ଇପିଏଫ୍ ପେନସନଧାରୀଙ୍କ ପାଇଁ ଖୁସି ଖବର । ଗୋଟିଏ ଦିନରେ ସମସ୍ତଙ୍କୁ ମିଳିବ ପେନସନ୍ । ଖୁବଶୀଘ୍ର ପାରିତ ହେବ ପ୍ରସ୍ତାବ ।

578

କନକ ବ୍ୟୁରୋ: ପେନସଧାରୀଙ୍କୁ ନିଜ ଜମାରାଶି ପାଇବାକୁ ଅପେକ୍ଷା କରିବାକୁ ପଡିବନି । ଆଗାମୀ ଦିନରେ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠିି ସଙ୍ଗଠନ ତଥା ଇପିଏଫ୍ ର ପେନସନଧାରୀ ଗୋଟିଏ ଦିନରେ ହିଁ ଏକାଠି ପେନସନ୍ ପାଇବେ । ଏଥିପାଇଁ କେନ୍ଦ୍ର ସରକାର ଏକ କେନ୍ଦ୍ରୀୟ ବ୍ୟବସ୍ଥା ବା ସେଣ୍ଟ୍ରାଲ ସିଷ୍ଟମ୍ ଆରମ୍ଭ କରିବେ । ସିବିଟି ବୈଠକରେ ନିଆଯିବ ଏହି ଚୂଡାନ୍ତ ନିଷ୍ପତ୍ତି । ଏହା ଲାଗୁ ହେଲେ ଦେଶର ୭୩ ଲକ୍ଷ ପେନସନଧାରୀଙ୍କୁ ଲାଭ ହେବ । ଏକାଦିନରେ ଏତେ ସଂଖ୍ୟକ କର୍ମଚାରୀ ପାଇବେ ପେନସନ୍ ।

କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି ବା ଇପିଏଫ୍ ନୂଆ କେନ୍ଦ୍ରୀୟ ପେନସନ୍ ବିତରଣ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି । ଏଥିପାଇଁ ପ୍ରସ୍ତାବ ଚଳିତ ମାସ ୨୯ ଓ ୩୦ ତାରିଖରେ ପାରିତ ହେବାକୁ ଯାଉଛି । ଇପିଏଫର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବା (ସିବିଟି) ବୈଠକରେ ଏହାକୁ ଅନୁମୋଦନ ମିଳିବ ବୋଲି ଆଶା କରାଯାଉଛି । ଏହି ବ୍ୟବସ୍ଥାର ପ୍ରତିଷ୍ଠା ହେଲେ ଦେଶରେ ୭୩ ଲକ୍ଷ ପେନସନଭୋଗୀଙ୍କ ଆକାଉଣ୍ଟକୁ ଏକାଥରକେ ଗୋଟିଏ ଦିନରେ ହିଁ ପେନସନ୍ ଟ୍ରାନ୍ସଫର କରାଯାଇପାରିବ ।

ପ୍ରଚିଳିତ ବ୍ୟବସ୍ଥାରେ ଇପିଏଫ୍ ପେନସନଧାରୀମାନେ ଭିନ୍ନ ଭିନ୍ନ ଦିନ ଏବଂ ବିଭିନ୍ନ ସମୟରେ ପେନସନ୍ ପାଇଥାନ୍ତି । ସିବିଟି ବୈଠକରେ କେନ୍ଦ୍ରୀୟ ପେନସନ୍ ବଣ୍ଟନ ବ୍ୟବସ୍ଥା ଗଠନ ପାଇଁ ଏକ ପ୍ରସ୍ତାବ ଦିଆଯିବ । ଏହି ବ୍ୟବସ୍ଥା ଆରମ୍ଭ କରାଯିବା ପରେ ଦେଶର ୧୩୮ ଆଞ୍ଚଳିକ କାର୍ଯ୍ୟାଳୟର ଡାଟାବେସ୍ ଆଧାରରେ ପେନସନ୍ ଦିଆଯିବ ।

ରିପୋର୍ଟ ଅନୁସାରେ ପେନସନ୍ ଉଠାଣ ଲାଗି ଥିବା ସର୍ବନିମ୍ନ ସମୟସୀମାକୁ ୬ ମାସରୁ କମାଇବାକୁ ଏକ ପ୍ରସ୍ତାବ ମଧ୍ୟ ଏହି ବୈଠକରେ ଉପସ୍ଥାପିତ ହେବ । ଏହାର ଅର୍ଥ ଯଦିଓ ଜଣେ କର୍ମଚାରୀ ତାଙ୍କର ଭବିଷ୍ୟନିଧି ପାଣ୍ଠିରେ ୬ ମାସରୁ କମ୍ ଅର୍ଥ ଯୋଗଦାନ ରଖିଛନ୍ତି ତଥାପି ସେ ତାଙ୍କ ଜମାଟଙ୍କା ପ୍ରତ୍ୟାହାର କରିପାରିବେ । ପ୍ରଚଳିତ ନିୟମ ଅନୁଯାୟୀ, କର୍ମଚାରୀଙ୍କୁ ପେନସନରୁ ଟଙ୍କା ଉଠାଇବା ପାଇଁ ୬ ମାସରୁ ୧୦ ବର୍ଷ ଯାଏଁ ଅର୍ଥ ଯୋଗଦାନ ଦେବାକୁ ପଡିବ । ୨୦୨୧ ନଭେମ୍ବର ୨୦ରେ ଅନୁଷ୍ଠିତ ସିବିଟିର ୨୨୯ ତମ ବୈଠକରେ ଟ୍ରଷ୍ଟିମାନେ ଏକ କେନ୍ଦ୍ରୀଭୂତ ଆଇଟି ଆଧାରିତ ବ୍ୟବସ୍ଥାର ବିକାଶ ପାଇଁ ପ୍ରସ୍ତାବକୁ ଅନୁମୋଦନ କରିଥିଲେ । ବୈଠକ ପରେ ଶ୍ରମ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ଏହାପରେ ଆଞ୍ଚଳିକ କାର୍ଯ୍ୟାଳୟଗୁଡିକର ବିବରଣୀ ଗୁଡିକ ପର୍ଯ୍ୟାୟକ୍ରମେ କେନ୍ଦ୍ରୀୟ ଡାଟାବେସକୁ ସ୍ଥାନାନ୍ତର କରାଯିବ । ଏହା ସେବା ପରିଚାଳନା ଏବଂ ଯୋଗାଣକୁ ସହଜ କରିବ ।

ସୂଚନା ମୁତାବକ, ୨-୨୧-୨୨ ଆର୍ଥିକ ବର୍ଷ ପାଇଁ ଇପିଏଫଓ ୮.୧ ପ୍ରତିଶତ ସୁଧହାର ସ୍ଥିର କରିଛି, ଯାହା ବିଗତ ୧୦ ବର୍ଷ ମଧ୍ୟରେ ସର୍ବନିମ୍ନ ଥଲା । ଏହି କାରଣରୁ ଗତ ଆର୍ଥିକ ବର୍ଷରେ କର୍ମଚାରୀମାନେ ୮.୫ ପ୍ରତିଶତ ହାରରେ ସୁଧ ପାଇଥିଲେ ।

ତେବେ ଅର୍ଥମନ୍ତ୍ରଣାଳୟ ଏପରି ଯୋଜନା ପରେ କର୍ମଚାରୀମାନେ ବେଶ୍ ଉପକୃତ ହେବେ, ଏବଂ ଚାକିରୀ ଶେଷ ପରେ ସେମାନଙ୍କ ଜୀବନ ସୁଖଦ ଓ ସୁରକ୍ଷିତ ହୋଇପାରିବ ବୋଲି ଆଶା କରାଯାଉଛି ।