ବଢ଼ୁଛି ଖରା, ମାର୍ଚ୍ଚ ପହିଲାରୁ ସକାଳୁଆ ହେବ ସ୍କୁଲ : ନବମ ଓ ଏକାଦଶ ସକାଳ ୭ଟାରୁ ୯ଟା ଏବଂ ଦଶମ ଓ ଦ୍ୱାଦଶ ୯ଟାରୁ ଗୋଟାଏ ପର୍ଯ୍ୟନ୍ତ ପାଠପଢ଼ା

ସ୍କୁଲରେ ରହିବ ପର୍ଯ୍ୟାପ୍ତ ପାଣି

161
କନକ ବ୍ୟୁରୋ : ଫେବ୍ରୁଆରିରୁ ଅସହ୍ୟ ଗରମ । ସ୍ଥିତି ଏମିତି ହେଲାଣି ଯେ ପୂର୍ବାହ୍ନରୁ ଲୋ‌କେ ଘରୁ ବାହାରି ପାରୁନାହାନ୍ତି । ଭୁବନେଶ୍ବର ଦେଶର ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି । ଅନ୍ୟ ସହରଗୁଡ଼ିକର ତାପମାତ୍ରା ବି ଅନୁରୂପ ଭାବେ ବଢ଼ି ଚାଲିଛି । ଆଗକୁ ସ୍ଥିତି ଆହୁରି ବିଗିଡ଼ିବାର ଆଶଙ୍କା ଥିବା ନେଇ ପାଣିପାଗ ବିଭାଗ ଓ ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଆକଳନ କରାଯାଇଛି । ଏନେଇ ଦୁଇ ଦିନ ତଳେ ଏସ୍‌ଆରସିଙ୍କ ପକ୍ଷରୁ ହିଟ୍‌ୱେଭ୍‌ ସତର୍କତା ଜାରି ହୋଇଥିଲା ।
ଯାହାକୁ ଆଧାର କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ପଦକ୍ଷେପ ନିଆଯାଇଛି । ମାର୍ଚ୍ଚ ପହିଲାରୁ ସକାଳୁଆ ସ୍କୁଲ ହେବ । କରୋନା ସଂକ୍ରମଣ ଯୋଗୁଁ ଏବେ କେବଳ ୯ମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଚାଲିଛି । ତେଣୁ ଏହି ୪ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଠପଢ଼ା ସକାଳ ୭ଟାରୁ ଆରମ୍ଭ କରି ଅପରାହ୍‌ଣ ୧ଟା ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ଭବତଃ ଓଡ଼ିଶା ଶିକ୍ଷା ଇତିହାସରେ ପ୍ରଥମଥର ଲାଗି ମାର୍ଚ୍ଚ ପହିଲାରୁ ରାଜ୍ୟରେ ସକାଳୁଆ ସ୍କୁଲ ହେବାକୁ ଯାଉଛି । ପୂର୍ବରୁ କେବେ ବି ଏଭଳି ସ୍ଥିତି ହୋଇ ନ ଥିବା ଶିକ୍ଷାବିତ୍‌ମାନେ କହିଛନ୍ତି ।
ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁଯାୟୀ, ୯ମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଏବେ ସକାଳ ୮ଟା ୩୦ରୁ ୧୦ଟା ପର୍ଯ୍ୟନ୍ତ ଚାଲିଛି। ‌ମାର୍ଚ୍ଚ ପହିଲାରୁ ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ଏହି ଦୁଇ ଶ୍ରେଣୀ ପିଲାଙ୍କ ପାଠପଢ଼ା ହେବ। ସେହିପରି ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପୂର୍ବାହ୍ନ ୧୧ଟାରୁ ଅପରାହ୍‌ଣ ୪ଟା ବଦଳରେ ସକାଳ ୯ଟାରୁ ଅପରାହ୍‌ଣ ଗୋଟାଏ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସ୍କୁଲଗୁଡ଼ିକରେ ପର୍ଯ୍ୟାପ୍ତ ପାନୀୟଜଳର ବ୍ୟବସ୍ଥା‌ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନଙ୍କୁ କୁହାଯାଇଛି । ଯଦି କୌଣସି ବିଦ୍ୟାଳୟରେ ନଳକୂପ ଅଚଳ ଥିବ, ତେବେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ପୌରସଂସ୍ଥା ସହ ଆଲୋଚନା କରି ପଦକ୍ଷେପ ନେବେ । ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରରୁ ପର୍ଯ୍ୟାପ୍ତ ପରିମାଣର ଓଆରଏସ୍‌ ଆଣି ସ୍କୁଲରେ ମହଜୁଦ୍‌ ରଖିବାକୁ ପରାମର୍ଶ ଦିଆଯାଇଛି । ଶ୍ରେଣୀଗୃହ ବାହାରେ କୌଣସି କାର୍ଯ୍ୟକଳାପ ନ କରିବାକୁ କୁହାଯାଇଛି ।
କୋଭିଡ୍‌-୧୯ ପରେ ଯେଉଁ ବିଦ୍ୟାଳୟଗୁଡ଼ିକ ପରିବହନ ସେବା ବନ୍ଦ ରଖିଛନ୍ତି, ସେମାନେ ପୁଣିଥରେ ଆରମ୍ଭ କରିପାରିବେ । ତେବେ ବସ୍‌ରେ ପରିବହନ ବେଳେ କୋଭିଡ୍‌-୧୯ କଟକଣା ପାଳନ କରିବେ । ପିଲାମାନେ ଶିକ୍ଷାନୁଷ୍ଠାନକୁ ଯିବା ସମୟରେ ଅଭିଭାବକ ପାଣି ବୋତଲ ଦେବା ସହ ସଚେତନ କରାଇବାକୁ କୁହାଯାଇଛି । ସ୍କୁଲ ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀମାନେ ପିଲା, ଅଭିଭାବକ ଓ ସ୍କୁଲ ପରିଚାଳନା କମିଟିକୁ ଏ ବିଷୟରେ ସଚେତନ କରାଇବେ । ରାଜ୍ୟରେ ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକ ଏହି ନିୟମ ପାଳନ କରିବାକୁ ବିଭାଗୀୟ ଅତିରିକ୍ତ ସଚିବ ପ୍ରତାପ କୁମାର ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି ।