ଉଦଘାଟିତ ହେବ ନୂଆ ସଂସଦ ଭବନ : ମଧ୍ୟାହ୍ନ ୧୨ଟାରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ; ସାମିଲ ହେବେ ୨୫ ଦଳର ନେତା, ବର୍ଜନ କରିବେ ୨୧ ଦଳ

153

କନକ ବ୍ୟୁରୋ : ଆଜି ନୂଆ ସଂସଦ ଭବନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉଦଘାଟନ ସମାରୋହରେ ବରିଷ୍ଠ ମନ୍ତ୍ରୀଙ୍କ, ୨୫ ରାଜନୈତିକ ଦଳର ସଦସ୍ୟ ଏବଂ ଧାର୍ମିକ ନେତାଙ୍କ ନେତାଙ୍କ ସମେତ ମାନ୍ୟଗଣ ବ୍ୟକ୍ତି ସାମିଲ ହେବେ । ଉଦଘାଟନ ସମାରୋହକୁ ଐତିହାସିକ କରିବା ପାଇଁ ପାରମ୍ପରିକ ବୈଦିକ ରୀତିନୀତି ଅନୁସାରେ ସମ୍ପନ୍ନ କରାଯିବ । ପୂଜା ଓ ଯଜ୍ଞରୁ ଆରମ୍ଭ ହେବ ଉଦଘାଟନ ସମାରୋହ ।

ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଲୋକସଭା କକ୍ଷରେ ଆନୁଷ୍ଠାନିକ ଭାବେ ଏହାର ଉଦଘାଟନ କରିବେ । ଏଠାରେ ଶୈବ ସମ୍ପ୍ରଦାୟର ପଣ୍ଡିତ ମୋଦୀଙ୍କୁ ରାଜଦଣ୍ଡ ସେନଗୋଲ ପ୍ରଦାନ କରିବେ । ସେନଗୋଲକୁ ନୂଆ ସଂସଦ ଭବନରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ପାଶ୍ୱର୍ରେ ରଖାଯିବ । ପିଏମ ମୋଦୀ କହିଛନ୍ତି ଯେ ନୂଆ ସଂସଦ ଭବନ ପ୍ରତିଟି ଭାରତୀୟଙ୍କୁ ଗୌରବାନ୍ୱିତ କରିବ । ଉଦଘାଟନୀ ସମାରୋହକୁ ଭବ୍ୟ କରିବା ପାଇଁ ସରକାରଙ୍କ ପକ୍ଷରୁ ପୂରା ପ୍ରସ୍ତୁତି କରାଯାଇଛି । ଦେଶ ବିରୋଧୀ, ପ୍ରଧାନମନ୍ତ୍ରୀ ବିରୋଧୀ ସ୍ଲୋଗାନ ସଂସଦ ଭବନ ପାଚେରୀରେ ଲେଖାଯିବାର ଆଶଙ୍କା ଥିବା ଗୁଇନ୍ଦା ସୂଚନା ମିଳିଥିବାରୁ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

୭୦ ଜଣ ସୁରକ୍ଷା କର୍ମୀଙ୍କୁ ସଂସଦ ଭବନ ଚାରିପଟେ ମୁତୟନ କରାଯାଇଛି । ନୂଆ ସଂସଦ ଭବନ ନିର୍ମାଣ ପାଇଁ ୯୭୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ନୂଆ ସଂସଦ ଭବନରେ ଲୋକସଭା ହଲର କ୍ଷମତା ୮୮୮ ରହିଥିବାବେଳେ ରାଜ୍ୟସଭା ହଲର କ୍ଷମତା ରହିଛି ୩୦୦ । ୬୫ ହଜାର ବର୍ଗମିଟରରେ ତିଆରି ହୋଇଛି ନୂଆ ସଂସଦ ଭବନ । ଏଠାରେ ଲୋକସଭା ହଲରେ ବସିପାରିବ ଯୁଗ୍ମ ଅଧିବେଶନ । ସଂସଦୀୟ ଗୃହରେ ଭାରତୀୟ କଳା ଓ ସଂସ୍କୃତିର ଝଲକ ଅତ୍ୟାଧୁନିକ ଯୋଗାଯୋଗ ସୁବିଧା ଓ ସେବା ରହିଛି । ଅଡିଓ-ଭିଜୁଆଲ ଟେକ୍ନୋଲୋଜିର ସୁବିଧା ରହିଛି ଅତ୍ୟାଧୁନିକ ପାଠାଗାର ବ୍ୟବସ୍ଥା ରହିଛି ।

ଉଦଘାଟନୀ ସମାରୋହର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ

ସକାଳ ୭ଟା ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜୟ ଚୌକରେ ପହଂଚିବେ
ସାଢ଼େ ୭ଟାରେ ଗାନ୍ଧୀ ପ୍ରତିମୂର୍ତ୍ତିଙ୍କ ନିକଟରେ ଥିବା ପେଣ୍ଡାଲରେ ପୂଜାର୍ଚ୍ଚନା ଆରମ୍ଭ ହେବ
ସକାଳ ୭.୩୦ରୁ ୮.୩୦ ଯାଏ ହେବ ପୂଜା ଓ ଯଜ୍ଞ ହେବ
ସାଢ଼େ ୮ଟାରେ ପ୍ରଧାନମନ୍ତ୍ରୀ ଅନ୍ୟ ମାନ୍ୟଗଣ ବ୍ୟକ୍ତିଙ୍କ ସହ ଚାମ୍ବର ଗସ୍ତ କରିବେ
୮ଟା ୩୫ରୁ ୯ଟା ପର୍ଯ୍ୟନ୍ତ ଲୋକସଭା ଚାମ୍ବର ଭିତରେ କାର୍ଯ୍ୟକ୍ରମ
୯ଟାରୁ ସାଢ଼େ ୯ଟା ଯାଏଁ ଲବିରେ ପ୍ରାର୍ଥନା ସଭା
ସାଢ଼େ ୯ଟାରୁ ପ୍ରଧାନମନ୍ତ୍ରୀ ଚାମ୍ବରରୁ ବାହାରକୁ ଆସିବେ
୧୨ଟାରୁ ଜାତୀୟ ସଂଗୀତ ସହ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ
୧୨ଟା ୧୦ରେ ରାଜ୍ୟସଭା ଉପାଧ୍ୟକ୍ଷଙ୍କ ଦ୍ୱାରା ସ୍ୱାଗତ ଭାଷଣ
୧୨ଟା ୩୩ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବାର୍ତା ପଠନ କରାଯିବ
୧୨ଟା ୩୮ରେ ରାଜ୍ୟସଭାରେ ବିରୋଧୀ ନେତାଙ୍କ ସମ୍ବୋଧନ
୧ଟା ୫ରେ ୭୫ ଟଙ୍କାର ମୁଦ୍ରା ଜାରି କରିବେ ପ୍ରଧାନମନ୍ତ୍ରୀ
୧ଟା ୧୦ରେ ସମ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ