ତତଲା ତାଓ୍ୱାରେ ଭାଜି ହେଲା ଓଡିଶା । ଆଜି ବି ନାଲିଆଖି ଦେଖାଇଲା ତାତି । ୧୫ ସହରର ପାରଦ ୪୦ ଡିଗ୍ରୀ ପାର୍ ।

233

କନକ ବ୍ୟୁରୋ: ଫୁଟୁଛି ଓଡିଶା । ତତଲା ତାତିରେ ଭାଜି ହେଉଛି ସାରା ଓଡିଶା । ମୁଣ୍ଡଫଟା ଖରା, ଅସହ୍ୟ ଗରମ ପାଇଁ ଘରୁ ଗୋଡ କାଢିବା ବି ମୁସ୍କିଲ ହୋଇଯାଉଛି । ଆଉ ୟାରି ଭିତରେ ପୁଣି ନାଲିଆଖି ଦେଖାଇଛି ତାତି । ଆଜି ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୧୫ ସହରର ପାରଦ । ଅନୁଗୁଳ ଏବଂ ତାଲଚେର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ବିବେଚିତ ହୋଇଛି । ଅନୁଗୁଳ, ତାଲଚେରର ତାପମାତ୍ର ୪୨.୭ ଡିଗ୍ରୀ ରହିଛି ।

ସେହିପରି ଟିଟିଲାଗଡ, ପାରଳାଖେମୁଣ୍ଡି, ବାରିପଦା ତାପମାତ୍ରା ୪୨.୨ ଡିଗ୍ରୀ ଥିବାବେଳେ ବୌଦ୍ଧ ଓ ମାଲକାନଗିରିର ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଛି । ନୟାଗଡ- ୪୧.୭, ସୁନ୍ଦରଗଡ- ୪୧.୫, ସମ୍ବଲପୁର- ୪୧.୪ ଡିଗ୍ରୀ, କଟକ ୩୯.୨ ଡିଗ୍ରୀ, ଭୁବନେଶ୍ୱର ୩୯.୮ ଡିଗ୍ରୀ ରହିଛି ।

ସେପଟେ ଖରାକୁ ଦେଖି ୧୬ ଜିଲ୍ଲାକୁ ହିଟୱେଭ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ନୟାଗଡ, ବୌଦ୍ଧ, ସୋନପୁର, ବଲାଙ୍ଗିର, ନୂଆପଡା, କନ୍ଧମାଳ, କେନ୍ଦୁଝର, ମୟୁରଭଞ୍ଜ, ଦେବଗଡ, ସମ୍ବଲପୁର, ଅନୁଗୁଳ ଓ ଢେଙ୍କାନାଳକୁ ସତର୍କ କରାଯାଇଛି । ତେବେ ଆଶ୍ୱସ୍ତିର କଥା ହେଲା, ଆସନ୍ତାକାଲିଠାôରୁ ଦିନର ତାପମାତ୍ରା ୩ରୁ ୪ ଡିଗ୍ରୀ କମିବା ସମ୍ଭାବନା ରହିଛି । କିଛି ସ୍ଥାନରେ ଘୂର୍ଣ୍ଣିଝଡ ସହ ବଜ୍ରପାତ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।