କ୍ରିକେଟ କ୍ରେଜ । ଷ୍ଟାଡିୟମ ଭିତରକୁ ନଥିଲା ପ୍ରବେଶ ଅନୁମତି, ଷ୍ଟାଡିୟମ ବାହାରେ ଗାଡି ଉପରେ ତ୍ରିରଙ୍ଗା ଧରି ମ୍ୟାଚ୍ ଦେଖିଲେ ଭାରତୀୟ କ୍ରିକେଟପ୍ରେମୀ ।

114

କନକ ବ୍ୟୁରୋ : କ୍ରିକେଟ ପାଗଳ ଦେଶ ହେଉଛି ଭାରତ । କ୍ରିକେଟକୁ ନେଇ ଭାରତୀୟଙ୍କ ମଧ୍ୟରେ କେତେ କ୍ରେଜ ତାହା କାହାକୁ ଅଛପା ନାହିଁ । ଭାରତରେ କ୍ରିକେଟ ଖେଳ ହେଲେ ଷ୍ଟାଡିୟମରେ ଖଚାଖଚ ଭିଡ ଦେଖିବାକୁ ମିଳେ । କିନ୍ତୁ କରୋନା କାରଣରୁ ଗତ ୨ ବର୍ଷ ହେବ ଷ୍ଟାଡିୟମରେ ଖେଳ ଦେଖିବାର ସୁଯୋଗ ପାଇନାହାନ୍ତି ଦର୍ଶକ । କିନ୍ତୁ କ୍ରିକେଟ ପ୍ରତି ଭାରତୀୟଙ୍କ ଭଲପାଇବା ଖେଳ ଦେଖିବାରୁ କେବେ ଅଟକାଇ ପାରିନାହିଁ । କ୍ରିକେଟ ପ୍ରତି ଭାରତୀୟଙ୍କ କେତେ ଭଲପାଇବା ରହିଛି ତାହାର ଝଲକ ଏଥର ବିଦେଶରେ ଦେଖିବାକୁ ମିଳିଛି । ଯେଉଁଠି ଭାରତୀୟ ପ୍ରଂଶସକ ପଡିଆ ବାହାରେ କାର୍ ଉପରେ ଛିଡା ହୋଇ ଖେଳ ଦେଖୁଥିବାର ଫଟୋ ଏବେ ସାମ୍ନାକୁ ଆସିଛି ।

ଏବେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ ଖେଳୁଛି । ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ମୁକାବିଲା ଖେଳାଯାଉଛି । ତେବେ କରୋନା କାରଣରୁ ଖେଳ ଦେଖିବାକୁ ଦର୍ଶକଙ୍କୁ ଷ୍ଟାଡିୟମ ଭିତରକୁ ଅନୁମତି ମିଳିନାହିଁ । ଟେଷ୍ଟ ସିରିଜରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । କିନ୍ତୁ ଷ୍ଟାଡିୟମ ଭିତରେ ନହେଲା ନାହିଁ ଷ୍ଟାଡିୟମ ବାହାରେ ଖେଳ ଦେଖିବାକୁ ଭିନ୍ନ ତରିକା ଆପଣାଇଛନ୍ତି ଭାରତୀୟ କ୍ରିକେଟପ୍ରେମୀ ।

ବୋଲାଣ୍ଡ ପାର୍କରେ ଖେଳାଯାଉଥିବା ଏହି ମ୍ୟାଚକୁ ନିଆରା ଢଙ୍ଗରେ ଦେଖିଛନ୍ତି ଭାରତୀୟ ପ୍ରଂଶସକ । ପଡିଆ ବାହାରେ କାର୍ ରଖି ଏହା ଉପରେ ଚଢି ଖେଳ ଦେଖିଛନ୍ତି ଭାରତୀୟ ପ୍ରଂଶସକ । ଏହାସହ ପଡିଆ ବାହାରକୁ ତ୍ରିରଙ୍ଗା ଉଡାଇ ଭାରତୀୟ ଦଳକୁ ଚିୟର କରିଛନ୍ତି । ଯାହାର ଫଟୋ ଟ୍ୱିଟର ପେଜରେ ସେୟାର କରିଛି ବିସିସିଆଇ । ଆଉ ଯାହା ଦର୍ଶାଇଛି କ୍ରିକେଟ ପ୍ରତି ଭାରତୀୟଙ୍କର ଥିବା ଭଲପାଇବା । ବୋଲାଣ୍ଡ ପାର୍କରେ ଏଯାବତ ଭାରତ ଅପରାଜେୟ ରହିଛି । ଅନ୍ୟପଟେ ରୋହିତଙ୍କ ଅନୁପସ୍ଥିତିରେ ଆଜି ରାହୁଲଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ ।