ଗଞ୍ଜାମ ଜିଲ୍ଲା ଜାତୀୟ ରାଜପଥ ୧୬ ହୁମା ନିକଟରେ ଅଘଟଣ : ଓଲଟିଲା ଗ୍ୟାସ ଟ୍ୟାଙ୍କର, ଟ୍ୟାଙ୍କରରେ ଆମୋନିଆ ଗ୍ୟାସ ରହିଥିବା ସୂଚନା

ପାରାଦ୍ୱୀପରୁ ବିଶାଖାପାଟଣା ଯାଉଥିଲା ଟ୍ୟାଙ୍କର; ସ୍ଥାନୀୟ ଅଂଚଳରେ ଭୟର ବାତାବରଣ, ଉଦ୍ଧାର କାର୍ଯ୍ୟ ଉପରେ ନଜର

60

କନକ ବ୍ୟୁରୋ : ଓଲଟିଲା ଗ୍ୟାସ ଟ୍ୟାଙ୍କର । ଗଞ୍ଜାମ ଜିଲ୍ଲା ଜାତୀୟ ରାଜପଥ ୧୬ ହୁମା ନିକଟରେ ଏହି ଘଟଣା ଘଟିଛି । ଟ୍ୟାଙ୍କରରେ ଆମୋନିଆ ଗ୍ୟାସ ରହିଥିବା ସୂଚନା ମିଳିଛି । ଟ୍ୟାଙ୍କର ପାରାଦ୍ୱୀପରୁ ବିଶାଖାପାଟଣା ଯାଉଥିବା ସମୟରେ ଏହି ଅଘଟଣ ଘଟିଛି । ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଦେଖାଦେଇଛି । ଜାତୀୟ ରାଜପଥ ୧୬ରେ ଗମନାଗମନ ବାଧାପ୍ରାପ୍ତ ହୋଇଛି । ଫଳରେ ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଗାଡି ଅଟକି ରହିଛି । କୋଲକାତା-ଚେନ୍ନାଇ ଜାତୀୟ ରାଜପଥରେ ଏହି ଜାମ ପରିସ୍ଥିତି ସୃଷ୍ଟି ହୋଇଛି ।

ବିଶେଷ କରି ଭୁବନେଶ୍ୱରରୁ ବ୍ରହ୍ମପୁର ଏବଂ ବ୍ରହ୍ମପୁରରୁ ଭୁବନେଶ୍ୱର ଯାଆସ କରୁଥିବା ଗାଡି ଗୁଡିକର ରୁଟରେ ପରିବର୍ତନ ହୋଇଛି । ବ୍ରହ୍ମପୁରରୁ ଭୁବନେଶ୍ୱର ଆସୁଥିବା ଗାଡି ଗୁଡିକ ଫୁକୁଡିବନ୍ଧ ଜଙ୍ଗସନ ଦେଇ ପୁରୁଷୋତମପୁର ଏବଂ ହୁମା ଅତିକ୍ରମ କରି ଭୁବନେଶ୍ୱର ଆସୁଛନ୍ତି । ଏବଂ ଯେଉଁ ଗାଡି ଗୁଡିକ ଭୁବନେଶ୍ୱରରୁ ବ୍ରହ୍ମପୁର ଯାଉଛି, ସେମାନେ ହୁମାରୁ ପୁରୁଷୋତମପୁର ଦେଇ ଫୁକୁଡିବନ୍ଧ ଜଙ୍ଗସନ ନିକଟରେ ବାହାରିବା ପରେ ଜାତୀୟ ରାଜପଥରେ ଯାଆସ କରୁଛନ୍ତି । ଏବେ ଓଲଟି ପଡିଥିବା ଟ୍ୟାଙ୍କରର ଉଦ୍ଧାର ଉପରେ ସମସ୍ତଙ୍କର ନଜର ରହିଛି ।