ସରପଂଚ ଓ ୱାର୍ଡମେମ୍ବରଙ୍କ ସହାୟତା ଲୋଡ଼ିଲେ ସରକାର : ୨ୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କାକୁ ଦେଖି ଗ୍ରାମ ଓ ସହରାଂଚଳରେ କୋଭିଡ୍ ନିୟମ କଡାକଡି କରାଯିବ

ଚିହ୍ନଟ, ପରୀକ୍ଷା ଓ ପୃଥକ ବାସ ଉପରେ ଫୋକସ୍

209

କନକ ବ୍ୟୁରୋ : ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କର ଚିହ୍ନଟ, ପରୀକ୍ଷା ଓ ସ୍ୱ-ଗୃହରେ ପୃଥକ ବାସ ଆଦି କାମରେ ସରପଂଚ, ୱାର୍ଡ ମେମ୍ବର, ଜନପ୍ରତିନିଧି ଏବଂ ସ୍ୱୋଚ୍ଛାସେବୀମାନଙ୍କୁ ସକ୍ରିୟ ଭାବେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ରାଜ୍ୟ ସରକାର । ସଂଭାବ୍ୟ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ସଂକ୍ରମଣ ରୋକିବା ପାଇଁ ଉଭୟ ଗ୍ରାମ ଓ ସହରାଂଚଳରେ କୋଭିଡ୍ ନିୟମ ପ୍ରବର୍ତନ କାର୍ଯ୍ୟକ୍ରମକୁ ବ୍ୟାପକ ଓ ସଘନ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଜିଲ୍ଲାପାଳ ଓ ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକସଭା ଭବନରୁ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ଜିଲ୍ଲାର ସ୍ଥିତି ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ସଂକ୍ରମଣ ରୋକିବା ପାଇଁ ଅଧିକ ଦକ୍ଷତା ସହ ଟିମ୍ ମନୋଭାବ ରଖି କାର୍ଯ୍ୟ କରିବା ପାଇଁ ଶାସନ ସଚିବ ଜିଲ୍ଲାପାଳ, ସରପଂଚ, ୱାର୍ଡମେମ୍ବର ଏବଂ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମୀକ୍ଷାରେ ଯୋଗଦେଇ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ସରପଂଚ ଓ ୱାର୍ଡ ମେମ୍ବର ମାନଙ୍କର ବୈଠକ ଡାକି କୋଭିଡ୍ ସଂକ୍ରମଣ, ନିରାକରଣ, ସଂକ୍ରମିତ ଲୋକମାନଙ୍କର ଚିହ୍ନଟ, ସ୍ୱ-ଗୃହରେ ପୃଥକବାସ ଓ ଚିକିତ୍ସା ଆଦି ବିଷୟରେ ସବିଶେଷ ଆଲୋଚନା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରତି ଗାଁ ଓ ସହରରେ ମାଇକ୍ ମାଧ୍ୟମରେ ପ୍ରଚାର ସହ ସଚେତନା କାର୍ଯ୍ୟକ୍ରମ ଜାରି ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ନିୟମ ଉଂଲଘନକାରୀମାନଙ୍କଠାରୁ ଜୋରିମାନା ଆଦାୟ ଆରମ୍ଭ କରିବାକୁ କୁହାଯାଇଛି । କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଆଦି ରାଜ୍ୟରେ ଦେଖା ଦେଇଥିବା ୨ୟ ପର୍ଯ୍ୟାୟ ଭୁତାଣୁ ଅଧିକ କ୍ଷତିକାରକ ବୋଲି ଶାସନ ସଚିବ ସମସ୍ତଙ୍କୁ ସତର୍କ କରିଛନ୍ତି । ପଂଚାୟତି ରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଦେଓ ରଂଜନ ସିଂଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ସାମିଲ ହୋଇଥିଲେ ।