ଆଜି ଜି-୨୦ ସମ୍ମିଳନୀ : ଯୋଗ ଦେବେ ପ୍ରଧାନମନ୍ତ୍ରୀ; ରୁଷ୍-ୟୁକ୍ରେନ୍ ଯୁଦ୍ଧ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ କରିପାରନ୍ତି ଆଲୋଚନା

87

କନକ ବ୍ୟୁରୋ : ଇଣ୍ଡୋନେସିଆରେ ବାଲିରେ ଆଜିଠାରୁ ଅନୁଷ୍ଠିତ ହେବାକୁଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିପାଇଁ ମୋଦୀ ସୋମବାର ଇଣ୍ଡୋନେସିଆ ଗସ୍ତ କରିଛନ୍ତି । ୟୁକ୍ରେନ୍ ଓ ରୁଷ୍ ମଧ୍ୟରେ ଚାଲିଥିବା ଯୁଦ୍ଧ, ଖାଦ୍ୟ ଓ ଶକ୍ତି ନିରାପତା, ଅନ୍ତର୍ଜାତୀୟ ବିକାଶକୁ ପୁନରୁଜୀବିତ କରିବା, ପରିବେଶ, ସ୍ୱାସ୍ଥ୍ୟ ଏବଂ ଡିଜିଟାଲ ରୂପାନ୍ତର ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ ।

ସମ୍ମିଳନୀରେ ବିଭିନ୍ନ ଦେଶର ନେତାଙ୍କ ସହ ସେ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ବାଲି ଗସ୍ତରେ ମୋଦୀ ୪୫ ଘଣ୍ଟା ଭିତରେ ୨୦ କାର୍ଯ୍ୟକ୍ରମରେ ସାମିଲ ହେବେ । ଆସନ୍ତା ଡିସେମ୍ବର ୧ ତାରିଖରୁ ଭାରତ ଜି-୨୦ରେ ଅଧ୍ୟକ୍ଷତା କରିବାକୁ ଯାଉଥିବାରୁ ଏହି ସମ୍ମିଳନୀ ସ୍ୱତନ୍ତ୍ର ରହିବ ବୋଲି କୁହାଯାଉଛି । ବାଲିରେ ସମ୍ମିଳନୀବେଳେ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୟୁଡୋଡୋ ଭାରତକୁ ଜି-୨୦ ଅଧ୍ୟକ୍ଷତା ଦାୟିତ୍ୱ ହସ୍ତାନ୍ତର କରିବେ ।