ଜାନୁଆରୀ ଶେଷରେ ଓଡିଶାରେ ତୃତୀୟ ଲହର ପିକ୍: ଦୈନିକ ଚିହ୍ନଟ ହୋଇପାରନ୍ତି ୨୨ ରୁ ୨୫ ହଜାର ରୋଗୀ

226

କନକ ବ୍ୟୁରୋ: ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଓ ଇଣ୍ଡିଆନ୍ ଷ୍ଟାଟିଷ୍ଟିକାଲ ଇନ୍ଷ୍ଟିଚ୍ୟୁଟ୍ର ମଡେଲ କହୁଛି, ଜାନୁଆରୀ ଶେଷ ସପ୍ତାହରେ ଓଡ଼ିଶାରେ ଶୀର୍ଷ ଛୁଇଁପାରେ ସଂକ୍ରମଣ । ଆକଳନ ଅନୁସାରେ ଯଦି ୩୦ ପ୍ରତିଶତ ଲୋକ ସଂକ୍ରମଣ ପ୍ରବଣ ହୁଅନ୍ତି, ତେବେ ଦୈନିକ ସର୍ବାଧିକ ୧୦ ହଜାର ସଂକ୍ରମିତ ଚିହ୍ନଟ ହେବେ । ଯଦି ୬୦ ପ୍ରତିଶତ ଲୋକ ସଂକ୍ରମଣ ପ୍ରବଣ ହୁଅନ୍ତି, ତେବେ ଦୈନିକ ୧୫ ହଜାରରୁ ୨୦ ହଜାର ପଜିଟିଭ୍ ମାମଲା ଆସିବ । ଯଦି ସମସ୍ତ ଜନସଂଖ୍ୟା ବା ଶତ ପ୍ରତିଶତ ଲୋକ ସଂକ୍ରମଣ ପ୍ରବଣ ହୁଅନ୍ତି, ତେବେ ପ୍ରତିଦିନ ୨୨ ହଜାରରୁ ୨୫ ହଜାର ମାମଲା ଆସିପାରେ ।

ଆଇଆଇଏସ୍ସି-ଆଇଏସ୍ଆଇ ମଡେଲ୍ (ଓଡ଼ିଶା)
ସଂକ୍ରମଣ ପ୍ରବଣ ଦୈନିକ ମାମଲା
୩୦ ପ୍ରତିଶତ ୧୦,୦୦୦
୬୦ ପ୍ରତିଶତ ୧୫,୦୦୦-୨୦,୦୦୦
୧୦୦ ପ୍ରତିଶତ ୨୨,୦୦୦-୨୫,୦୦୦

ତେବେ ଜାନୁଆରୀ ଶେଷ ନୁହେଁ, ଆହୁରି ଶୀଘ୍ର ରାଜ୍ୟ ଦୈନିକ ସଂକ୍ରମଣ ୨୫ ହଜାର ଆସିପାରେ ବୋଲି ସତର୍କ କରାଇଛନ୍ତି ବରିଷ୍ଠ ଡାକ୍ତର ନୀରୋଜ ମିଶ୍ର । ସମସ୍ତଙ୍କୁ କରୋନା ହୋଇପାରେ, ତେବେ ଗୁରୁତର ହେଉନଥିବାରୁ ଭୟ ନକରି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।

ଗତ ୨ ଦିନ ହେଲା ରାଜ୍ୟରେ ୧୦ ହଜାର ଉପରେ ରହିଛି ଦୈନିକ ସଂକ୍ରମଣ । ଜାନୁଆରୀ ୧୨ ତାରିଖରୁ ସଂକ୍ରମଣ ହୁ ହୁ ବଢିବାରେ ଲାଗିଛି । ସଂକ୍ରମଣ ହାର ମଧ୍ୟ ବଢିଚାଲିଛି । ଆସନ୍ତା ସପ୍ତାହରେ ଦୈନିକ ସଂକ୍ରମଣ ଦ୍ୱିତୀୟ ଲହରର ଶୀର୍ଷ ଟପିଯିବା ନେଇ ଆକଳନ କରାଯାଉଛି ।

ଓଡ଼ିଶା କରୋନା ମିଟର
୧୪ ଜାନୁଆରୀ ୧୦,୨୭୩
୧୩ ଜାନୁଆରୀ ୧୦,୦୫୯
୧୨ ଜାନୁଆରୀ ୮,୭୭୮
୧୦ ଜାନୁଆରୀ ୪,୮୨୯
୭ ଜାନୁଆରୀ ୨,୭୦୩
୪ ଜାନୁଆରୀ ୬୪୦
୧ ଜାନୁଆରୀ ୨୯୮

ସକ୍ରିୟ ସଂକ୍ରମଣ ସଂଖ୍ୟା ଦ୍ରୁତ ବୃଦ୍ଧି ପାଉଛି । ୪ ଜିଲ୍ଲା ରେଡ୍ ଜୋନ୍ରେ ରହିଛନ୍ତି । ସେହିପରି ସଂକ୍ରମଣ ହାର ମଧ୍ୟ ବଢୁଚାଲିଛି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୭ ପ୍ରତିଶତ ଉପରେ ରହିଛି । ଦ୍ୱିତୀୟରେ ରହିଛି ସୁନ୍ଦରଗଡ଼ । ୧୫ଟି ଜିଲ୍ଲା ସଂକ୍ରମଣ ହାର ଦୃଷ୍ଟିରୁ ରେଡ୍ ଜୋନ୍ରେ ରହିଛନ୍ତି । ଏପଟେ ହସ୍ପିଟାଲରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି । ଅତି ଦରକାର ନଥିଲେ ହସ୍ପିଟାଲକୁ ନଆସିବା ପାଇଁ କୁହାଯାଇଛି । ଛୋଟ ସର୍ଜରୀକୁ ବନ୍ଦ କରାଯାଇଛି । ଟେଲିମେଡିସିନ୍ ଓ ଜରୁରୀକାଳୀନ ଚିକିତ୍ସାକୁ ପ୍ରାଥମିକତା ଦିଆଯାଇଛି ।

ଭୁବନେଶ୍ୱର ଏମ୍ସ, କଟକ ବଡ଼ ମେଡିକାଲ, କ୍ୟାପିଟାଲ୍ ହସ୍ପିଟାଲ୍ଠାରୁ ବୁର୍ଲାର ଭୀମସାର ପର୍ଯ୍ୟନ୍ତ ସବୁଠି ଅନେକ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଓ ମେଡିକାଲ ଛାତ୍ର ସଂକ୍ରମିତ ହେବା ପରେ ଚିନ୍ତା ବଢ଼ିଯାଇଛି । ତେଣୁ ଓପିଡି ଚିକିତ୍ସା ବାଧାପ୍ରାପ୍ତ ହେବା ସମ୍ମାବନା ସୃଷ୍ଟି ହୋଇଛି । ସେପଟେ ଗତ ୨୪ ଘଂଟାରେ ଦେଶରେ ୨,୬୪,୨୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଦିନକରେ ୩୧୫ ଜଣଙ୍କ ମୃତ୍ୟୁ ହୋଇଛି ।