ଜାଆଁଳା ଫାଣ୍ଡିରୁ କଙ୍କାଳ ମିଳିବା ଘଟଣା : ଫଟୋ ଖୋଲିବ କଙ୍କାଳ ରହସ୍ୟ

ସେପଟେ ୫ଟି ଦିଗ ଉପରେ ଏମସର ଏଫ୍ଏମ୍ଟି ବିଶେଷଜ୍ଞ ଟିମ୍ ପାଖରୁ ଉତ୍ତର ମାଗିଲା ପୋଲିସ; ମହିଳାଙ୍କୁ ହତ୍ୟା କିମ୍ବା ହତ୍ୟା ପୂର୍ବରୁ ଦୁଷ୍କର୍ମ ଭଳି ପ୍ରଶ୍ନର ଉତ୍ତରକୁ ଅପେକ୍ଷା

276

କନକ ବ୍ୟୁରୋ : ରାଜଧାନୀ ଉପକଣ୍ଠ ଜାଆଁଳା ଫାଣ୍ଡି କ୍ୟାମ୍ପସରେ ଜବତ ହୋଇଥିବା ଗାଡ଼ିରୁ ମହିଳାଙ୍କ ଚମ ଲାଗିଥିବା କଙ୍କାଳ ମିଳିବା ରହସ୍ୟ ଉପରୁ ପରଦା ଉଠିପାରୁ ନାହିଁ । ମାସେ ପରେ ଘଟଣା ଏବେ ପଦାକୁ ଆସିଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ସନ୍ଦେହ ବଢ଼ିବାରେ ଲାଗିଛି । ଏ ସମ୍ପର୍କରେ ପୁଲିସ ୫ଟି ଦିଗ ଉପରେ ଏମସରେ ଏଫ୍ଏମ୍ଟି ବିଶେଷଜ୍ଞ ଟିମ୍ ପାଖରୁ ଉତ୍ତର ମାଗିଛି ।

ମହିଳାଙ୍କୁ ହତ୍ୟା କରାଯାଇଛି କି, ହତ୍ୟା ପୂର୍ବରୁ ଦୁଷ୍କର୍ମ କରାଯାଇଛି କି ? ଏଭଳି ଦିଗ ଉପରୁ ପରଦା ଉଠାଇବା ପାଇଁ ପୋଲିସ ଉତ୍ତରକୁ ଅପେକ୍ଷା କରିଛି । ଆସନ୍ତା ୪ରୁ ୫ ଦିନ ଭିତରେ ଏସବୁ ପ୍ରଶ୍ନର ଉତ୍ତର ମିଳିପାରିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଘଟଣାର ଗୁରୁତ୍ୱକୁ ଦେଖି ମହିଳା ଥାନା ଆଇଆଇସି ବନିତା ମହାରଣାଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ମହିଳା ଥାନା ଆଇଆଇସି ଏବଂ ଜଟଣି ଥାନା ଆଇଆଇସି ଜୋନ ଏସପି ଘଟଣାସ୍ଥଳକୁ ଯାଇ ଅଧିକ ଛାନଭିନ କରିଛନ୍ତି । ପାରିପାଶ୍ୱିକ ପରିସ୍ଥିତିରୁ ଅଧିକ ତଥ୍ୟ ପ୍ରମାଣ ସଂଗ୍ରହ କରିବାକୁ ଚେଷ୍ଟା କରିଛନ୍ତି । ଅନ୍ୟ ପକ୍ଷରେ ଘଟଣାସ୍ଥଳରେ ଗ୍ଲୋବ୍ସ, ଭଙ୍ଗା ଶଙ୍ଖା ଆଦି ପଡ଼ିଛି ବୋଲି ଖବର ଏବଂ ଫଟୋ ପ୍ରକାଶ ପାଇବା ପରେ ପୋଲିସ ଏହାକୁ ଗୁରୁତର ସହ ନେବା ସହ ଏସବୁକୁ ଜବତ କରିଛି ।

ସେହିପରି ମୁହଁର ପୁନଃତିଆରି ପାଇଁ ହାଇଦ୍ରାବାଦ ଓ ବେଙ୍ଗାଲୁରୁରେ ଥିବା ଘରୋଇ ସଂସ୍ଥାକୁ ପଠାଯାଇଥିବା ଶାରିରୀକ ଗଠନ, ଉଚ୍ଚତା, ମୁହଁ ଭାଗର ବିବରଣୀ ଓ ଫଟୋର ଆସନ୍ତାକାଲି ରିପୋର୍ଟ ଆସିପାରେ ବୋଲି ପୋଲିସ କହିଛି । ସେହି ଫଟୋରୁ ଆନୁମାନିକ ମୁହଁ ମିଳିବା ପରେ ଏହାକୁ ଜାରି କରାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଫଟୋରୁ ଥରେ ମହିଳାଙ୍କ ପରିଚୟ ମିଳିଗଲେ ଏହି ରହସ୍ୟରୁ ପରଦା ଉଠାଇବା ସମ୍ଭବ ହୋଇପାରିବ ବୋଲି ଆଶଙ୍କା କରାଯାଉଛି ।