ରାହୁଲ କଲେ ବଡ ଘୋଷଣା । କେନ୍ଦ୍ରରେ କଂଗ୍ରେସ ସରକାରକୁ ଆସିଲେ ଆଣିବ ପେହେଲି ନୌକରି ପକ୍କି ଯୋଜନା, ଜାଣନ୍ତୁ ଯୁବବର୍ଗଙ୍କୁ ଚାକିରି କ୍ଷେତ୍ରରେ କେମିତି ମିଳିବ ଲାଭ?

233

କନକ ବ୍ୟୁରୋ : ସାଲେପୁର କୁଳିଆରେ ନ୍ୟାୟ ସମାବେଶରେ କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହାସହ କଂଗ୍ରେସ ସରକାରକୁ ଆସିଲେ କଣ କରିବ ସେନେଇ ପୁଳାପୁଳା ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଓଡ଼ିଶାରେ ସରକାର ହେଲେ ମହିଳାଙ୍କ ଆକାଉଣ୍ଟକୁ ୨ ହଜାର ଏବଂ କେନ୍ଦ୍ରରେ ସରକାର ହେଲେ ପ୍ରତି ଗରିବ ପରିବାରର ଜଣେ ମହିଳାଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି ରାହୁଲ । ଏହାସହ ବେରୋଜଗାର ଯୁବବର୍ଗଙ୍କୁ ନେଇ ବଡ ଘୋଷଣା କରିଛନ୍ତି ରାହୁଲ ଗାନ୍ଧୀ ।

ରାହୁଲ କହିଛନ୍ତି, ଗତ ୧୦ ବର୍ଷ ହେବ ଚାକିରି ପାଇଁ ଯୁବବର୍ଗ ସମସ୍ତଙ୍କ ଆଗରେ ହାତ ପତାଇଲେଣି । କିନ୍ତୁ କଂଗ୍ରେସ ସରକାର ଆସିଲେ ସେ ସ୍ଥିତି ରହିବନି । କାରଣ କଂଗ୍ରେସ ପେହେଲି ନୌକରି ପକ୍କି ଯୋଜନା ଆଣିବ । ଯେଉଁ ଯୋଜନା ଜରିଆରେ ବେରୋଜଗାର ଯୁବକଙ୍କୁ ଚାକିରି ଗ୍ୟାରେଣ୍ଟି ଦିଆଯିବ । ସରକାରୀ, ପିଏସୟୁ, ପ୍ରାଇଭେଟ ସଂସ୍ଥାରେ ୧ ବର୍ଷ ପର୍ଯ୍ୟନ୍ତ ଚାକିରି ମିଳିବ । ସରକାରଙ୍କ ପାଖରେ ଚାକିରି ଆବେଦନ କରିବା ମାତ୍ରେ ୧ ବର୍ଷର ଆପ୍ରେଣ୍ଟିସିପ୍ ମିଳିବ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ଏହାସହ ଉଭୟ ରାଜ୍ୟ ଓ କେନ୍ଦ୍ରରେ କଂଗ୍ରେସ ସରକାର ଗଢିଲେ ମହିଳାଙ୍କୁ ବାର୍ଷିକ ୧ ଲକ୍ଷ ୨୪ ହଜାର ଟଙ୍କା ମିଳିବ । ଆଉ ତାହା ବି ସିଧାସଳଖ ବ୍ୟାଙ୍କ ଆକାଉଣ୍ଟ ଜରିଆରେ । ମୋଦୀ ଓ ନବୀନ ୨୨ ଜଣଙ୍କୁ କୋଟିପତି କରିଛନ୍ତି, କଂଗ୍ରେସ ଆସିଲେ କୋଟି କୋଟି ଲୋକଙ୍କୁ ଲକ୍ଷପତି କରିବ ବୋଲି କହିଛନ୍ତି ରାହୁଲ । ସାଲେପୁର ସଭାରୁ ବିଜେଡି-ବିଜେପିକୁ ଟାର୍ଗେଟ କରିବାକୁ ଭୁଲିନାହାନ୍ତି ରାହୁଲ । ଉଭୟ ଦଳ ମଧ୍ୟରେ ବାହାଘର ହୋଇଯାଇଛି, ଉଭୟ ଦଳ ଓଡ଼ିଶାର ଜନତାଙ୍କୁ ପାନ୍ ଦେଇଛନ୍ତି ବୋଲି କହିଛନ୍ତି ରାହୁଲ ।