ମାଡ଼ି ଆସୁଛି ପ୍ରଚଣ୍ଡ ତାତି, ସତର୍କ କଲା ପାଣିପାଗ ବିଭାଗ : ଚଳିତ ବର୍ଷ ମାର୍ଚ୍ଚରୁ ମେ ମାସ ମଧ୍ୟରେ ରାଜ୍ୟ ଉପରେ ଅଧିକ ରହିବ ସୂର୍ଯ୍ୟଙ୍କ ପ୍ରକୋପ

ଆସନ୍ତା ତିନି ମାସରେ ତାପମାତ୍ରା ସ୍ୱାଭବିକ ଠାରୁ ଅଧିକା ରହିବା ପୂର୍ବାନୁମାନ

367

କନକ ବ୍ୟୁରୋ : ଚଳିତ ବର୍ଷ ଅତ୍ୟଧିକ ଗ୍ରୀଷ୍ମ ଲହରି ପ୍ରବାହରେ ସନ୍ତୁଳି ହେବ ଓଡ଼ିଶା । ଗତ ୪ ଦିନରେ ଏହାର ସ୍ପଷ୍ଟ ପ୍ରମାଣ ପାଇସାରିଛନ୍ତି ଓଡ଼ିଶାବାସୀ । ଚଳିତ ବର୍ଷ ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ସୂର୍ଯ୍ୟଙ୍କ ପ୍ରକୋପ ଓଡ଼ିଶା ଉପରେ ଟିକେ ଅଧିକ ରହିବ। ଏହି ତିନି ମାସରେ ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ । ତେବେ ମିଳିଥିବ‌ା ତଥ୍ୟ ଅନୁଯାୟୀ ଏହି ୩ ମାସରେ ଓଡ଼ିଶାର ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ହାରାହାରି .୬୬ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବ । ଆଜି ଭୂ-ବିଜ୍ଞାନ ମନ୍ତ୍ରଣାଳୟ ପକ୍ଷରୁ ‌ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ତାପମାତ୍ରାକୁ ନେଇ ଏଭଳି ପୂର୍ବାନୁମାନ କରାଯାଇଛି ।

ତଥ୍ୟ ଅନୁଯାୟୀ, ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ଉତ୍ତର, ଉତ୍ତର-ପଶ୍ଚିମ ଓ ଉତ୍ତର-ପୂର୍ବ ଭାରତର ଅଧିକାଂଶ ଅଞ୍ଚଳରେ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ଏଥିସହ କେନ୍ଦ୍ରୀୟ ଭ‌ାରତର ପୂର୍ବ (ଛତିଶଗଡ଼ ଓ ଓଡ଼ିଶା) ଏବଂ ପଶ୍ଚିମ ଭାଗ ସମେତ ଉତ୍ତର ଉପଦ୍ବୀପ ଭାରତର ଉପକୂଳବର୍ତ୍ତୀ ଅଞ୍ଚଳ (ଗୋଆ ଓ ଉପକୂଳ ଆନ୍ଧ୍ରପ୍ରଦେଶ)ର କିଛି କିଛି ସ୍ଥାନରେ ବି ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ଏହି କ୍ରମରେ ଆସନ୍ତା ୩ ମାସରେ ଓଡ଼ିଶାର ତାପମାତ୍ରା ବି ସ୍ବାଭାବିକଠାରୁ ଅଧିକ ରହିବ ଓ ସ୍ଥଳ ବିଶେଷରେ ବହୁତ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏଥିସହ ଏହି ଆକଳନ ୭୦ରୁ ୧୦୦% ସଠିକ୍‌ ବୋଲି କେନ୍ଦ୍ର ପକ୍ଷରୁ ଦୃଢ଼ୋକ୍ତି ଦିଆଯାଇଛି ।

ସେହିଭଳି ହିମାଳୟ ପାଦଦେଶ ସମେତ ଉତ୍ତର ଭାରତ, ଉତ୍ତର-ପୂର୍ବ ଭାରତ, କେନ୍ଦ୍ରୀୟ ଭାରତର ପଶ୍ଚିମ ଭାଗ ଆଦିରେ ସର୍ବନିମ୍ନ ତାପମାତ୍ରା ବି ସ୍ବାଭାବିକଠାରୁ ଅଧିକ ରହିବ। କେନ୍ଦ୍ରୀୟ ଭାରତର ପୂର୍ବ ଭାଗ ସମେତ ଉତ୍ତର ଭାରତର ସୀମାନ୍ତବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଏହି ତିନି ମାସରେ ରାତିର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ କମ୍‌ ରହିବ। ବର୍ତ୍ତମାନ ବିଷୁବରେଖା ନିକଟସ୍ଥ ପ୍ରଶାନ୍ତ ମହାସାଗରରେ ଜଳପତ୍ତନର ତାପମାତ୍ରା ସ୍ବାଭାବିକଠାରୁ କମ୍‌ ରହିଛି। ଏହାକୁ ଲା-ନିନା କୁହାଯାଏ। ଗତ ଅଗଷ୍ଟ ମାସରେ ବିଶ୍ବସ୍ତରରେ ସୃଷ୍ଟି ହୋଇଥିବା ଲା-ନିନା ମେ’ ଯାଏ ଚାଲୁ ରହିବ ବୋଲି ଭୂ-ବିଜ୍ଞ‌ାନ ମନ୍ତ୍ରଣାଳୟ ପକ୍ଷରୁ ସଦ୍ୟ ପ୍ରକାଶିତ ବିଜ୍ଞପ୍ତିରୁ ଜଣାପଡ଼ିଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି, ବର୍ତ୍ତମାନ ଚାଲିଥିବା‌ ଲା-ନିନା ଏପ୍ରିଲ ଯାଏ ଚାଲିବ। ଏହାପରେ ନ୍ୟୁଟ୍ରାଲ୍‌ ଅବସ୍ଥା ଆସିବ। ଲା-ନିନାର ପ୍ରଭାବରେ ଚଳିତ ବର୍ଷ ଉତ୍ତର ଭାରତରେ ଅଧିକ ଥଣ୍ଡା ହୋଇଥିବା ବେଳେ ଦକ୍ଷିଣ ଭାରତରେ ବର୍ଷା ଅଧିକ ହୋଇଥିଲା। କିନ୍ତୁ ଲା-ନିନା ପ୍ରଭାବରେ ନା ଓଡ଼ିଶାରେ ଅତ୍ୟଧିକ ଥଣ୍ଡା ଦେଖାଯାଇଥିଲା ନା ବର୍ଷା ହୋଇଥିଲା। ଚଳିତ ବର୍ଷ ଓଡ଼ିଶାରେ ଶୀତ ଦିନ ସଂଖ୍ୟା କମ୍‌ ଓ ଶୀତ ପ୍ରଭାବ କମ୍‌ ରହିଥିବା ବେଳେ ଡିସେମ୍ବରଠାରୁ ୩ ମାସ ପର୍ଯ୍ୟନ୍ତ ରାଜ୍ୟରେ ବିଲ୍‌କୁଲ ବର୍ଷ‌ା ହୋଇନାହିଁ। ଉଲ୍ଲେଖଯୋଗ୍ୟ, ଲା-ନିନା ପ୍ରଭାବରେ ଅତ୍ୟଧିକ ଥଣ୍ଡା ଓ ବର୍ଷା ହୋଇଥାଏ।