ବସ୍ତିରୁ କ୍ରିକେଟ୍ ଗ୍ରାଉଣ୍ଡ : ଓଡ଼ିଶା ପାଇଁ ଅଲୋଡ଼ା, ଦିନ ମଜୁରିଆଙ୍କ ଝିଅ ଝାଡ଼ଖଣ୍ଡର ୱିକେଟ୍ ରକ୍ଷକ 

505

କନକ ବ୍ୟୁରୋ : ବସ୍ତିରୁ କ୍ରିକେଟ୍ ଗ୍ରାଉଣ୍ଡ । ବାପାମା’ ଦିନ ମଜୁରିଆ । ବସ୍ତିରେ କଟିଛି ଜୀବନ। ହେଲେ କ୍ରିକେଟକୁ ନିଜର ଭାଗ୍ୟ-ଭବିଷ୍ୟତ ଭାବେ ଧରି ନେଇଥିବା କେନ୍ଦୁଝର ଜିଲ୍ଲା ବଲାଣୀର ରଶ୍ମି ଗୁଡିଆ ଏବେ ଜଣେ ଆଗ ଧାଡ଼ିର କ୍ରିକେଟ ଖେଳାଳୀ । ଓଡ଼ିଶାରେ ସୁଯୋଗ ପାଇ ନଥିବା ବେଳେ ଏବେ ରଶ୍ମି ଝାଡ଼ଖଣ୍ଡ ମହିଳା କ୍ରିକେଟ ଦଳର ୱିକେଟ କିପର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।

କେନ୍ଦୁଝର ଜିଲ୍ଲାର ଯୋଡା ବ୍ଲକ ଅନ୍ତର୍ଗତ ବଲାଣୀର ଗୁରୁଦ୍ବାରା ହଟିଂ ବା ଗୁରୁଦ୍ବାର ବସ୍ତିରେ ରୁହନ୍ତି ନୀରଲ ଗୁଡିଆ ଏବଂ ପ୍ୟାରୀ ଗୁଡିଆ। ବାପା ବିଭିନ୍ନ ସ୍ଥାନରେ ସିମେଣ୍ଟ କାମ ଓ କାଠ କାମ କରୁଥିବା ବେଳେ ମା ବଲାଣୀ ରେଲୱେ ସାଇଡିଂରେ କାମ କରିଥାନ୍ତି। ଝିଅ ରଶ୍ମିର କିନ୍ତୁ କ୍ରିକେଟ ଖେଳିବା ନିଶା ଥିଲା। ବିଭିନ୍ନ ସମୟରେ ସ୍ଥାନୀୟ ଅଞ୍ଚଳରେ କ୍ରିକେଟ ଖେଳୁଥିବା ରଶ୍ମିର କ୍ରୀଡା ପ୍ରତିଭା ଦେଖି ପ୍ରଶିକ୍ଷକ ଅମରେନ୍ଦ୍ର ମହାନ୍ତି କ୍ରିକେଟର କଳା କୌଶଳ ଶିଖାଇଥିଲେ। ୨୦୧୩ ମସିହାରେ ସେ ୧୯ ବର୍ଷରୁ କମ୍ ଓଡ଼ିଶା ମହିଳା କ୍ରିକେଟ ଦଳର ସଦସ୍ୟ ହେବାକୁ ଆଶାୟୀ ଥିଲେ। ମାତ୍ର ତାହା ହୋଇ ପାରି ନ ଥିଲା। ଏହା ପରେ ସେ ଝାଡ଼ଖଣ୍ଡ ଚାଲି ଯାଇଥିଲେ । ସେଠାରେ କିନ୍ତୁ ୧୯ ବର୍ଷରୁ କମ୍ ଝାଡ଼ଖଣ୍ଡ ମହିଳା ଦଳ ପାଇଁ ମନୋନୀତ ହୋଇଥିଲେ । ଖାଲି ସେତିକି ନୁହେଁ ସେ ୨୦୧୪ରୁ ୨୦୧୬ ପର୍ଯ୍ୟନ୍ତ ସେ ଝାଡ଼ଖଣ୍ଡ ୧୯ ବର୍ଷରୁ କମ୍ ଦଳରେ ଅଧିନାୟିକା ରହିଥିଲେ। ଏହାପରେ ୨୦୧୭ରେ ୨୩ ବର୍ଷରୁ କମ୍ ଦଳର ମଧ୍ୟ ଅଧିନାୟିକା ଥିଲେ। 

୨୦୧୮ ପରଠାରୁ ସେ ଝାଡ଼ଖଣ୍ଡ ମହିଳା କ୍ରିକେଟ ଦଳର ୱିକେଟ ରକ୍ଷକ ଭାବେ ଖେଳି ଆସୁଛନ୍ତି। ଏ ସଂପର୍କରେ ତାଙ୍କ ପ୍ରଶିକ୍ଷକ ଅମରେନ୍ଦ୍ର ମହାନ୍ତି କୁହନ୍ତି, ଓଡ଼ିଶାରେ ସୁଯୋଗ ନ ମିଳିବାରୁ ସେ ଝାଡଖଣ୍ଡ ପାଇଁ ଦୀର୍ଘ ୬ ବର୍ଷ ହେଲା ଖେଳି ଆସୁଛନ୍ତି। ସବୁଠୁ ବଡ଼ କଥା ହେଉଛି, ଜଣେ ଦିନ ମଜୁରିଆଙ୍କ ଝିଅ ହୋଇ ମଧ୍ୟ ନିଜ ଉଦ୍ୟମ ବଳରେ ଗୋଟେ ରାଜ୍ୟର କ୍ରିକେଟ ଦଳର ପ୍ରତିନିଧିତ୍ବ କରିବା ନିଶ୍ଚିତ ଭାବେ କେନ୍ଦୁଝର ପାଇଁ ଗର୍ବ ବୋଲି ସେ କହିଛନ୍ତି। ଖାଲି ସେତିକି ନୁହେଁ, ବଲାଣୀର ପିଙ୍କି ତିର୍କି, ପୂଜା ବାନ୍ଦ୍ରା, ଇଶ୍ରାନୀ ସୋରେନ, ଅଞ୍ଜଳୀ ଦାସ ମଧ୍ୟ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ଝାଡ଼ଖଣ୍ଡ ମହିଳା କ୍ରିକେଟ ଦଳରେ ଖେଳୁଥିବା ନେଇ ସେ ସୂଚନା ଦେଇଛନ୍ତି।