ପୋଲିସ କରୁଛି ପୋଲିସର ତଦନ୍ତ: ୭ ଦିନ ବିତିଯାଇଥିଲେ ବି ଆଗକୁ ବଢୁନି ତଦନ୍ତ

62

କନକ ବ୍ୟୁରୋ: କଂଟାବାଞ୍ଜି ଅଂଚଳର ଦାଦନ ଦଲାଲଙ୍କ ନିକଟରୁୁ ଜବତ ହୋଇଥିବା ଟଙ୍କା ହିସାବରେ ତାଳମେଳ ନରହିବା ମାମଲାର ତଦନ୍ତ କରୁଛି ବଲାଙ୍ଗୀର ପୋଲିସ । ହୋଟେଲରେ ଚଢ଼ାଉ ଦିନ ପୋଲିସ ଦେଇଥିବା ହିସାବ ଓ ପରବର୍ତି ସମୟରେ ଦେଖାଇଥିବା ଟଙ୍କା ଭିତରେ ପାର୍ଥକ୍ୟ ଥିବା କଥାକୁ ସ୍ୱୀକାର କରିଥିଲେ ନିଜେ ବଲାଙ୍ଗୀର ଏସପି । ତାପରେ ଏକ ସ୍ୱତନ୍ତ୍ର ଟିମ୍ କରି ତଦନ୍ତ ଚଳାଇଛନ୍ତିି । ହେଲେ, ଯେଉଁ ପୋଲିସ ନିଜେ ଜବତ ଟଙ୍କାର ହିସାବକୁ ଗଡବଡ କରିଛି ସେହି ପୋଲିସ ତଦନ୍ତ କଲେ, ସତ କେମିତି ଧରାପଡିବ ବୋଲି ବଲାଙ୍ଗୀର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନ ଉଠାଇଛନ୍ତି ।

ଜବତ ଟଙ୍କାର ହିସାବକୁ ଏସ୍ଡିପିଓ ହୃଷିକେଶ ମେହେରଙ୍କୁ ଅଂଗୁଳି ନିର୍ଦ୍ଦେଶ କରିଛି ବଲାଙ୍ଗୀର ପୋଲିସ । ବିବାଦ ପରେ ତାଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ଗତ ୨୬ତାରିଖରେ ହୋଇଥିବା ବଦଳି ତାଲିକାରେ ରହିଥିଲା ହୃଷିକେଶ ମେହେରଙ୍କ ନାଁ । କିନ୍ତୁ, ତାଙ୍କର ବଦଳି ଅଚାନକ ଅଟକି ଯାଇଥିଲା ।

ହୃଷିକେଶ ମେହେରଙ୍କ ବଦଳରେ ଯେଉଁ ଅଧିକାରୀ କଂଟାବାଂଝିରେ ଯୋଗ ଦେବା କଥା ତାଙ୍କ ବଦଳିକୁ ଅଟକାଇ ଦିଆଯାଇଥିଲା । । ତେବେ ଏସଡିପିଓଙ୍କ ବଦଳିକୁ କିଏ ଅଟକାଇଥିଲା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଘଟଣାକୁ ୭ଦିନ ପୂରି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସର ମନ୍ଥର ତଦନ୍ତକୁ ନେଇ ସାଧାରଣରେ ପ୍ରଶ୍ନଉଠୁଛି ।

ଦାଦନ ଚାଲାଣର ତଥ୍ୟ ସାମନାକୁ ଆସିବା ପରେ କଂଟାବାଂଝିରେ ବନମାଳି ହୋଟେଲରେ ଦାଦନ ସର୍ଦାର ମାନେ ଏକାଠି ହୋଇ ବୈଠକ କରିଛନ୍ତି । ଯାହା ପୋଲିସର ତଦନ୍ତ ଉପରେ ସନ୍ଦେହ ସୃଷ୍ଟି ହୋଇଛି । ଏବେ ପ୍ରଶ୍ନ ଉଠୁଛି, ଏସଡିପିଓଙ୍କ କାନ୍ଧରେ ବନ୍ଧୁକ ରଖି ସବୁଠୁ ବଡ ମଣିଷ ଚାଲାଣର ସତକୁ ଚପେଇ ଦେବାକୁ ଉଦ୍ୟମ ହେଉଛିି କି?