ଦିଲ୍ଲୀ ରାଜପଥରେ ଗଡିବନି ଓଡିଶାର ପ୍ରଜ୍ଞାପନ ମେଢ । ଚୂଡାନ୍ତ ପର୍ଯ୍ୟାୟକୁ ଯାଇଥିଲା ବକ୍ସି ଓ ପାଇକ କାହାଣୀ । କାହିଁକି ପଡିଲା ବାଦ, ଉଠିଲା ପ୍ରଶ୍ନ

379

କନକ ବ୍ୟୁରୋ: ସାତ ଦିନ ପରେ ଦେଶ ପାଳିବ ୭୩ ତମ ସାଧାରଣତନ୍ତ୍ର ଦିବସ କିନ୍ତୁ ଚଳିତ ବର୍ଷ ଦିଲ୍ଲୀ ରାଜପଥ ପରେଡରେ ଶୋଭା ପାଇବନି ଓଡିଶାର ପ୍ରଜ୍ଞାପନ ମେଡ । ରାଜ୍ୟ ପକ୍ଷରୁ କେନ୍ଦ୍ରୀୟ ଚୟନ କମିଟିକୁ ୫ଟି ଡିଜାଇନ ପଠାଯାଇଥିଲା  ହେଲେ, ଓଡିଶାର ସମସ୍ତ ଡିଜାଇନକୁ କେନ୍ଦ୍ର ଚୟନ କମିଟି କାଟି ଦେଇଛନ୍ତି । ଓଡିଶା ଭଳି ତାମିଲନାଡୁ, ପଶ୍ଚିମବଙ୍ଗ ଓ କେରଳ ପକ୍ଷରୁ ଦିଆଯାଇଥିବା ଡିଜାଇନ ବି କାଟ୍ ଖାଇଯାଇଛି । ତେବେ ତାମିଲନାଡୁ, କେରଳ ଓ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ କେନ୍ଦ୍ରର ଆଭିମୁଖ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି କିନ୍ତୁ ଓଡିଶା ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ପ୍ରତିବାଦ କରାଯାଇ ନାହିଁ , ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

୭୩ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ରାଜପଥରେ ପ୍ରଦର୍ଶିତ ହେବା ପାଇଁ ଓଡ଼ିଶା ପକ୍ଷରୁ ଦିଆଯାଇଥିଲା ୫ଟି ଡିଜାଇନ୍ । ସେଥିରେ ଥିଲା ୧୮୧୭ ମସିହାର ପାଇକ ବିଦ୍ରୋହ ଓ ବକ୍ସି ଜଗବନ୍ଧୁ, ସ୍ୱାଧୀନତା ସଂଗ୍ରାମରେ ଜୟୀ ରାଜଗୁରୁ, ଚାଖି ଖୁଣ୍ଟିଆଙ୍କ ସଂଘର୍ଷର କାହାଣୀ, ରାଜ୍ୟରେ ହକି ଭିତ୍ତିଭୂମି ଓ ହକି ବିକାଶରେ ଓଡ଼ିଶାର ଅବଦାନ ଭଳି ଗୌରବ ଗାଥା । ଏହି ସବୁ ଭିତରୁ ପ୍ରଥମ ରାଉଣ୍ଡରେ ବକ୍ସି ଜଗବନ୍ଧୁ ଓ ପାଇକ ବିଦ୍ରୋହ ମଡେଲକୁ ପସନ୍ଦ କରିଥିଲେ ଚୟନ କମିଟି । ତିନି ରାଉଣ୍ଡ ପର୍ଯ୍ୟନ୍ତ ସବୁ ଠିକ୍ ଠାକ୍ ଚାଲିଥିଲା, ହେଲେ ଚତୁର୍ଥ ରାଉଣ୍ଡରେ ଏହା କାଟ ଖାଇ ଯାଇଥିଲା । କାଟ ଖାଇବା ପଛରେ ସେପରି ବଡ଼ କାରଣ ଦର୍ଶାନଥିବାରୁ ଏହାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି ।

୧୯୫୨ ମସିହାରେ ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରଥମେ ସାମିଲ ହୋଇଥିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ୧୨ ଥର ଦିଲ୍ଲୀ ରାଜପଥରେ ପ୍ରଦର୍ଶିତ ହୋଇଛି ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ୨୦୨୦ରେ ମଧ୍ୟ ଏହା ପ୍ରଦର୍ଶିତ ହୋଇଥିଲା । କ୍ରମାଗତ ୫ ବର୍ଷ ଧରି ଗୁଜରାଟର ପ୍ରଜ୍ଞାପନ ମେଢ଼କୁ ଅନୁମତି ଦେଇଆସୁଛନ୍ତି କେନ୍ଦ୍ର ସରକାର । ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଉଚ୍ଚ ପ୍ରଶଂସିତ ହୋଇ ଆସୁଥିବା ବେଳେ କାହିଁକି ଏଥର ବାଦ ପଡ଼ିଲା, ଏ ନେଇ ପ୍ରଶ୍ନ ଉଠିଛି…

  • ବାଦ ପଡ଼ିଲା ପଶ୍ଚିମବଙ୍ଗ, ତାମିଲନାଡୁ, କେରଳର ପ୍ରଜ୍ଞାପନ ମେଢ଼
  • କେନ୍ଦ୍ର ନିକଟରେ ତିନି ରାଜ୍ୟର ଜୋରଦାର ପ୍ରତିବାଦ
  • ପ୍ରତିବାଦ କରିବାରେ ପଛରେ ପଡ଼ିଲା ଓଡ଼ିଶା

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅବଦାନକୁ ନେଇ ପ୍ରଜ୍ଞାପନ ମେଢ଼ ପାଇଁ ପ୍ରସ୍ତାବ ଦେଇଥିଲା ପଶ୍ଚିମବଙ୍ଗ । ଯାହା କାଟ ଖାଇ ଯାଇଛି । ସେହିପରି ତାମିଲନାଡୁ ଓ କେରଳର ପ୍ରସ୍ତାବିତ ଡିଜାଇନ୍ ବାଦ ପଡିଛି । ଏହି ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ସମାଜ ସଂସ୍କାରକ ନାରାୟଣ ଗୁରୁ ଓ ଜଟାୟୁ ପାର୍କ ଐତିହ୍ୟକୁ ନେଇ କେରଳ ପକ୍ଷରୁ ଡିଜାଇନ୍ ଦିଆଯାଇଥିଲା । ଯାହା କାଟ ଖାଇ ଯାଇଥିଲା । ଆଦି ଶଙ୍କରାଚାର୍ଯ୍ୟକୁ ନେଇ ପ୍ରଜ୍ଞାପନ ମେଢ଼ କରିବାକୁ ପ୍ରସ୍ତାବ ଦେଇଥିଲା କେନ୍ଦ୍ର । ହେଲେ ଏହାକୁ ପ୍ରତ୍ୟାଖ୍ୟାନ କରିଛି କେରଳ । ପ୍ରଜ୍ଞାପନ ମେଢ଼କୁ ନେଇ ତିନି ରାଜ୍ୟ ପ୍ରତିକ୍ର୍ରିୟାଶୀଳ ହୋଇଥିବା ବେଳେ ଓଡ଼ିଶା କିନ୍ତୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ପ୍ରତିବାଦ କରିନଥିବା ଜଣାପଡିଛି ।

ନଜର ପକାନ୍ତୁ କିପରି ହୋଇଥାଏ ପ୍ରଜ୍ଞାପନ ମେଢ଼ ଚୟନ

  • ପ୍ରତିରକ୍ଷା ମନ୍ତ୍ରାଳୟ ଏ ନେଇ ଚୟନ କମିଟି ଗଢ଼ିଥାଏ
  • ଚୟନ କମିଟିରେ କଳା, ସଂସ୍କୃତି, ଭାସ୍କର୍ଯ୍ୟ, ସଂଗୀତ, ସ୍ଥାପତ୍ୟ ଜଗତର ବିଶିଷ୍ଟ ବ୍ୟକ୍ତି ରହିଥାନ୍ତି
  • ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରସ୍ତାବ ଗ୍ରହଣ କରାଯାଏ
  • ବିଷୟବସ୍ତୁ, ଭାବନା, ଡିଜାଇନ୍ ଆଦିକୁ ଦୃଷ୍ଟିରେ ରଖି ପ୍ରସ୍ତାବକୁ ଅନୁମୋଦନ ଦିଆଯାଏ
  • ଏହାପରେ ସ୍କେଚ୍ ପଠାଇଥାନ୍ତି ରାଜ୍ୟ
  • ବିଭିନ୍ନ ପର୍ଯ୍ୟାୟରେ ଚୟନ ହେବା ପରେ ମଡେଲ ନିର୍ମାଣ ପାଇଁ କୁହାଯାଇଥାଏ

ବକ୍ସି ଜଗବନ୍ଧୁ ଓ ପାଇକ ବିଦ୍ରୋହକୁ ନେଇ ଓଡ଼ିଶା ଯେଉଁ ଡିଜାଇନ ଦେଇଥିଲା, ତିନି ରାଉଣ୍ଡ ପର୍ଯ୍ୟନ୍ତ ଚୟନ କମିଟି ଏହାକୁ ଉଚ୍ଚ ପ୍ରଶଂସା କରିଥିଲା । ତେବେ କାହିଁକି ଚତୁର୍ଥ ରାଉଣ୍ଡରେ ବାଦ ପଡ଼ିଲା ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ କେନ୍ଦ୍ର ସରକାର ରାଜି ନହେବା ପରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ବାଦ ପଡ଼ିଥିବା ନେଇ ଅଭିଯୋଗ ହୋଇଛି ।