ପଶ୍ଚିମବଙ୍ଗ ନନ୍ଦିଗ୍ରାମରେ ବୁଥ ଜଗିଲେ ମମତା । ଫୋନରେ ରାଜ୍ୟପାଳଙ୍କୁ କଲେ ଅଭିଯୋଗ । କହିଲେ, ସ୍ଥାନୀୟ ବାସିନ୍ଦାଙ୍କୁ ଭୋଟ ଦେବାକୁ ଦିଆଯାଉନାହିଁ ।

ମମତାଙ୍କୁ ମୋଦୀଙ୍କ କଟାକ୍ଷ, ଅନ୍ୟ ନିର୍ବାଚନମଣ୍ଡଳୀରୁ ନାମାଙ୍କନ ଭରିବେ କି ଦିଦି ?

141

କନକ ବ୍ୟୁରୋ: ଭାରତୀୟ ନିର୍ବାଚନୀ ଇତିହାସରେ ଏମିତି ଦୃଶ୍ୟ ବହୁତ କମ୍ ଦେଖିବାକୁ ମିଳେ, ଯେତେବେଳେ ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ, ନିର୍ବାଚନ ଚାଲିଥିବା ସମୟରେ ମତଦାନ କେନ୍ଦ୍ରକୁ ଯାଇ, ନିର୍ବାଚନୀ ପ୍ରକ୍ରିୟାରେ ଅନିୟମିତତା ହେଉଥିବା ଅଭିଯୋଗ କରନ୍ତି । ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ଏକ ପୁଲିଂ ବୁଥରେ ପହଂଚିଥିଲେ ଟିଏମସି ନେତ୍ରୀ ମମତା ବାନାର୍ଜୀ । ଆଉ ମତଦାନ କେନ୍ଦ୍ରରୁ ସିଧାସଳଖ ରାଜ୍ୟପାଳଙ୍କୁ ଫୋନ୍ କରି କେମିତି ଭୋଟିଂରେ ଅନିୟମିତତା ହେଉଛି ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି, ସକାଳୁ ସେ ବିଭିନ୍ନ ବୁଥ୍ ବୁଲିଂ ମତଦାନକୁ ଅନୁଧ୍ୟାନ କରୁଛନ୍ତି । ସ୍ଥାନୀୟ ଲୋକଙ୍କୁ ଭୋଟ୍ ଦେବାକୁ ଦିଆଯାଉନାହିଁ । ରାଜ୍ୟପାଳ ମହୋଦୟ ଅନୁରୋଧ, ଏହା ଉପରେ ଦୃଷ୍ଟି ଦିଅନ୍ତୁ । କେବଳ ସେତିକି ନୁହେଁ, ପୋଲିଂ ବୁଥ ସାମ୍ନାରେ ମଧ୍ୟ ନିର୍ବାଚନ କମିଶନଙ୍କ ଉପରେ ବର୍ଷିଥିଲେ ମମତା ବାନାର୍ଜୀ । ଅନ୍ୟପଟେ ମମତାଙ୍କ ଫୋନ୍ କଲ୍ ପାଇବା ପରେ ଏନେଇ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ । ନିର୍ବାଚନ ସମୟରେ ସମସ୍ତ ନିୟମର ପାଳନ ହେବ ବୋଲି ପ୍ରତିଶ୍ରୁତି ଦେବା ସହ ନିର୍ବାଚନୀ ପ୍ରକ୍ରିୟାକୁ ଗମ୍ଭୀରତାର ସହ ନିଆଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

ନିର୍ବାଚନ ଚାଲିଥିବା ବେଳେ ଅଣ-ବିଜେପି ଦଳର ନେତାଙ୍କୁ ଏକାଠି ହେବାକୁ ଆହ୍ୱାନ୍ ଦେବାର ଠିକ୍ ଗୋଟିଏ ଦିନ ପରେ ପୁଲିଂ ବୁଥରୁ ରାଜ୍ୟପାଳଙ୍କୁ ଫୋନ୍ କରିବା, ହୁଏତ ମମତାଙ୍କ ବ୍ୟଗ୍ରତାକୁ ପ୍ରକାଶ କରୁଛି । ଗୋଟିଏ ପଟେ ନିର୍ବାଚନ ଜିତିବୁ ବୋଲି ଦାବି କରୁଥିବା ମମତା, ଆଉ ଗୋଟିଏ ପଟେ ଭିକଟିମ୍ କାର୍ଡ ଖେଳିବାର ଏକାଧିକ ଚିତ୍ର ସାମ୍ନାକୁ ଆସିଛି । ଏପଟେ ଦ୍ୱିତୀୟ ପର୍ଯ୍ୟୟ ନିର୍ବାଚନକୁ ନେଇ ପଶ୍ଚିମବଙ୍ଗଙ୍କୁ ନେଇ ଏକାଧିକ ସ୍ଥାନରୁ ହିଂସାର ଚିତ୍ର ସାମ୍ନାକୁ ଆସିଥିବା ବେଳେ ନନ୍ଦିଗ୍ରାମ ଲଢ଼େଇକୁ ନେଇ ଟିଏମସି ଓ ବିଜେପି ନେତା ମୁହାଁମୁହିଁ ହୋଇଛନ୍ତି । କେଶପୁର ନିକଟରେ ବିଜେପିର ପୋଲିଂ ଏଜେଂଟଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ମମତାଙ୍କ ବିରୁଦ୍ଧରେ ଲଢୁଥିବା ଶୁଭେନ୍ଦୁଙ୍କ ଗାଡ଼ିକୁ ମଧ୍ୟ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।

ବିଜେପି ବାହାର ଲୋକଙ୍କ ଦ୍ୱାରା ନିର୍ବାଚନକୁ ପ୍ରଭାବିତ କରୁଥିବା ମମତା ବାନାର୍ଜୀ ଅଭିଯୋଗ କରୁଥିବା ବେଳେ ଏପଟେ ସିଧାସଳଖ ମମତାଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ । ଏକ ନିର୍ବାଚନୀ ସଭାରେ ନରେନ୍ଦ୍ର ମୋଦି ମମତାଙ୍କୁ ଟାର୍ଗେଟ୍ କରି ପ୍ରଶ୍ନ କରିଛନ୍ତି- କ’ଣ ଏହା ସତ ଯେ, ମମତା ଆଉ ଏକ ନିର୍ବାଚନ ମଣ୍ଡଳୀରୁ ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି । ରାଜନୀତିର ଏହି ବୟାନବାଜୀ ଭିତରେ ପଶ୍ଚିମବଙ୍ଗ ନିର୍ବାଚନର ଫଳାଫଳ କ’ଣ ହେବ ତାକୁ ନେଇ ଆକଳନ କରିବା ହୁଏତ କଷ୍ଟକର । କିନ୍ତୁ ନନ୍ଦିଗ୍ରାମ ଫଳାଫଳ ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ଧରଣର ପରିର୍ବତନ ଆଣିବ । କାରଣ, ମମତା ବାନାର୍ଜୀ ଓ ଶୁଭେନ୍ଦୁ ଅଧିକାରୀ, ଯିଏ ବି ଜିତନ୍ତୁ, ମୁକାବିଲା କିନ୍ତୁ କଡ଼ାକଡ଼ି ହୋଇଛି ।