ଜାତିସଂଘରେ ପୁଣି କାଶ୍ମୀର ପ୍ରସଙ୍ଗ ଉଠାଇଲା ପାକିସ୍ତାନ । ଶେହବାଜ ସରିଫ କହିଲେ, ଭାରତ ଚାହାନ୍ତି ଶାନ୍ତି, କିନ୍ତୁ ପ୍ରଥମେ ହେଉ କାଶ୍ମୀର ବିବାଦର ସମାଧାନ

202

କନକ ବ୍ୟୁରୋ : ପୁଣି ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଉଠାଇଛି ପାକିସ୍ତାନ । ଜାତିସଂଘର ସାଧରଣ ସଭାକୁ ସମ୍ବୋଧନ କରି ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ କହିଛନ୍ତି ଯେ, ତାଙ୍କ ଦେଶ ଭାରତ ସହ ଶାନ୍ତି ଚାହେଁ । ହେଲେ ଏଥିପାଇଁ ଜମ୍ମୁକାଶ୍ମୀର ବିବାଦର ସମାଧାନ ହେବା ଜରୁରୀ । ଏହାସହ ଉତେଜନା କମାଇବା ଓ ଆଲୋଚନା ପାଇଁ ସ୍ଥିତି ସୃଷ୍ଟି କରିବାକୁ ଭାରତ ପ୍ରୟାସ କରିବା ଉଚିତ ବୋଲି କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ।
ଜାତିସଂଘରେ ବାରମ୍ବାର କାଶ୍ମୀର ପ୍ରସଙ୍ଗ ଉଠାଇ ଆସୁଛି ପାକିସ୍ତାନ । ଜମ୍ମୁକାଶ୍ମୀରରୁ ୩୭୦ ଧାରା ଉଚ୍ଚେଦକୁ ପାକିସ୍ତାନ ବିରୋଧ କରିଆସୁଛି । ଏପରିକି ୩୭୦ ଧାରା ପୁଣି ଫେରାଇବାକୁ ପାକିସ୍ତାନୀ ନେତାମାନେ ଦାବି କରୁଛନ୍ତି । ହେଲେ ଭାରତ ସ୍ପଷ୍ଟ ଭାବେ କହିଆସିଛି ଯେ, ଜମ୍ମୁକାଶ୍ମୀର ଭାରତର ଆଭ୍ୟନ୍ତରୀଣ ବ୍ୟାପାର । ତେଣୁ ୩୭୦ ଧାରା ହଟାଯିବା ନେଇ ପାକିସ୍ତାନର କିଛି କହିବାର ନାହିଁ । ଆତଙ୍କବାଦୀଙ୍କ ଜରିଆରେ ଜମ୍ମୁକାଶ୍ମୀରରେ ଅଶାନ୍ତି ସୃଷ୍ଟି ପାଇଁ ଷଡ଼ଯନ୍ତ୍ର କରିଆସୁଛି ପାକିସ୍ତାନ । ଏହାକୁ ନେଇ ଭାରତ ପାକିସ୍ତାନ ସହ କୌଣସି ଆଲୋଚନା କରୁନାହିଁ । ଆତଙ୍କବାଦ ନରୋକିବା ଯାଏଁ ପାକିସ୍ତାନ ସହ କୌଣସି ପ୍ରକାର ଆଲୋଚନା କରାଯିବନି ବୋଲି ନୂଆଦିଲ୍ଲୀ କହିଆସୁଛି ।