ଦିନେ ଅଧାରୁ ପାଠ ଛାଡିଥିଲେ। ଆଜି ୫୦ଟି ଚା’ ଆଉଟଲେଟର ମାଲିକ।

177

କନକ ବ୍ୟୁରୋ: ଆମେ ସମସ୍ତେ ଜୀବନରେ ଅନେକ ସ୍ୱପ୍ନ ଦେଖିଥାଉ । କିଏ ନିଜର କ୍ୟାରିୟରକୁ ସଫଳ କରିବାକୁ ଚାହଁ ତ କିଏ ବ୍ୟବସାୟ କ୍ଷେତ୍ରରେ ସଫଳ ହେବାକୁ ଚାହେଁ । ଏହା ଛଡା ବି କିଛି ଏଭଳି ବିରଳ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜ ସ୍ୱପ୍ନକୁ ହିଁ କ୍ୟାରିୟର ଆଉ ବ୍ୟବସାୟରେ ପରିଣତ କରିପାରିଛନ୍ତି । ଏଭଳି ଜଣେ ସଫଳ ବ୍ୟକ୍ତି ‘ଦି ଚାଏ ୱାଲା’ର ରିଅଲ ହିରୋ ଫୈଜଲ ୟୁସୁଫ ।

ଫୈଜଲ ମୂଳତଃ କେରଳର ଆଲାପ୍ପୁଷା ଅଞ୍ଚଳର । ଫୈଜଲଙ୍କ ଚା’ ପ୍ରତି ବିଶେଷ ରୁଚିଥିଲା । ସେ ନିଜର ଏହି ପସନ୍ଦର ଜିନିଷକୁ ନିଜର କ୍ୟାରିୟର ଏବଂ ସଫଳ ବ୍ୟବସାୟରେ ପରିଣତ କରିସାରିଛନ୍ତି । ତାଙ୍କର ଏହି ବ୍ୟବସାୟ ଏକ ବ୍ରାଣ୍ଡରେ ପରିଣତ ହୋଇସାରିଛି । ଏ ହେଉଛନ୍ତି ସେହି ଫୈଜଲ ଯିଏ ନିଜର ବ୍ରାଣ୍ଡ ‘ଦି ଚାଏ ୱାଲା’ ପାଇଁ ସବୁଠାରେ ପରିଚିତ । ଆସନ୍ତୁ ଜାଣିବା ସେ କେମିତି ନିଜର ଏହି ଛୋଟ ଅଭ୍ୟାସକୁ ଗୋଟିଏ ସଫଳ ବ୍ୟବସାୟରେ ପରିଣତ କରିଦେଇଛନ୍ତି ।

ଫୈଜଲଙ୍କ ବାପାଙ୍କ ଦେହାନ୍ତ ବହୁ କମ ବର୍ଷରେ ହୋଇଯାଇଥିଲା । ଏହା ପରେ ତାଙ୍କୁ ଜୀବନ ଅନେକ କିଛି ଶିକ୍ଷା ଦେଇଚାଲିଥିଲା ଆଉ ସେ ଗୋଟିଏ ପରେ ଗୋଟିଏ ପାଦ ଆଗକୁ ଚାଲିଯାଉଥିଲେ । ସେ ଯେତେବେଳେ ହାଇସ୍କୁଲରେ ଥିଲେ ତାଙ୍କୁ ପ୍ରଥମେ ଖବର କାଗଜ ବାଣ୍ଟିବାକୁ ପଡିଥିଲା । ତେବେ ସେ ଯେଉଁ ମାଲିକଙ୍କ ପାଖରେ କାମ କରୁଥିଲେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହା ପରେ ସେ ଏଥିରେ କୌଣସି ଭବିଷ୍ୟତ ନଥିବା ଜାଣି ସେହି କାମ ଛାଡିଦେଇଥିଲେ । ପରେ ସେ ମାର୍କେଟିଂ କାମ ଆରମ୍ଭ କରିଥିଲେ । ଯେଉଁ କାରଣରୁ ସେ ଅନେକ ଦେଶ ବିଦେଶ ଗସ୍ତ କରିଥିଲେ । ଯେତେବେଳେ ସେ ଇଂଲଣ୍ଡରେ ପହଞ୍ଚିଥିଲେ ଆଉ ସେଠାରେ ରହିବାକୁ ନିଷ୍ପତ୍ତି ନେଇଥିଲେ । ୧୦ ବର୍ଷ ସେଠାରେ ଖାଦ୍ୟ ବ୍ୟବସାୟରେ କାମ କରିବାପରେ ତାଙ୍କ ମନରେ ‘ଦି ଚାଏ ୱାଲା’ କରିବାର ଆଶା ଆସିଥିଲା । ଗୋଟିଏ ସାକ୍ଷାତକାରରେ ସେ କହିଥିଲେ ଯେ ଅନେକ ସମୟରେ ଖାଦ୍ୟ ବ୍ୟବସାୟରେ ମସାଲା ଚାହାର ଅଭାବ ଅନୁଭବ କରିଥିଲେ । ଇଂଲଣ୍ଡରେ ସେ ଏହାର କମି ମଧ୍ୟ ଅନୁଭବ କରିଥିଲେ । ତେଣୁ ସେ ବିଭିନ୍ନ ରେସିପିକୁ ନେଇ ନିଜର ପ୍ରୟୋଗ ଆରମ୍ଭ କରିଦେଇଥିଲେ । ଏଥିରେ ସଫଳତା ପାଇବା ପରେ ସେ ଇଂଲଣ୍ଡର ଛୋଟ ଛୋଟ ମାର୍କେଟରେ ଏହାର ବ୍ୟବସାୟ ଆରମ୍ଭ କରିଦେଇଥିଲେ । ତେବେ ସେଥିରେ ସଫଳ ହୋଇଥିଲେ ବି ତାଙ୍କୁ ଲାଗିଥିଲା ଯେ ଏହା ପାଇଁ ଭାରତ ହିଁ ସର୍ବଶ୍ରେଷ୍ଠ ବଜାର । ଏଥିପାଇଁ ୨୦୧୮ରେ ଭାରତ ଫେରିଆସିଥିଲେ । ଏଠାରେ ଚାହାକୁ ଭଲ ପାଉଥିବା ଲୋକଙ୍କ ପାଇଁ ଆରମ୍ଭ କରିଥିଲେ ‘ଦି ଚାଏ ୱାଲା’ ।

ଆଜି ଏହି କମ୍ପାନୀର କେରଳ ଏବଂ କର୍ଣ୍ଣାଟକରେ ୫୦ରୁ ଅଧିକ ଆଉଟଲେଟ ରହିଛି । ସେ ଶୀଘ୍ର ଚେନ୍ନାଇ, ହାଇଦ୍ରାବାଦ ସହ ଅନ୍ୟ ସହରରେ ଏହାର ଆଉଟଲେଟ ଖୋଲିବାକୁ ଯାଉଛନ୍ତି । ଯେତେବେଳେ ସେ ଚା ଦୋକାନର ଏହି ନୂଆ ଅନ୍ଦାଜ ବାବଦରେ ଘରେ ଜଣାଇଥିଲେ ସେତେବେଳେ ପରିବାର ଏଥିରେ ତାଙ୍କୁ ସମର୍ଥନ ଦେଇଥିଲେ । ତାଙ୍କର ଏହି ଷ୍ଟଲ କଳା ଧଳା ରଙ୍ଗରେ ବେସ ଆକର୍ଷଣୀୟ ଦେଖାଯାଏ । ଏଠାରେ ୫୦କୁ ଅଧିକ ପ୍ରକାରର ଚା, ସ୍ନାକ୍ସ, କଫି ଉପଲବ୍ଧ ରହିଛି । ୧୫ ଟଙ୍କାରୁ ନେଇ ୮୦ ଟଙ୍କା ପର୍ଯ୍ୟନ୍ତ ଏହି ସାମଗ୍ରୀ ବିକ୍ରି ହୋଇଥାଏ । ଏହା ବର୍ତ୍ତମାନ ଦେଶ ବିଦେଶକୁ ମଧ୍ୟ ବ୍ୟାପିବା ଆରମ୍ଭ କରିସାରିଛି ।