‘ନ୍ୟାୟ ମିଳୁନି, ପୋଲିସ ଗୁଣ୍ଡାରାଜ କରୁଛି’ : ରୁଚିକାଙ୍କ ମାଆ

176

କନକ ବ୍ୟୁରୋ : ବିଜେବି କଲେଜ ଆଗରେ ଝିଅ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ଧାରଣାରେ ବସିଥିବା ମାଆଙ୍କୁ ଉଠାଇ ନେଇଛି ପୋଲିସ । ଆଜି ରୁଚିକାଙ୍କ ଦଶାହ ଥିବାରୁ କଲେଜ ଆଗରେ କର୍ମ ହେବା ପାଇଁ ସ୍ଥିର ହୋଇଥିଲା । ଏଥିପାଇଁ କଲେଜ ଆଗରେ ରୁଚିକାଙ୍କ ମାଆ ଓ ନବନିର୍ମାଣ ଯୁବ ଛାତ୍ର ସଙ୍ଗଠନର ସଦସ୍ୟ ଉପସ୍ଥିତ ଥିଲେ । କିନ୍ତୁ ଏକାଦଶାହ କର୍ମ ହେବା ପୂର୍ବରୂ ରୁଚିକାଙ୍କ ମାଆ ସମେତ ସମସ୍ତ ଆନ୍ଦୋଳନକାରୀଙ୍କୁ ପୁଲିସ୍ ଉଠାଇ ନେଇଛି । ଏ ନେଇ ରୁଚିକାଙ୍କ ମାଆ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏତେ ଦିନ ହେଲାଣି ଝିଅର ମୃତ୍ୟୁକୁ । ହେଲେ ପୋଲିସ ଆଜି ଯାଏଁ ନ୍ୟାୟ ଦେଇପାରୁନି, ଗୁଣ୍ଡାରାଜ କରୁଛି ।

ଝିଅକୁ ନ୍ୟାୟ ଦେବା ପାଇଁ ଧାରଣାରେ ବସିଥିବା ମାଆଙ୍କୁ ଘୋଷାଡି ଘୋଷାଡି ନେଉଥିଲେ ପୋଲିସ । ମାଆ ବାରମ୍ବାର ନ୍ୟାୟ ଦାବି କରୁଥିଲେ ବି ପୋଲିସ୍ କିନ୍ତୁ କିଛି ଶୁଣିନଥିଲା । ରୁଚିକାଙ୍କ ସମ୍ପର୍କୀୟ ଭାଇଙ୍କୁ ମଧ୍ୟ ଉଠାଇ ନେଇଛି ପୋଲିସ । ପୋଲିସ୍ କଲେଜ ଆଗରେ ହୋଇଥିବା ଟେଣ୍ଟକୁ ମଧ୍ୟ ଭାଙ୍ଗି ଦେଇଛି । ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ପୋଲିସର ଛାନ୍ଭିନ୍ ଦଶମ ଦିନରେ ପହଞ୍ଚିଛି । ମାତ୍ର ଏପର୍ଯ୍ୟନ୍ତ ପୋଲିସ ରାଗିଂ କରିଥିବା ୩ ସିନିୟର ଛାତ୍ରୀଙ୍କୁ ଚିହ୍ନଟ କରିପାରିନାହିଁ ।