ସେନାମୁଖ୍ୟ, ରାଷ୍ଟ୍ରପତି, ଦେଶଦ୍ରୋହୀ… ଯେଉଁଠି ଥିଲେ ଏକଛତ୍ରବାଦୀ, ସେଠି ମିଳିଥିଲା ‘ଫାଶୀଦଣ୍ଡ’!

209

କନକ ବ୍ୟୁରୋ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ପରଭେଜ ମୁଶାରଫଙ୍କ ଦେହାନ୍ତ ହୋଇଛି । ୭୯ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଅନେକ ସମୟରୁ ସେ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ । ସେ ଏମାଇଲଡୋସିସ ରୋଗରେ ପିଡୀତ ଥିଲେ । ତାଙ୍କର ଅନେକ ଅଙ୍ଗ କାମକରୁନଥିଲା । ସେ ଭେଣ୍ଟିଲେଟର ସପୋର୍ଟ ସିଷ୍ଟମରେ ଥିଲେ । ତେବେ ସେ ରବିବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଜେନେରାଲ ପରଭେଜ ମୁଶାରଫ ୨୦୦୧ରୁ ୨୦୦୮ ଯାଏ ପାକିସ୍ତାନର ରାଷ୍ଟ୍ରପତି ଭାବେ କାମ କରିଥିଲେ । ଏହା ପୂର୍ବରୁ ସେ ସେନାଧ୍ୟକ୍ଷ ଭାବେ ଅବସ୍ଥାପିତ ଥିଲେ । ସେ ଦେଶର ସେନାଧ୍ୟକ୍ଷ ଥାଇ ତତକାଳୀନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଗାଦିଚ୍ୟୁତ କରିଥିଲେ । ତେବେ ୨୦୧୯ ମସିହାରେ ଦେଶଦ୍ରୋହ ଅଭିଯୋଗରେ ସେ ମୃତ୍ୟୁଦଣ୍ଡ ପାଇଥିଲେ । ମୃତ୍ୟୁଦଣ୍ଡ ପାଇଥିବା ଦେଶର ସେ ପ୍ରଥମ ସୈନ୍ୟ ଶାସକ ଥିଲେ । ଭାରତ ସହ କାରଗିଲ ଯୁଦ୍ଧ ପାଇଁ ପରଭେଜ ମୁଶାରଫଙ୍କୁ ସିଧାସଳଖ ଦାୟୀ କରାଯାଇଥାଏ । ମୁଶାରଫଙ୍କ ଜନ୍ମ ବ୍ରିଟିଶ ଶାସନାଧୀନ ଭାରତରେ ହୋଇଥିଲା । ଦିଲ୍ଲୀରେ ସେ ଜନ୍ମ ହୋଇଥିଲେ । ବିଭାଜନ ପରେ ସେ ପାକିସ୍ତାନ ଚାଲିଯାଇଥିଲେ ।

୧୯୪୩ ଅଗଷ୍ଟ ୧୧ ତାରିଖରେ ପରଭେଜ ମୁଶାରଫଙ୍କ ଜନ୍ମ ଦିଲ୍ଲୀର ଦରିଆଗଞ୍ଜରେ ହୋଇଥିଲା । ଭାରତ-ପାକିସ୍ତାନ ବିଭାଜନ ପରେ ତାଙ୍କ ପରିବାର କରାଚୀରେ ଅବସ୍ଥାନ କରିଥିଲେ । ଏହା ପରେ ସେ ପାକିସ୍ତାନର ସେନାମୁଖ୍ୟ ଏବଂ ପରେ ରାଷ୍ଟ୍ରପତି ହୋଇଥିଲେ । ୧୯୯୯ରେ ସେ ତତକାଳୀନ ପ୍ରଧାନମନ୍ତ୍ରୀଙ୍କୁ ଗାଦିରୁ ହଟାଇ ଶାସନ କ୍ଷମତା ନିଜ ହାତକୁ ନେଇଥିଲେ । ୨୦୦୧ ମସିହା ଜୁନ ୨୦ରୁ ୨୦୦୮ ମସିହା ଯାଏ ସେ ପାକିସ୍ତାନର ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଇଥିଲେ ।

ମୁଶାରଫ ତିନି ଭାଇଙ୍କ ମଧ୍ୟରେ ଦ୍ୱିତୀୟ ଥିଲେ । ଅବିଭାଜିତ ଭାରତରେ ଏକ ମଧ୍ୟବିତ୍ତ ମୁସଲିମ ପରିବାରରେ ତାଙ୍କର ଜନ୍ମ ହୋଇଥିଲା । ଯେତେବେଳେ ତାଙ୍କ ବାପା ଆଙ୍କାରାରେ ଚାକିରି କରୁଥିଲେ ସେ ତୁର୍କୀରେ ୭ବର୍ଷ ରହିଥିଲେ । ୧୯୫୬ରେ ତାଙ୍କ ପରିବାର କରାଚି ସ୍ଥାନାନ୍ତର ହୋଇଯାଇଥିଲେ । ସେଠାରେ ସେ ରୋମାନ କ୍ୟାଥେଲିକ ଏବଂ ଅନ୍ୟ ସବୁ ସ୍କୁଲରେ ନିଜର ପାଠପଢା ଆରମ୍ଭ କରିଥିଲେ ।

୧୯୬୧ ମସିହାରେ ପରଭେଜ ମୁଶାରଫ ପାକିସ୍ତାନର ସୈନ୍ୟ ଏକାଡେମୀରେ ସାମିଲ ହୋଇଥିଲେ । ଏହା ପରେ ସେ ଏହାକୁ ନିଜର କ୍ୟାରିୟର ଭାବେ ଗ୍ରହଣ କରିଥିଲେ । ୧୯୬୫ରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧରେ ସେ ସେମିଲ ହୋଇଥିଲେ । ଏଥିପାଇଁ ସେତେବେଳେ ତାଙ୍କୁ ବୀରତା ପୁରସ୍କାର ମଧ୍ୟ ମିଳିଥିଲା । ୧୯୬୮ ମସିହାରେ ସେ ବିବାହ କରିଥିଲେ । ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧରେ ସେ ସାମିଲ ହୋଇଥିଲେ । ଭାରତ ଏହି ଯୁଦ୍ଧରେ ପାକିସ୍ତାନକୁ ଧୂଳିଚଟାଇଥିଲା । ପାକିସ୍ତାନର ସ୍ପେଶାଲ ସର୍ଭିସ କମାଣ୍ଡୋ ଗ୍ରୁପକୁ ପରଭେଜ ମୁଶାରଫ ୭ବର୍ଷ ଯାଏ ସେବା ଦେଇଥିଲେ । ଲଗାତର ପରେ ସେ ଗୋଟିଏ ପରେ ଗୋଟିଏ ପଦୋନ୍ନତି ପାଇଚାଲିଥିଲେ । ଅକ୍ଟୋବର ୧୯୮୮ରେ ସେ ପାକିସ୍ତାନର ସେନାମୁଖ୍ୟ ହୋଇଥିଲେ । ୧୯୯୯ କାରଗିଲ ଯୁଦ୍ଧ ପାଇଁ ମୁଶାରଫଙ୍କୁ ଦାୟୀ କରାଯାଇଥାଏ । ସରିଫ ସରକାରଙ୍କୁ ଧୋକାରେ ରଖି ସେ ଯୁଦ୍ଧର ରଣନୀତି ପ୍ରସ୍ତୁତ କରିଥିଲେ । ତେବେ ପାକିସ୍ତାନ ପୁଣି ଥରେ ଭାରତ ଆଗରେ ମୁଣ୍ଡ ନୁଆଇଁଥିଲା ।

ସେନାମୁଖ୍ୟ ଭାବେ ସେ ସରକାରକୁ ଗାଦିଚ୍ୟୁତ କରି ଏକଛତ୍ରବାଦୀ ଶାସକ ହୋଇଯାଇଥିଲେ । ୨୦୦୧ ମସିହା ଜୁନ ୨୦ରେ ସେ ପାକିସ୍ତାନର ରାଷ୍ଟ୍ରପତି ହୋଇଥିଲେ । ୧୯୯୯ ମସିହା ଅକ୍ଟୋବର ୨ଠରୁ ୨୦୦୨ ନଭେମ୍ବର ୨୧ ଯାଏ ସେ ପାକିସ୍ତାନର ମୁଖ୍ୟ କାର୍ଯ୍ୟନିର୍ବାହୀ ରହିଥିଲେ । ପରେ ଜନମତ ସଂଗ୍ରହ କରି ୨୦୦୨ରେ ରାଷ୍ଟ୍ରପତି ନିର୍ବାଚନ ଜିତିଥିଲେ । ନୱାଜ ସରିଫଙ୍କ କାର୍ଯ୍ୟକାଳରେ ସେ ସେନମୁଖ୍ୟ ହୋଇଥିଲେ ଆଉ ତାଙ୍କୁ ହିଁ ଗାଦିଚ୍ୟୁତ କରି ସେ ଶାସନ କ୍ଷମତା ନିଜ ହାତକୁ ନେଇଥିଲେ ।

ଅକ୍ଟୋବର ୨୦୦୭ରେ ମୁଶାରଫ ପୁଣିଥରେ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ । ତେବେ ଏଥିପାଇଁ ସୁପ୍ରିମକୋର୍ଟ ତାଙ୍କୁ ଅପେକ୍ଷା କରିବାକୁ କହିଥିଲେ । ୨୦୦୭ ନଭେମ୍ବରରେ ସେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଦେଇଥିଲେ । ନଭେମ୍ବର ୨୪ରେ କୋର୍ଟ ମୁଶାରଫଙ୍କ ବିଜୟକୁ ଗ୍ରହଣ କରିଥିଲେ । ତେବେ ତାଙ୍କୁ ସେନା ମୁଖ୍ୟପଦରୁ ଇସ୍ତଫା ଦେଇ ରାଷ୍ଟ୍ରପତି ଭାବେ ଶପଥ ନେବାକୁ କୋର୍ଟ କହିଥିଲେ । ପରେ ତାଙ୍କ ସରକାର ସ୍ଥାୟୀ ନହେବାରୁ ୨୦୦୮ରେ ନୂଆ ସରକାର ଆସିବା ପରେ ସେ ଇସ୍ତଫା ଦେଇଥିଲେ । ୨୦୦୭ ମସିହାରେ ସମ୍ବିଧାନକୁ ନିଲମ୍ବନ କରିବା ଏବଂ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲଗାଇବାକୁ ରାଜଦ୍ରୋହ ଶ୍ରେଣୀରେ ରଖି ତାଙ୍କ ବିରୋଧରେ ମାମଲା ଆରମ୍ଭ ହୋଇଥିଲା । ୨୦୧୪ରେ ସେ ଦୋଷୀ ସାବ୍ୟସ୍ଥ ହୋଇଥିଲେ । ୨୦୧୯ରେ ଇସଲାମାବାଦର ସ୍ୱତନ୍ତ୍ର ଅଦାଲତ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ । ୨୦୧୬ରେ ଅସୁସ୍ଥତା କାରଣରୁ ପରଭେଜ ମୁଶାରଫ ଦୁବାଇ ଚାଲିଯାଇଥିଲେ । ସୁରକ୍ଷା କାରଣ ଦେଖାଇ ସେ ସେଠାକୁ ଚାଲିଯାଇଥିଲେ । ଲମ୍ବାସମୟ ଧରି ଅସୁସ୍ଥ ରହିବା ପରେ ରବିବାର ଶେଷନିଶ୍ୱାସ ତ୍ୟାଗ କରିଛନ୍ତି ।