୧୭ଟି ଦେଶକୁ ୫୬ ଲକ୍ଷ କୋଭିଡ୍ ଟିକା ପଠାଇଛି ଭାରତ । ମୋଦୀ କହିଲେ, ଭାରତ କେବଳ ନୂତନ ମାର୍ଗ ସୃଷ୍ଟି କରିନାହିଁ ଅନ୍ୟମାନଙ୍କୁ ସାହାଯ୍ୟ ମଧ୍ୟ କରିଛି ।

107

କନକ ବ୍ୟୁରୋ: ମହାମାରୀ କରୋନା ବିରୋଧୀ ଲଢ଼େଇର ପ୍ରମୁଖ ଅସ୍ତ୍ର କରୋନା ଟିକା । ଅନେକ ରାଷ୍ଟ୍ରରେ ଟିକାକରଣ ଆରମ୍ଭ ହୋଇଥିଲେ ମଧ୍ୟ ଏବେ ବି ଏହି ଟିକା ପାଇବା ପାଇବା ପାଇଁ ବିଶ୍ୱବାସୀ ଚାହିଁ ରହିଛନ୍ତି । କାରଣ, ଏପର୍ଯ୍ୟନ୍ତ ମାତ୍ର କିଛି ଅଂଶ ଲୋକଙ୍କୁ ଦିଆଯାଇଛି ଟିକା । ଏସବୁ ଭିତରେ ସବୁଠାରୁ ବଡ ଟିକା ପ୍ରସ୍ତୁତକାରୀ ଦେଶ ଭାବେ ଭାରତ ଉଭା ହୋଇଛି । ଭାରତୀୟ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭିଡ୍ ଟିକା, ଏବେ ଭାରତରେ ଦିଆଯାଉଥିବାବେଳେ ବିଶ୍ୱର ଏକାଧିକ ରାଷ୍ଟ୍ରକୁ ପଠାଯାଇଛି । ସୂଚନା ଅନୁସାରେ..

– ଟିକା ନେବାକୁ ୯୨ଟି ରାଷ୍ଟ୍ର ଆବେଦନ କରିଥିବାବେଳେ ୧୭ଟି ରାଷ୍ଟ୍ରକୁ ଟିକା ପଠାଯାଇଛି
– ଆନ୍ତର୍ଜାତୀୟ ଅନୁଦାନ ଆକାରରେ ୧୭ଟି ଦେଶକୁ ଟିକାର ୫୬ ଲକ୍ଷ ଡୋଜ୍ ପଠାଯାଇଛି
– ବାଣିଜ୍ୟକ ଚୁକ୍ତି ଅନୁସାରେ ବିଭିନ୍ନ ରାଷ୍ଟ୍ରକୁ ୧ କୋଟି ଡୋଜ୍ ପଠାଯାଇଛି

ଏଥିସହ ଭାରତରେ କରୋନାକୁ ଯେଉଁଭଳି ଭାବେ ମୁକାବିଲା କରାଯାଇଛି ସେଥିପାଇଁ ଦେଶରେ ସୁସ୍ଥ ହାର ଅଧିକ ରହିଛି ଓ ମୃତ୍ୟୁ ହାର କମ୍ ରହିଛି । ତେଣୁ ଭାରତ ପ୍ରତି ବିଶ୍ୱରେ ସମ୍ମାନ ବୃଦ୍ଧି ପାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟିକା ପଠାଯାଇଥିବା ଦେଶ ଗୁଡିକ ହେଉଛନ୍ତି, ଭୁଟାନ, ମାଲଦୀପ, ବାଙ୍ଗଲାଦେଶ, ନେପାଳ, ମିଆଁମାର, ମରିସସ୍, ଶ୍ରୀଲଙ୍କା, ୟୁଏଇ, ବ୍ରାଜିଲ, ମରକୋ, ବାହାରିନ୍, ଓମାନ, ଇଜିପ୍ଟ, ଆଲଜେରିଆ, କୁଏତ୍, ଦକ୍ଷିଣ-ଆଫ୍ରିକା ଓ ସିଚେଲ୍ସ ।

ଏଥିସହ କାରବିଆନ ଦେଶକୁ ୫ ଲକ୍ଷ ଟିକାର ଡୋଜ୍ ପଠାଯାଇଥିବା ଜଣାପଡିଛି । ସେହିପରି ବାଣିଜ୍ୟକ ଚୁକ୍ତି ଅନୁସାରେ ସାଉଦିଆରବ, କାନାଡା ଓ ମଙ୍ଗୋଲିଆକୁ ଟିକା ପଠାଯାଇଛି । ଏଥିସହ ଘରୋଇ ଆବଶ୍ୟକତାକୁ ପୂରଣ କରିବା ପରେ ପଡୋଶୀ ରାଷ୍ଟ୍ରକୁ ମଧ୍ୟ ପର୍ଯ୍ୟାୟ କ୍ରମେ ଟିକା ପଠାଇବାକୁ ଭାରତ ପ୍ରତିଶ୍ରୁତି ଦେଇଛି । ତେଣୁ ଭାରତ କେବଳ ନୂତନ ମାର୍ଗ ସୃଷ୍ଟି କରିନାହିଁ ଅନ୍ୟମାନଙ୍କୁ ସାହାଯ୍ୟ ମଧ୍ୟ କରିଛି ବୋଲି କହିଛନ୍ତି ମୋଦି ।