବେକ୍ଷକ ଥିଲି । ଆମେ ଟିକେଟ ଦେଲୁ ନାହିଁ । ଏବେ ସେ ଯାଇ ବିଜେପିରେ କଥା କହୁଛନ୍ତି । ଜୀବନରେ କେବେ ୱାର୍ଡ ମେମ୍ବରଟିଏ ବି ହୋଇପାରିବେନି । ଆଉ ସେ ସାମାଜିକ ପ୍ରଶ୍ନବାଚୀ ମୋ ଉପରେ କଣ ଉଠାଇବେ । ସାରା ଓଡିଶା ବାସୀ ଜଣିଛନ୍ତି କାହା ଉପରେ ସାମାଜିକ ପ୍ରଶ୍ନବାଚୀ ଅଛି ।

ସେ ଆହୁରି ମଧ୍ୟ କହିଛନ୍ତି କି, ବିଜେପିର ଉଦ୍ଦେଶ୍ୟ ନୁହେଁ ମମିତାଙ୍କୁ ନ୍ୟାୟ ଦେବା । କେସକୁ ବୁଲେଇ ବଙ୍କେଇ ଯାତ୍ରା କରିବା ହେଉଛି ତାଙ୍କ ଉଦ୍ଦେଶ୍ୟ । ତାଙ୍କ ଦଳର ଚରିତ୍ର ହେଉଛି ମିଥ୍ୟା ଆରୋପ କରିବା । ଯଦି ସାହାସ ଅଛି ପ୍ରମାଣ କରି ଦେଖାନ୍ତୁ ମୋ ନାଁରେ କେଉଁଠି ମାମଲା ଅଛି ।