ଦୁଇ ଦିନିଆ ଗସ୍ତ ଶେଷ କରି ଚେନ୍ନାଇରୁ କାଠମାଣ୍ଡୁ ଅଭିମୁଖେ ଚୀନ ରାଷ୍ଟ୍ରପତି । ଦ୍ୱିପାକ୍ଷିକ ଆଲୋଚନା ପରେ ବୟନ ଶିଳ୍ପ ବୁଲାଇ ଦେଖାଇଲେ ପ୍ରଧାନମନ୍ତ୍ରୀ

ଜିନପିଙ୍ଗଙ୍କ ଚିତ୍ର ଥିବା କାଂଚିଭରମ ଶାଲ ଦେଲେ ଉପହାର

216

କନକ ବ୍ୟୁରୋ: ଦୁଇ ଦିନିଆ ଗସ୍ତ ଶେଷ କରି ଫେରିଲେ ଚୀନ ରାଷ୍ଟ୍ରପତି । ଚେନ୍ନାଇ ବିମାନ ବନ୍ଦରରେ ଚୀନ ବାୟୁସେନାର ସ୍ୱତନ୍ତ୍ର ବିମାନରେ ନେପାଳ ଅଭିମୁଖେ ଯାତ୍ରା କରିଛନ୍ତି ସି ଜିନପିଙ୍ଗ । ଏହି ଅବସରରେ ଜିନପିଙ୍ଗଙ୍କୁ ବିଦାୟ ଦେଇଛନ୍ତି ଭାରତୀୟ ଅଧିକାରୀ । ତାମିଲନାଡୁ ଏୟାରପୋର୍ଟରୁ ଜିନପିଙ୍ଗକ ବିମାନ କାଠମାଣ୍ଡୁ ଅଭିମୁଖେ ବାହାରିଛି । ଦୁଇ ଦିନିଆ ଗସ୍ତରେ ଆସି ତାମିଲନାଡୁର ମହାବଳୀପୁରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦୁଇ ଥର ୬ ଘଂଟାରୁ ଅଧିକ ସମୟ ଅନୌପଚାରିକ ସାକ୍ଷାତ କରିଥିଲେ ।

ଜିନପିଙ୍ଗଙ୍କ ଗସ୍ତକୁ ନେଇ ବୈଦେଶିକ ସଚିବ ବିଜୟ ଗୋଖଲେ କହିଛନ୍ତି, ଆଜି ଦୁଇ ନେତା ୯୦ ମିନିଟ ଧରି ଆଲୋଚନା କରିଛନ୍ତି । ଦୁଇ ଦିନର ଗସ୍ତରେ ମୋଦିଙ୍କ ସହ ଜିନପିଙ୍ଗ ୬ ଘଂଟା ୱାନ ଟୁ ୱାନ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ଭାରତର ଲୋକଙ୍କ ସହ ଚୀନ ଲୋକଙ୍କ ସଂପର୍କ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି । ତେବେ ଏହି ସା କ୍ଷାତ ଆଲୋଚନା ସମୟରେ କଶ୍ମୀର ପ୍ରସଙ୍ଗ ନେଇ କୌଣସି ଆଲୋଚନା ହୋଇନଥିଲା । ଆତଙ୍କବାଦ ସୀମା ସମସ୍ୟା ଓ ବାଣିଜ୍ୟ ଉପରେ ଆଲୋଚନା ହୋଇଥିଲେ ମଧ୍ୟ କାଶ୍ମୀରକୁ ନେଇ ଚିପ ରହିଥିଲେ ଜିନପିଙ୍ଗ ।

ଅନ୍ୟପଟେ,  ଦ୍ୱିପାକ୍ଷିକ ଆଲୋଚନା ଶେଷ ହେବା ପରେ ତାଜ ଫିସରମେନ୍ କୋଭ୍ ହୋଟେଲରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ  ହସ୍ତତନ୍ତ ଓ ବୟନ ଶିଳ୍ପ ସାମଗ୍ରୀର ପ୍ରଦର୍ଶନୀକୁ ବୁଲାଇ ଦେଖାଇଥିଲେ ମୋଦି । ଏହି ପ୍ରଦର୍ଶନୀରେ ଥିଲା ଦକ୍ଷିଣ ଭାରତୀୟ ହସ୍ତତନ୍ତ ଶିଳ୍ପର ଝଲକ । ଟସରରୁ କିପରି ଭାବେ ନିର୍ମାଣ ହେଉଛି ହସ୍ତତନ୍ତର କାଂଜିମ୍ୱରମ୍ ଶାଢୀ ଓ ଅତି ଆକର୍ଷଣୀୟ ସାଲ୍ ତାହାକୁ ଜିନପିଙ୍ଗଙ୍କୁ ବୁଲାଇ ଦେଖାଇଥିଲେ ମୋଦି । ଏହି ଅବସରରେ ଶାଢୀ ଓ ସାଲ୍ ତିଆରି ହେଉଥିବା ତନ୍ତକୁ ବି ଦେଖାଇଥିଲେ ମୋଦି । ଚୀନ୍ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ସମୟରେ ତାଜ୍ ଫିସରମେନ୍ କୋଭ୍ ହୋଟେଲରେ ହସ୍ତତନ୍ତ ବୁଣାକାର ନିର୍ମାଣ କରିଥିଲେ ଏକ ସ୍ୱତନ୍ତ୍ର ସାଲ୍ ।

ଯେଉଁଥିରେ ରହିଥିଲା ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଛବି । ଅତିନିଖୁଣ ଭାବରେ ସିରିମୁଗାଇ ବୁଣାକାର ଏହାକୁ ସାଲରେ ସ୍ଥାନ ଦେଇଥିଲେ । ଏହାକୁ ସ୍ୱତନ୍ତ୍ର ବୁଣାଯାଇଥିଲା । ଜିନପିଙ୍ଗଙ୍କୁ ଏହି ସାଲ୍ ଦେଖାଇବା ସହିତ ଉପହାର ଦେଇଥିଲେ ମୋଦି । ଏହା ସହିତ ଏକ ଶାଢୀ ବି ପ୍ରଦାନ କରିଥିଲେ । ଏହି ଅବସରରେ ମୋଦି ବିଭିନ୍ନ କୁଟୀରଶିଳ୍ପ ସାମଗ୍ରୀ ଦେଖାଇବା ସହିତ ଭାରତୀୟ କାରିଗରଙ୍କ ହାତର ଯାଦୁ କିପରି ରହିଛି ତାହାର ଏକ ଝଲକ ବି ଦେଖାଇଥିଲେ । ହାତରେ ତିଆରି ହୋଇଛି ଭଳିକି ଭଳି ପ୍ରତିକୃତୀ ଓ ସାମଗ୍ରୀ । ଯାହାକି ଅତି ଆକର୍ଷଣୀୟ  ଓ ମନଲୋଭା । ଏସବୁକୁ ଗସ୍ତର ଶେଷ  ପର୍ଯ୍ୟାୟରେ ଜିନପିଙ୍ଗଙ୍କୁ ଦେଖାଇବା ସହ କିଛି ଉପହାର ଆକାରରେ ପ୍ରଦାନ କରିଥିଲେ ମୋଦି ।

ମହାବଳୀପୁରମର ହୋଟେଲ କୋବେ ରିସୋର୍ଟରେ ଭାରତ-ଚୀନ ପ୍ରତିନିଧି ମଣ୍ଡଳସ୍ତରୀୟ ଆଲୋଚନା ହୋଇଛି । ବୈଠକରେ ଦ୍ୱିପାକ୍ଷିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଚେନ୍ନାଇ ମିଟ୍ରୁ ଭାରତ ଓ ଚୀନର ସଂପର୍କରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଆଉ ଭାରତ-ଚୀନର ଏହି ବନ୍ଧୁତାପୂର୍ଣ୍ଣ ସଂପର୍କ ବିଶ୍ୱରେ ଶାନ୍ତି ଓ ସ୍ଥିରତାର ଏକ ବଡ ଉଦାହରଣ । ଆଗକୁ ଦୁଇ ଦେଶ ମଧ୍ୟରେ ଥିବା ମତପାର୍ଥକ୍ୟକୁ ଦୂର କରିବା ପାଇଁ ଉଦ୍ୟମ କରାଯିବ । ଏହାଛଡା ମତପାର୍ଥକ୍ୟକୁ ଦୁଇ ଦେଶ ମଧ୍ୟରେ ଝଗଡାର କାରଣ ହେବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ଗତ ୨ ହଜାର ବର୍ଷ ଭିତରେ ଭାରତ ଓ ଚୀନ ବିଶ୍ୱରେ ଅର୍ଥନୈତିକ ଶକ୍ତି ଭାବେ ରହି ଆସିଛନ୍ତି ।

ଆଉ ଚଳିତ ଶତାବ୍ଦୀରେ ମଧ୍ୟ ଭାରତ ଓ ଚୀନ ସେହି ଲକ୍ଷ୍ୟକୁ ପାଇବାକୁ ମିଳିତ ଉଦ୍ୟମ କରିବେ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି  ଚୀନ ରାଷ୍ଟ୍ରପତି ସି.ଜିନପିଙ୍ଗ ପ୍ରାରମ୍ଭିକ ସମ୍ବୋଧନରେ କହିଥିଲେ, ଭାରତର ସ୍ୱାଗତରେ ଅଭିଭୁତ ହୋଇପଡିଛନ୍ତି । ଏଥିସହ କହିଥିଲେ ଅନୌପଚାରିକ ଆଲୋଚନା ଭାରତ-ଚୀନ ସଂପର୍କର ଉଷ୍ଣତା ଆଣି ଦେଇଛି । ଦ୍ୱିପାକ୍ଷିକ ସଂପର୍କରେ ସୁଧାର ଆଣିବା ପାଇଁ ଆସିଥିବା ପ୍ରସ୍ତାବ ଉପରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି ସି. ଜିନପିଙ୍ଗ ।