ଢିଙ୍କିଆରେ ପୁଲିସ ଗ୍ରାମବାସୀ ମୁହାଁମୁହିଁ: ପ୍ରକଳ୍ପ ପାଇଁ ଅଧିକୃତ ଜମିରୁ ପାନବରଜ ହଟାଇବା ବେଳେ ଉତେଜନା, ବିରୋଧ କରୁଥିବା ଗ୍ରାମବାସୀଙ୍କୁ ଲାଠିମାଡ

123

କନକ ବ୍ୟୁରୋ: ଢ଼ିଙ୍କିଆରେ ସରକାର ଅଧିଗ୍ରହଣ କରିଥିବା ଜମିରେ ଥିବା ପାନବରଜ ଭଙ୍ଗା କାର୍ଯ୍ୟ ପ୍ରଶାସନ ପକ୍ଷରୁ ଜାରି ରହିଛି । ଏହାକୁ ବିରୋଧ କରିବା ପାଇଁ ଢ଼ିଙ୍କିଆ ଫୁଲଖାଇ ମନ୍ଦିରରେ ଏକାଠି ହୋଇଥିଲେ ଶହ ଶହ ଗ୍ରାମାବାସୀ । ନିଷ୍ପତି ପରେ ପାନବରଜ ଆଡକୁ ଯାଇଥିଲେ ଗ୍ରାମବାସୀ । ଗାଁମୁଣ୍ଡରେ ସେମାନଙ୍କୁ ଅଟକାଇଥିଲା ପୋଲିସ । ପୋଲିସ ଗ୍ରାମବାସୀଙ୍କୁ ଅଟକାଇବାରୁ ଉତେଜନା ପ୍ରକାଶ ପାଇଥିଲା । ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ତାପରେ ପୋଲିସ ଆରମ୍ଭ କରି ଦେଇଥିଲା ଲାଠିଚାର୍ଜ ।

ପୋଲିସ ଲାଠିମାଡ କରିବା ପରେ ଛତ୍ରଭଙ୍ଗ ଦେଇଥିଲେ ଗ୍ରାମବାସୀ । ଏହି ସମୟରେ ପୋଲିସ ହାବୁଡରେ ଯିଏ ପଡିଗଲା କଥା ସରିଲା । ତଳେ ପକାଇ ନିସ୍ତୁକ ପିଟିଥିଲେ । ଏଥିରୁ ପିଲା, ବୟସ୍କ ମହିଳା କେହି ବି ଛାଡ ପାଇନଥିଲେ । ପୋଲିସ ମାଡରେ ଏକାଧିକ ଗ୍ରାମବାସୀ ଆହତ ହୋଇଛନ୍ତି । ଗୁରୁତର ମାନଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି ।

ଗ୍ରାମବାସୀଙ୍କ ଆକ୍ରମଣରେ ପୋଲିସ କର୍ମଚାରୀ ଆହତ ହୋଇଥିବା ଅଭିଯୋଗ ହୋଇଛି । ଗ୍ରାମବାସୀମାନେ ପ୍ରଥମେ ଆକ୍ରମଣ କରିବାରୁ ପୋଲିସ ବାଧ୍ୟ ହୋଇ ଲାଠିଚାର୍ଜ କରିଥିଲେ ବୋଲି କହିଛନ୍ତିି ପୋଲିସ ଏସପି ।

ପୋଲିସର ଲାଠିମାଡ ପରେ ଖାଲି ହୋଇଯାଇଛି ଢିଙ୍କିଆ ଗାଁ । ଗିରଫ ଭୟରେ ଗାଁରେ ତାଟି କବାଟ ପଡ଼ିଥିବା ବେଳେ ପୁରୁଷ ଶୁନ୍ୟ ହୋଇପଡ଼ିଛି । ଆନ୍ଦୋଳନର ନେତୃତ୍ୱ ନେଇଥିବା ଦେବେନ୍ଦ୍ର ସ୍ୱାଇଁଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ପୋଲିସ ।