ପିପିଲି ଲଢ଼େଇ ପାଇଁ ରାଜନୈତିକ ଦଳ ବନାଇଲେ ବ୍ଲୁ-ପ୍ରିଂଟ । ବିଜେଡି ପ୍ରଚାରର ମଙ୍ଗ ଧରିବେ ନବୀନ । ବିଜେପି ପାଇଁ ମଇଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର ।

ଗାଁ ଗାଁ ଜଗି ରହି ଭୋଟରଙ୍କୁ ପ୍ରଭାବିତ କରିବାକୁ ପ୍ରସ୍ତୁତ ହେଲା ରଣନୀତି

109

କନକ ବ୍ୟୁରୋ: ନିର୍ବାଚନ ଯେତିକି ପାଖଉଛି, ପିପିଲି ରାଜନୀତି ସେତିକି ଉଷୁମ ହେବାରେ ଲାଗିଛି । ମୁକାବିଲାର ଏହି ମଇଦାନରେ ସାମିଲ ହେବାକୁ ଯାଉଛନ୍ତି ହେଭିୱେଟ୍ ନେତା । ତେବେ ପ୍ରଚାରରେ ସବୁଠୁ ଆଗରେ ଥିବା ବିଜେଡି, ପିପିଲି ଗଡ଼ ରକ୍ଷା କରିବା ପାଇଁ ପ୍ରସ୍ତୁତ କରିଛି ସୁପରପ୍ଲାନ୍ । ଦଳୀୟ ପ୍ରାର୍ଥୀ ରୁଦ୍ର ମହାରଥୀଙ୍କୁ ଜିତାଇବା ପାଇଁ ଦଳର ବରିଷ୍ଠ ଚେହେରା ପ୍ରତାପ ଦେବ, ମହେଶ୍ୱର ମହାନ୍ତି, ସଂଜୟ ଦାସବର୍ମା, ଦେବୀ ମିଶ୍ରକୁ ଦଳର ସୁପ୍ରିମୋ ଦାୟିତ୍ୱ ଦେଇଛନ୍ତି ।

ପିିପିଲିକୁ ୩ ଭାଗରେ ବିଭକ୍ତ କରି ବିଧାୟକ ଓ ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି । ପିପିଲି ବ୍ଲକ ପାଇଁ ମନ୍ତ୍ରୀ ସମୀର ଦାଶ, ଅତନୁ ସବ୍ୟସାଚୀ ଏବଂ ଡେଲାଙ୍ଗ ବ୍ଲକ ଦାୟିତ୍ୱରେ ରହିଛନ୍ତି ମନ୍ତ୍ରୀ ନବ ଦାସ ଓ ସୁଶାନ୍ତ ସିଂହ, ବିଧାୟକ ଉମା ସାମନ୍ତରାୟ । ସେହିପରି ପିପିଲି ଏନଏସି ସମ୍ଭାଳିବେ ସୁଧୀର ସାମଲଙ୍କ ସହ କିଛି ଯୁବ ଓ ଛାତ୍ର ନେତା । ଉପ ନିର୍ବାଚନର ଜିତାପଟ ପାଇଁ କୌଣସି ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନି ବିଜେଡି ।

ଏପଟେ ବିଜେଡିକୁ କଡ଼ା ଟକ୍କର ଦେବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ବିଜେପି । ଯେହେତୁ ଗତ ନିର୍ବାଚନରେ ଦଳ ୭୨ ହଜାରରୁ ଅଧିକ ଭୋଟ ପାଇଥିଲା, ଏଥର ଏହାକୁ ବିଜୟରେ ପରିଣତ କରିବାକୁ ଜୋରଦାର କସରତ କରୁଛି ବିଜେପି । ଆଉ ଏସବୁ ଭିତରେ ସବୁ ହେଭିୱେଟ ନେତାଙ୍କୁ ନେଇ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି ଦଳ ।

ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ଜିତାଇବା ପାଇଁ ପ୍ରଚାର ମଇଦାନକୁ ୨ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ । ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ସାଂସଦ ଅପରାଜିତା ଷଡ଼ଙ୍ଗୀ, କେ.ଭି ସିଂହଦେଓ, ସୁରେଶ ପୂଜାରୀ, ଜୁଏଲ ଓରାମଙ୍କ ସହ ୩୦ ଜଣଙ୍କୁ ଷ୍ଟାର ପ୍ରଚାରକ କରିଛି ଦଳ । ବରିଷ୍ଠ ନେତା ବିଜୟ ମହାପାତ୍ର ଓ ସିନେ ତାରକାରୁ ବିଜେପି ନେତା ପାଲଟିଥିବା ପିଙ୍କି ପ୍ରଧାନ, ଶ୍ରୀତମ ଦାସ, ଅନୁ ଚୌଧୁରୀ, ହରିହର ମହାପାତ୍ର ମଧ୍ୟ ଆଶ୍ରିତଙ୍କ ପାଇଁ ପ୍ରଚାର କରିବେ।

ଅନ୍ୟପଟେ ବିଜେପୁର, ତିର୍ତୋଲ, ବାଲେଶ୍ୱର ଉପନିର୍ବାଚନରେ ବେଶ ପଛରେ ପଡିଥିବା କଂଗ୍ରେସ, ଦଳୀୟ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସପକ୍ଷରେ ପ୍ରଚାରକୁ ଜୋରଦାର କରିବାକୁ ଅଂଟା ଭିଡିଛି ଦଳ । ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଇନଥିଲେ ବି ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ନେତୃତ୍ୱରେ ମାନସ ମନ୍ଥନ ହେବା ସହିତ ଦଳର ପ୍ରମୁଖ ନେତା ପ୍ରଚାରରେ ସାମିଲ ହେବେ ବୋଲି ଜଣାପଡିଛି । ଦଳର ପ୍ରଭାରୀ ଚେଲ୍ଲା କୁମାର ଓ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ସମେତ ସୁରେଶ ରାଉତରାୟ, ତାରା ବାହିନୀପତି, ଚିରଂଜୀବ ବିଶ୍ୱାଳ ପ୍ରମୁଖ ପ୍ରଚାରକୁ ଜୋରଦାର କରିବେ ।