ନବ ଦାସ ହତ୍ୟା ଘଟଣାରେ ସରକାର ଓ ପୋଲିସ ଡିଜିଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ । ଆଇନଶୃଙ୍ଖଳା ଉପରେ ଉଠାଇଲେ ପ୍ରଶ୍ନ…

118

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ରାଜ୍ୟ ସରକାର ଓ ପୁଲିସ ଡିଜିଙ୍କ ଉପରେ ବର୍ଷିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ମନ୍ତ୍ରୀ ଓ ଅଫିସରଙ୍କ ଉପରେ ଆକ୍ରମଣ ହେଉଛି । ବାଲେଶ୍ୱରରେ ବାଲି ମାଫିଆ ଉପ ଜିଲ୍ଲାପାଳଙ୍କୁ ଆକ୍ରମଣ କଲେ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଜଣେ ପୁଲିସ କର୍ମୀ ହତ୍ୟା କଲେ । ଗୋଟିଏ ଶାନ୍ତିପ୍ରିୟ ରାଜ୍ୟରେ ଏଭଳି ଘଟଣା ଘଟିବା ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଛି ବୋଲି ସେ କହିଛନ୍ତି । ରାଜ୍ୟ ସରକାର ମନେ ରଖିବା ଉଚିତ ଯେ ଦାୟିତ୍ୱ ମିଳିଛି, ହେଲେ ଜାଗିର ନୁହେଁ । ନବ ଦାସଙ୍କ ହତ୍ୟା ଘଟଣାରେ କମିସନ ଆକ୍ଟରେ ନ୍ୟାୟାଧୀଶ ନିଯୁକ୍ତ ହୋଇନାହାନ୍ତି, ତଦାରଖ କରୁଥିବା ଅବସରପ୍ରାପ୍ତ ନ୍ୟାୟାଧୀଶଙ୍କ ଅଧିକାର କ’ଣ, ସେଥିରେ ସ୍ପଷ୍ଟତା ନାହିଁ ବୋଲି ତଦନ୍ତ ଉପରେ ହାଇକୋର୍ଟର ତଦାରଖ ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ତେଣୁ କ୍ରାଇମବ୍ରାଞ୍ଚ ତଦନ୍ତ ବିଶ୍ୱସନୀୟ ନୁହେଁ ବୋଲି ସେ କହିଛନ୍ତି । ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା ହେବା ଆଉ ଏହି ଘଟଣାରେ ଗୃହ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନିରବତା ଅବଲମ୍ବନ କରିବା ଏବଂ ଡିଜି ମହାପ୍ରଭୁଙ୍କ ନାଁରେ ଖସିବାକୁ ଉଦ୍ୟମ କରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।