ସାଲେପୁରରୁ ରାହୁଲଙ୍କ ଟାର୍ଗେଟ । କହିଲେ ଓଡ଼ିଶାରେ ବିଜେପି-ବିଜେଡି ବାହାଘର ହୋଇଛି, ମିଳିମିଶି ଲୁଟିଛନ୍ତି । କଂଗ୍ରେସ ଆସିଲେ କୋଟି କୋଟି ଗରିବ ଲୋକଙ୍କୁ ଲକ୍ଷପତି କରିବ ।

220

କନକ ବ୍ୟୁରୋ : ସାଲେପୁର କୁଳିଆ ନ୍ୟାୟ ସମାବେଶରେ ଆରମ୍ଭରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଜନସଭାକୁ ସମ୍ବୋଧିିତ କରି ରାହୁଲ କହିଛନ୍ତି, କେନ୍ଦ୍ରରେ ମୋଦୀ ସରକାର ୨୨ ଜଣ ଉଦ୍ୟୋଗପତିଙ୍କୁ ନେଇ ସରକାର ଚଳାଇଛନ୍ତି । ସେହିଭଳି ରାଜ୍ୟରେ ନବୀନ ପଟ୍ଟନାୟକ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ସରକାର ଚଳାଇଛନ୍ତି । ପୂରା ଫାଇଦା ଅଳ୍ପ କିଛି ଲୋକଙ୍କୁ ମିଳୁଛି । ଜନତା କେବଳ ଚାତକ ଭଳି ଚାହିଁ ରହୁଛନ୍ତି । ତେଲେଙ୍ଗାନାରେ ବିଜେପି ଓ ବିଆରଏସର ବିବାହ ଥିଲା । ସବୁବେଳେ ବରଯାତ୍ରୀ ବାହାରୁଥିଲା ଏବଂ ନାଟକବାଜି ଚାଲିଥିଲା । ବିଆରଏସ ଓ ବିଜେପି ଏକାଠି ଅଛନ୍ତି ବୋଲି କହିଥିଲୁ । ତେଲେଙ୍ଗାନାବାସୀ ଏହାର ଉଚିତ୍ ଜବାବ ଦେଇଥିଲେ । ଏବେ ଓଡ଼ିଶାରେ ବିଜେଡି-ବିଜେପିର ବାହାଘର ହୋଇଛି । ଉଭୟ ଦଳ ଏକାଠି ମିଶିକି ଅଛନ୍ତି । ଉଭୟ ଦଳ ଓଡ଼ିଶାର ଜନତାଙ୍କୁ ପାନ୍ ଦେଇଛନ୍ତି । ଦିଲ୍ଲୀର ଅଙ୍କଲ ଜି ଓ ନବୀନ ବାବୁଙ୍କ ସହଭାଗିତାରେ ଓଡ଼ିଶାର ଜନତାଙ୍କୁ ପାନ୍ ଦେଇଛନ୍ତି । ରାଜ୍ୟକୁ ପାଣ୍ଡିଆନ ଚଳାଉଛନ୍ତି, ଅମିତ ଶାହା, ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକ ରାଜ୍ୟର ଟଙ୍କାକୁ ମିଳିମିଶି ଖାଇଛନ୍ତି ।

ଓଡ଼ିଶାରେ ଖଣି ଦୁର୍ନୀତିରେ ୯ ଲକ୍ଷ କୋଟି ଚୋରି ହୋଇଥିବା ବେଳେ ଚାଷୀଙ୍କ ଜମି ବାବଦକୁ ୨୦ ଲକ୍ଷ କୋଟି, ବୃକ୍ଷରୋପଣ ନାଁରେ ୧୫ ହଜାର କୋଟି ଟଙ୍କା ଚଳୁ ହୋଇଛି । ଓଡ଼ିଶା ଓ ଦିଲ୍ଲୀରେ କଂଗ୍ରେସ ସରକାର ଆସିଲେ ଏହି ଟଙ୍କା ଓଡ଼ିଶାର ଜନତାଙ୍କୁ ଫେରାଇଦେବୁ । କଂଗ୍ରେସ ଶାସିତ ତେଲେଙ୍ଗାନା ଓ କର୍ଣ୍ଣାଟକରେ ମହିଳାଙ୍କୁ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଟଙ୍କା ଦିଆଯାଉଛି । ଓଡ଼ିଶାରେ ସରକାରକୁ ଆସିଲେ, ମହିଳା ମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ଦେବୁ, ବେରୋଜଗାରଙ୍କୁ ୩ ହଜାର ଟଙ୍କା, ଚାଷୀଙ୍କୁ ୩ ହଜାର ଟଙ୍କା, ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ୍, ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର, ଧାନର ଏମଏସପି ୩ ହଜାର ଟଙ୍କା କରିବୁ ବୋଲି କହିଛନ୍ତି ରାହୁଲ ।

ସେହିଭଳି ଦିଲ୍ଲୀରେ କଂଗ୍ରେସ ସରକାର ହେଲେ ୫ ଐତିହାସିକ କାମ କରିବୁ ଯାହାର କେହି କେବେ କଳ୍ପନା ମଧ୍ୟ କରିନଥିବେ । ନରେନ୍ଦ୍ର ମୋଦୀ ୧୬ ଲକ୍ଷ କୋଟି ୨୨ ଜଣଙ୍କୁ ଦେଇଛନ୍ତି । କଂଗ୍ରେସ ସରକାର ଆସିଲେ, ପ୍ରତ୍ୟେକ ଗରିବ ପରିବାରର ଜଣେ ମହିଳାଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କା ଦେବୁ । ପ୍ରତି ମାସରେ ବ୍ୟାଙ୍କ ଆକାଉଣ୍ଟକୁ ୮୫୦୦ ଟଙ୍କା ଦିଆଯିବ । ସେହିଭଳି ଶିକ୍ଷିତ ବେରୋଜଗାରୀଙ୍କୁ ଚାକିରି ଗ୍ୟାରେଣ୍ଟି ଦେବୁ । ପେହେଲି ନୌକରି ପକ୍କି ଯୋଜନାରେ ବେରୋଜଗାର ଯୁବକଙ୍କୁ ୧ ବର୍ଷ ପର୍ଯ୍ୟନ୍ତ ଚାକିରି ଗ୍ୟାରେଣ୍ଟି ଦେବୁ । ସରକାରୀ, ପିଏସୟୁ ଭଳି ସଂସ୍ଥାରେ ୧ ବର୍ଷ ପର୍ଯ୍ୟନ୍ତ ଚାକିରି, ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଦିଆଯିବ । ମୋଦୀ ସରକାର ୨୨ ଜଣଙ୍କୁ କୋଟିପତି କରିଛନ୍ତି, କଂଗ୍ରେସ ସରକାର ଆସିଲେ, କୋଟି କୋଟି ଲୋକଙ୍କୁ ଲକ୍ଷପତି ବନାଇବୁ ।

ଉଭୟ ରାଜ୍ୟ ଓ କେନ୍ଦ୍ରରେ କଂଗ୍ରେସ ସରକାର ଗଢିଲେ ମହିଳାଙ୍କୁ ବାର୍ଷିକ ୧ ଲକ୍ଷ ୨୪ ହଜାର ଟଙ୍କା ମିଳିବ । ଆଉ ତାହା ବି ସିଧାସଳଖ ବ୍ୟାଙ୍କ ଆକାଉଣ୍ଟ ଜରିଆରେ । ଗରିବ ଓ ଚାଷୀଙ୍କ ସରକାର ଅଥାର୍ତ କଂଗ୍ରେସ ସରକାର ଆଣନ୍ତୁ । ଚାଷୀଙ୍କ ଋଣ ଛାଡ କରିବ କଂଗ୍ରେସ ସରକାର । ଯେତେବେଳେ ଚାଷୀଙ୍କୁ ଋଣ ଛାଡର ଆବଶ୍ୟକତା ରହିବ ତାହା କଂଗ୍ରେସ କରିବ । ସେହିଭଳି ଆଶା ଓ ଅଙ୍ଗନୱାଡିଙ୍କ ଆୟ ୨ ଗୁଣ, ମନେରଗା ଶ୍ରମିକଙ୍କ ପାରିଶ୍ରମିକ ଦୈନିକ ୪ ଶହ ଟଙ୍କା ମିଳିବ । ସେହିଭଳି ଉଦ୍ୟୋଗପତିଙ୍କୁ ଦିଆଯାଇଥିବା ଆଦିବାସୀଙ୍କ ଜମି ଫେରାଇ ଆଣିବୁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।