ଅର୍ଥ ପାଇଁ ବନ୍ଧା ପଡ଼ିଲେ ଦୁଇ ପୁଅ । ବାଲେଶ୍ୱର ଜିଲ୍ଲା ଓପଦା ବ୍ଲକ ଅସ୍ତିଆ ଗାଁରୁ ଆସିଲା ଅଭାବନୀୟ ଖବର

106

କନକ ବ୍ୟୁରୋ : ସ୍ୱାମୀକୁ ଭଲ କରିବାକୁ ଦୁଇ ପୁଅକୁ ବନ୍ଧା ରଖିଲେ ମହିଳା । ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲା ଓପଦା ବ୍ଲକ ଅସ୍ତିଆ ଗାଁରୁ । ସୂଚନା ଅନୁସାରେ ଗାଁର ସମା ହାଁସଦା ଅସୁସ୍ଥ ହୋଇପଡ଼ିବାରୁ ତାଙ୍କର ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା ପଡ଼ିଥିଲା । ହେଲେ ଟଙ୍କା ଯୋଗାଡ଼ ହୋଇପାରିଲାନି । ଫଳରେ ସମାଙ୍କ ସ୍ତ୍ରୀ ପାନ ହାଁସଦା ନିଜ ଦୁଇ ପିଲାଙ୍କୁ ନୀଳଗିରି ସହର ଅଂଚଳର ଜଣେ କବାଡ଼ିଆଙ୍କ ପାଖରେ ବନ୍ଧା ପକାଇ ଦୁଇ ହଜାର ଟଙ୍କା ଲେଖାଏଁ ନେଇଥିଲେ । ଦୁଇ ପୁଅ କବାଡ଼ିଆ ପାଖରେ ରହି ପ୍ଲାଷ୍ଟିକ ଗୋଟାଉଥିଲେ ।
ସେପଟେ ସ୍ୱାମୀ ସମା ହାଁସଦା ଆରପାରିକୁ ଚାଲିଗଲେ । ଆଉ ବନ୍ଧା ପଡ଼ିଥିବା ଦୁଇ ପୁଅଙ୍କୁ ମୁକୁଳାଇବାକୁ ସକ୍ଷମ ହେଲେନି ମା ପାନ ହାଁସଦା । ହେଲେ ମା’ ମନ କ’ଣ ରହିପାରୁଛି ? ପ୍ରତିଦିନ ନିଜ ଦୁଇ ପୁଅଙ୍କୁ ଦେଖିବାକୁ ୧୫ କିଲୋମିଟର ଚାଲି ଚାଲି ଯାଇ ଦେଖିଆସନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ପ୍ରଶାସନ ହସ୍ତକ୍ଷେପ କରିବା ସହ ଦୁଇ ପିଲାଙ୍କୁ ଉଦ୍ଧାର କରିଛି ।