ସରକାର ନାହାନ୍ତି ସୁନ୍ଦରାଙ୍କ ପାଇଁ ! ଭିକମାଗି ଚଳୁଛନ୍ତି ସତୁରି ବର୍ଷର ବୃଦ୍ଧ…ଗୋଡ, ହାତ ଚାଲୁନଥିବାରୁ ଆଜି ଯାଏଁ ପହଞ୍ଚି ପାରିନି ସରକାରୀ ସାହାଯ୍ୟ

414

କନକ ବ୍ୟୁରୋ: ସୁନ୍ଦରା ଖାତି । ବୟସ ପାଖାପାଖି ୭୦ ବର୍ଷ ହେବ । ହେଲେ ଏହି ବୟସରେ ବି ସୁନ୍ଦରାଙ୍କ ପାଇଁ ବିଭିନ୍ନ ସରକାରୀ ଯୋଜନା ସାତ ସପନ ପାଲଟିଯାଇଛି । କାହିଁକି ନା ସୁନ୍ଦରା ଚାଲିବୁଲି ପାରନ୍ତିନାହିଁ ଆଉ ତାଙ୍କ ପାଇଁ ଅଧିକାରୀଙ୍କ ନିକଟରେ ନିବେଦନ କରିବାକୁ ମଧ୍ୟ ନିଜର ବୋଲି କେହି ନାହାନ୍ତି । ବୟସର ଅପରାହ୍ନରେ ପହଂଚିଥିଲେ ବି କୌଣସି ସରକାରୀ ଯୋଜନାର ସ୍ୱାଦ ଚାଖିପାରି ନାହାଁନ୍ତି ସୁନ୍ଦରା ଖାତି । ମୁଣ୍ଡ ଗୁଂଜିବାକୁ ଘର ତ ଦୂରର କଥା ପେଟକୁ ଦାନା ମୁଠାଏ ବି ମିଳୁନି ।  ପକ୍ଷାଘାତରେ ଆକ୍ରାନ୍ତ ହେବା ପରଠୁ ଦୁର୍ବିସହ  ହୋଇପଡିଛି ସୁନ୍ଦରା ଖାତିଙ୍କୁ ଜୀବନ । ବହୁ କଷ୍ଟରେ ଘୁସୁରି ଘୁସୁରି  ୨-୪ ଘରୁ ଭିକ ମାଗି ଯାହା ଆଣୁଛନ୍ତି ସେଇଥିରେ ହିଁ ପେଟ ପୁରୁଛି ଆଉ ଯେଉଁ ଦିନ ବାହାରକୁ ଯିବା ପାଇଁ ଦେହରେ ବଳ ପାଉନି ସେ ଦିନ ପାଣି ଗିଲାସେ ପିଇ ପେଟକୁ ବୁଝାଇବାକୁ ପଡୁଛି ସୁନ୍ଦରାଙ୍କୁ । ତେବେ ଅନ୍ୟର ହାତଟେକାରେ ଦୟନୀୟ ଜୀବନ ଜିଉଁଛନ୍ତି ସୁନ୍ଦରା କିନ୍ତୁ ବିଡମ୍ବନାର ବିଷୟ ସୁନ୍ଦରା ଖାତିଙ୍କ ଭଳି ଗରିବ ଲୋକଙ୍କ ଦୁଃଖ ସରକାରଙ୍କ ଦୃଷ୍ଟିରେ ପଡୁନି ।

ଜୟପୁର ବ୍ଲକ୍ ଘାଟବାଗରରେ ସୁନ୍ଦରାଙ୍କ ଘର । ବିବାହର କିଛି ଦିନ ପରେ ସ୍ତ୍ରୀ ଛାଡି ଯିବା ପରେ ପେଟ ପାଟଣା ପାଇଁ ଭିଟାମାଟି ଛାଡି ଧାଇଁ ଆସିଥିଲେ ରଣ୍ଡାପାଲିରେ ଥିବା ଏକ ଧାନ ମିଲକୁ । ଯେଉଁଠାରେ ସେ ଖଲାସି କାମି କରି ଦି ପଇସା ରୋଜଗାର କରୁଥିଲେ । ହେଲେ ସୁନ୍ଦରାଙ୍କ ଭାଗ୍ୟରେ ତ ଦୁଃଖ ଭୋଗିବାର ଥିଲା ।  ଧାନ ବସ୍ତା ବୋଝେଇ କରୁଥିବା  ବେଳେ  ତାଙ୍କ ଉପରେ ବସ୍ତା ପଡିଯିବାରୁ ତାଙ୍କ ହାତ ଏବଂ ଅଂଟାରେ ଗଭୀର ଆଘାତ ଲାଗିଥିଲା । ହେଲେ ଚିକିତ୍ସା ପରିବର୍ତ୍ତେ ସୁନ୍ଦରାଙ୍କୁ ଅସହାୟ ଅବସ୍ଥାରେ ତାଙ୍କ ଘରେ ଆଣି ଛାଡି ଚାଲି ଯାଇଥିଲେ ମିଲର ।  ପକ୍ଷାଘାତରେ ଶିକାର ହୋଇ ସୁନ୍ଦରା ବର୍ତ୍ତମାନ ମୂଳାସୁର ଗାଁରେ ଅତି ଦୁର୍ବିସହ ଜୀବନ ବିତାଉଛନ୍ତି ।  ଚାଲିବୁଲି ପାରୁନଥିବାରୁ ଘୁସୁଡି ଘୁସୁଡି ଭିକ ମାଗି ଚଳୁଛନ୍ତି ସୁନ୍ଦରା ।

ଅନ୍ୟପଟେ, ଚଲାବୁଲା କରିବାକୁ ଅସମର୍ଥ ଯୋଗୁଁ ସୁନ୍ଦରା ଆଧାର କାର୍ଡ କରିପାରିନାହାନ୍ତି । ହେଲେ ଏହାସତ୍ୱେ ବି ସୁନ୍ଦରାଙ୍କୁ ଏଯାବତ୍ କୌଣସି ସରକାରୀ ଯୋଜନାରେ ସାମିଲ କରାଯାଇ ନାହିଁ । ଏପରିକି ଟଙ୍କିକିଆ ଚାଉଳରୁ ବି ବଂଚିତ ଅଛନ୍ତି ସୁନ୍ଦରା । ଭୋଟ ପରିଚୟ ପତ୍ର ଏବଂ ଅନ୍ୟାନ୍ୟ କାଗଜପତ୍ର ନଥିବାରୁ ସରକାରୀ ବାବୁମାନେ ହାତ ଟେକିଦେଇଛନ୍ତି । ତେବେ  ପ୍ରଶ୍ନ ଉଠୁଛି କି, ଯଦି କୌଣସି ବ୍ୟକ୍ତି ଚଲାବୁଲା କରିପାରୁ ନଥିବ କିମ୍ବା ସହାୟତା ପାଇଁ ନିଜର କେହି ନଥିବେ ତାହେଲେ ସେ ଲୋକ କଣ ଭୋକ ଉପାସରେ ମରିଯିବ । ଅଧିକାରୀ ମାନେ ଘର ଘର ବୁଲି ଭୋଟ ପରିଚୟ ପତ୍ର ପାଇଁ ଆବେଦନ ସଂଗ୍ରହ କରୁଥିବା ବେଳେ ସୁନ୍ଦରାଙ୍କ ଭଳି ଅସହାୟ ଲୋକେ ବାଦ ପଡୁଛନ୍ତି ବି କିଭଳି? ଏଭଳି ଅନେକ ପ୍ରଶ୍ନ ବର୍ତ୍ତମାନ ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ କେବେ ସୁନ୍ଦରାଙ୍କ ପ୍ରତି ସରକାରଙ୍କ କୃପାଦୃଷ୍ଟି ପଡିବ ତାହା ଦେଖିବାକୁ ବାକି ରହିଛି ।