ନୂଆ ସଂସଦ ଭବନ ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ହାତରେ ରାଜଦଣ୍ଡ। ତାମିଲନାଡୁ ଅଧିନମ ମଠର ମହନ୍ତ ମୋଦୀଙ୍କୁ ହସ୍ତାନ୍ତର କଲେ ସେଙ୍ଗୋଲ

290

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ରାଜଦଣ୍ଡ । ନୂଆ ସଂସଦ ଭବନର ଉଦଘାଟନ ପୂର୍ବରୁ ତାମିଲନାଡୁ ଅଧିନମ୍ ମଠର ମହନ୍ତ, ରାଜଦଣ୍ଡକୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ବୈଦିକ ମନ୍ତ୍ରୋଚାରଣ କରି ପ୍ରଧାନମନ୍ତ୍ରୀଙ୍କୁ ଏହି ରାଜଦଣ୍ଡ ଦିଆଯାଇଛି । ଆସନ୍ତାକାଲି ଏହାକୁ ସଂସଦ ଭବନର ବାଚସ୍ପତିଙ୍କ ପାଶ୍ୱର୍ରେ ରଖାଯିବ । ଶହ ଶହ ବର୍ଷ ତଳେ ରାଜା ରାଜୁଡ଼ା ସମୟରେ ବ୍ୟବହାର ହେଉଥିବା ରାଜଦଣ୍ଡକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ।

‘ରାଜଦଣ୍ଡ’କୁ କ୍ଷମତା ହସ୍ତାନ୍ତର’ର ଏକ ପ୍ରତୀକ ଭାବେ ଗ୍ରହଣ କରାଯାଏ । ଏହି ରାଜଦଣ୍ଡ ପଛରେ ଲୁଚିରହିଛି ଏକ ଗୌରବମୟ ଇତିହାସର କାହାଣୀ । ଦକ୍ଷିଣ ଭାରତରେ ଚୋଳ ସାମ୍ରଜ୍ୟର ଶାସନ ଥିଲା । ଦୀର୍ଘବର୍ଷ ଧରି ଶାସନ କରିଥିବା ଅନ୍ୟତମ ସର୍ବ ପୁରାତନ ରାଜବଂଶ । ଜଣେ ରାଜାଙ୍କଠାରୁ ଆଉ ଜଣେ ରାଜାଙ୍କ ପାଖକୁ କ୍ଷମତା ହସ୍ତାନ୍ତର’ର ସୂଚକ ଭାବେ ଏହି ରାଜଦଣ୍ଡ ଦଣ୍ଡ ବା’ ସେନଗୋଲ୍କୁ ବ୍ୟବହାର ହେଉଥିଲା । ସ୍ୱାଧୀନ ଭାରତର ସ୍ୱର୍ଣ୍ଣିମ ଯାତ୍ରା ମଧ୍ୟ ଏହି ରାଜଦଣ୍ଡ ହନ୍ତାନ୍ତରରୁ ଆରମ୍ଭ ହୋଇଥିଲା । ୧୯୪୭ ଅଗଷ୍ଟ ୧୪ ରାତି ୧୦ଟା ୪୫ରେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଇଂରେଜ ହାତରୁ ଏହି ରାଜଦଣ୍ଡ ଗ୍ରହଣ କରିଥିଲେ ।

ଆସନ୍ତାକାଲି ଯେତେବେଳେ ନୂଆ ସଂସଦ ଭବନ ଉଦ୍ଘାଟନ ହେବ, ସେତେବେଳେ କ୍ଷମତା ହସ୍ତାନ୍ତରଣର ପ୍ରତୀକ ଭାବେ ରାଜଦଣ୍ଡ ସ୍ଥାପନ କରାଯିବ । ସଂସଦରେ ବାଚସ୍ପତି ବସୁଥିବା ପାଶ୍ୱର୍ରେ ଏହାକୁ ସ୍ଥାପନ କରାଯିବ । ଇଂରେଜମାନଙ୍କଠାରୁ କ୍ଷମତା ହନ୍ତାନ୍ତର କରିବା ସମୟରେ ଏହି ରାଜଦଣ୍ଡକୁ ତାମିଲନାଡୁରୁ ମଗାଯାଇଥିଲା । ଏହା ପରେ ସେଙ୍ଗୋଲକୁ ପ୍ରୟାଗରାଜର ଏକ ସଂଗ୍ରହାଳୟରେ ରଖାଯାଇଥିଲା ।