ଝିଅ ମମିତା ନିଖୋଜ ପରେ ଥାନାରୁ ଥାନା ଘୁରୁଥିଲା ପରିବାର । କିନ୍ତୁ କିଛି ଶୁଣୁନଥିଲା ନିଷ୍ଠୁର ପୋଲିସ ।

231

କନକ ବ୍ୟୁରୋ : ମମିତା ମେହେର ହତ୍ୟା ମାମଲାରେ ପୁଲିସର ଭୂମିକା ସମସ୍ତଙ୍କ ନଜରକୁ ଆସିଛି । ମମିତା ନିଖୋଜ ହେବା ପରେ ପରିବାର ଲୋକେ ଥାନାରୁ ଥାନାକୁ ଦୌଡୁଥିଲେ, କିନ୍ତୁ ତାଙ୍କ କଥା କେହି ଶୁଣୁନଥିଲେ । ମମିତା ମେହେର ୮ ତାରିଖରେ ନିଖୋଜ ହେବା ପରଦିନ ପରିବାର ଲୋକେ ଯେତେବେଳେ ଏତଲା ଦେବାକୁ ଥାନାକୁ ଯାଇଥିଲେ, ଏତଲା ନରଖି ଫେରାଇ ଦେଇଥିଲେ କେ.ଗାଁ ଥାନା ଆଇଆଇସି ଡମୁ ପରଜା । ତାଙ୍କର ଯୁକ୍ତି ଥିଲା ଯେ, ମମିତା ବଲାଙ୍ଗୀରରେ ନିଖୋଜ ହୋଇଛନ୍ତି, ତେଣୁ ସେ ଏଫଆଇଆର ରଖିପାରିବେ ନାହିଁ ।

କୁହାଯାଉଛି କେ.ଗାଁ ଥାନା ଅଞ୍ଚଳରେ ଗୋବିନ୍ଦ ସାହୁ ଜଣେ ପ୍ରଭାବଶାଳୀ ବ୍ୟକ୍ତି । ଏବଂ ସମସ୍ତେ ଜାଣନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସେ ହେଉଛନ୍ତି ଖାସ୍ ଲୋକ । ତେଣୁ ତାଙ୍କ ବିରୋଧରେ ଏଫଆଇଆର ରଖିବାକୁ ସାହସ କରିନଥିଲେ ଆଇଆଇସି ଡମ୍ବୁ ପରଜା ।

ଅକ୍ଟୋବର ୧୩ରେ ସିନେ୍ଧକେଲା ଥାନାରେ ଅଭିଯୋଗ କଲେ ପରିବାର । ଅଭିଯୋଗ ଗ୍ରହଣ ହେଲା, କିନ୍ତୁ କାର୍ଯ୍ୟାନୁଷ୍ଠାନ କଲା ନାହିଁ ସିନେ୍ଧକେଲା ପୋଲିସ୍ । କେ.ଗାଁ ଥାନା ପୋଲିସ୍ ନଶୁଣିବାରୁ ପରିବାର ଲୋକ ସିନେ୍ଧକେଲା ଥାନାରେ ମମିତାଙ୍କ ନିଖୋଜ ନେଇ ଅଭିଯୋଗ ଆଣିଲେ । କିନ୍ତୁ ଏମାନେ କେସକୁ ଗ୍ରହଣ କଲେ ସିନା, କିନ୍ତୁ ତଦନ୍ତ ଆଗକୁ ବଢ଼ିଲାନି । ଆଶ୍ଚର୍ଯ୍ୟଜନକ ଭାବେ କଳାହାଣ୍ଡି ପୋଲିସ୍ ଗୋବିନ୍ଦ ସାହୁଙ୍କୁ ଉଠାଇ ଆଣିଲା ଏବଂ ବଲାଙ୍ଗୀର ପୋଲିସକୁ ହସ୍ତାନ୍ତର କରିଦେଲା ।

ଗୋବିନ୍ଦଙ୍କୁ ନିଆଗଲା ନାହିଁ ସିନେ୍ଧକେଲା ଥାନା । ଗିରଫ ନକରି ଟିଟିଲାଗଡ଼ ବାରାକରେ କରାଗଲା ଅଟକ । ଏହାପରେ ଅକ୍ଟୋବର ୧୭ ତାରିଖରେ ସେହି ବାରାକରୁ ଫେରାର ହୋଇଗଲେ ଗୋବିନ୍ଦ । ଆଶଙ୍କା ହେଲା, ସାକ୍ଷ୍ୟ ପ୍ରମାଣ ନଷ୍ଟ କରିବାକୁ ସେ ଫେରାର ହୋଇଗଲେ, ଏହା ପରେ ମଙ୍ଗଳବାର ଦିନ ସେ ଗିରଫ ହେଲେ ।