ହ୍ୟାଲୋ…ମୁଁ ନବୀନ କହୁଛି । ଆରମ୍ଭ ହେଲା ମୋ ସରକାର କାର୍ଯ୍ୟକ୍ରମ, ଲୋକଙ୍କୁ ଫୋନ୍ କରି ଡାକ୍ତରଖାନା ଓ ଥାନାରେ ମିଳୁଥିବା ସେବା ବାବଦରେ ପଚାରିବୁଝିଲେ ମୁଖ୍ୟମନ୍ତ୍ରୀ ।

1,047

କନକ ବ୍ୟୁରୋ : ‘ମୋ ସରକାର’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ୟାପିଟାଲ ହସ୍ପିଟାଲରେ ମୋ ସରକାର କାର୍ଯ୍ୟକ୍ରମର ଉଦଘାଟନ କରିବା ପରେ ସହିଦ ନଗର ଥାନାରେ ପହଞ୍ଚିଥିଲେ ନବୀନ । ଉଭୟ ଡାକ୍ତରଖାନା ଓ ଥାନାରେ ଲୋକ କିଭଳି ଠିକ୍ ସମୟରେ ସେବା ପାଇପାରିବେ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ନବୀନ ।  ଆଉ ମୋ ସରକାର କାର୍ଯ୍ୟକ୍ରମ ମାଧ୍ୟମରେ ଉଭୟ କ୍ୟାପିଟାଲ ହସ୍ପିଟାଲ ଓ ସହିଦ ନଗର ଥାନାରେ ଜନତାଙ୍କ ସହ ଫୋନ୍ ଯୋଗେ କଥା ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସହିଦ ନଗରର ଥାନାରେ ୯ ଜଣଙ୍କ ସହ କଥା ହେବା ବେଳେ ଥାନାରେ କିଭଳି ସେବା ମିଳୁଛି ତାହା ପଚାରି ବୁଝିଥିଲେ । ଆଉ ଲୋକଙ୍କ ମତାମତ ସନ୍ତୋଷଜନକ ଥିବା କହିଛନ୍ତି ନବୀନ । ଏହାସହ ମୋ ସରକାରର ଲୋଗୋ ଓ ଫଳକ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ୨୧ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଅକ୍ଟୋବର ୩୦ ସୁଦ୍ଧା ସବୁ ଜିଲ୍ଲା ଚିକିତ୍ସାଳୟରେ ଏହାକୁ କାର୍ଯ୍ୟକାରୀ କରାଯିବ । ସେହିଭଳି ୨୦୨୦ ମାର୍ଚ୍ଚ ୫ ସୁଦ୍ଧା ରାଜ୍ୟର ସବୁ ବିଭାଗରେ ଏହା କାର୍ଯ୍ୟକାରୀ ହେବ ।

ମୋ ସରକାର କାର୍ଯ୍ୟକ୍ରମ ମାଧ୍ୟମରେ ସରକାରୀ ବିଭାଗକୁ ଆସୁଥିବା ସବୁ ବ୍ୟକ୍ତିଙ୍କର ନମ୍ବର ପଞ୍ଜୀକରଣ କରାଯିବ । ୨୪ ଘଣ୍ଟା ମାଧ୍ୟମରେ ଏ ବାବଦରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଖକୁ ଏସଏମଏସ ଯିବ । ଯଦି କୌଣସି ବ୍ୟକ୍ତିଙ୍କର ନମ୍ବର ପଞ୍ଜିକରଣ ହୋଇନଥାଏ ତେବେ ୧୪୫୪୫କୁ ମିସ୍ କଲ୍ କରି ନିଜ ନମ୍ବରକୁ ପଞ୍ଜିକରଣ କରିପାରିବେ । ଆଉ ମୋ ସରକାର ପୋର୍ଟାଲରେ ରେଜିଷ୍ଟ୍ରେସନ ଥିବା ନମ୍ବରରୁ ଯେ କୌଣସି ବ୍ୟକ୍ତିଙ୍କୁ ଫୋନ କରି ଜନସାଧାରଣଙ୍କର ମତାମତ ନିଆଯିବ । ଲୋକଙ୍କ ମତାମତ ଆଧାରରେ ଥାନା ଓ ଡାକ୍ତରଖାନା କର୍ମଚାରୀଙ୍କୁ ଭଲ ବା ଖରାପ ରାଙ୍କ ଦିଆଯିବ । ଭଲ କାମ କରିଥିବା ବ୍ୟକ୍ତିଙ୍କୁ ଆଗୁଆ ପଦୋନ୍ନତି ଦିଆଯିବ ଓ ଖରାପ ରାଙ୍କ ପାଇଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏପରିକି ମତାମତ ଦେଇଥିବା ବ୍ୟକ୍ତିଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ।