ସଡ଼କ ଦୁର୍ଘଟଣା ମୃତ୍ୟୁରେ ଓଡ଼ିଶା ଦ୍ୱାଦଶ : ୫ବର୍ଷରେ ୩୫% ବଢ଼ିଛି ସଡ଼କ ଦୁର୍ଘଟଣା  

107

କନକ ବ୍ୟୁରୋ : ରାଜ୍ୟରେ ପ୍ରତିବର୍ଷ ସଡ଼କ ଦୁର୍ଘଟଣା ବଢ଼ି ଚାଲିଛି । ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁରେ ଓଡ଼ିଶା ସାରା ଦେଶରେ ୧୨ତମ ସ୍ଥାନରେ ଅଛି । ଗତ ୬ବର୍ଷ ମଧ୍ୟରେ ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ୩୫% ବଢ଼ିଛି । ଏହା ଦର୍ଶାଉଛି ଯେ, ରାଜ୍ୟରେ ସଡ଼କ ଦୁର୍ଘଟଣା କମିବା ପାଇଁ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ତାହାର କିଛି ଆଖିଦୃଶିଆ ପ୍ରଭାବ ପଡ଼ୁନି । ନଭେମ୍ବର ୯ତାରିଖ‌େର ଓଡ଼ିଶାର ସଡ଼କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ଅବସରରେ ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟିର ଅଧ୍ୟକ୍ଷ ଜଷ୍ଟିସ୍‌ ଅଭୟ ମନୋହର ସାପରେ ଏହା କହିଛନ୍ତି । ଏହାସହ ଏହି ବୈଠକରେ ଯୋଗଦେଇଥିବା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ତାଗିଦ୍‌ କରି କହିଛନ୍ତି ଯେ, ସଡ଼କ ସୁରକ୍ଷା ନେଇ ରାଜ୍ୟ ସରକାର କ’ଣ ସବୁ ପଦକ୍ଷେପ ନେଇଛନ୍ତି ତାହାକୁ ସେ ନିଜେ ଆସି ‌ଦେଖିବେ । କରୋନା ମହାମାରୀ ପ୍ରକୋପ କମିବା ପରେ ଜଷ୍ଟିସ୍‌ ସାପରେ ଓଡ଼ିଶା ଆ‌ସିବେ ବୋଲି କହିଛନ୍ତି ।

ଗତ ୯ତାରିଖରେ ହୋଇଥିବା ବୈଠକରେ ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟି ଓଡ଼ିଶାରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସ୍ଥିତି ଉପରେ ଚିନ୍ତା ପ୍ରକଟ କରିଛନ୍ତି। କମିଟି କହିଛି ଯେ, ୨୦୧୪ରୁ ୨୦୧୯ ମଧ୍ୟରେ ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ୩୫% ବଢ଼ିଛି । ପ୍ରତିବର୍ଷ ଏହି ହାର ବଢ଼ିଚାଲିଛି। ୨୦୧୭ରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ କମିଥିଲେ ହେଁ ଏହାକୁ ରାଜ୍ୟ ସରକାର ଅଧିକ କମାଇପାରିନଥିଲେ। ବରଂ ୨୦୧୮ ଓ ୨୦୧୯ରେ ଏହାଠାରୁ ଅଧିକ ବଢ଼ିଗଲା। ଏପରିକି ଚଳିତବର୍ଷ କରୋନା ଯୋଗୁ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ହୋଇଥିଲେ ବି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଆଶାନୁରୂପ କମିନି। ଜାନୁଆରିରୁ ସେପ୍ଟେମ୍ବର ମଧ୍ୟରେ ୨୨% ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହେଲାଣି। ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଏହା କିପରି କମିବ ସେନେଇ ବି କିଛି ବିଶେଷ ପଦ‌କ୍ଷେପ ନିଆଯାଇନି। ତେଣୁ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ କମିବା ପାଇଁ ରାଜ୍ୟ ସରକାର ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। କମିଟି କହିଛି ଯେ, ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁରେ ଓଡ଼ିଶା ୨୦୧୫ ଏବଂ ୨୦୧୬ରେ ୧୪ତମ ସ୍ଥାନରେ ଥିବାବେଳେ ୨୦୧୭ରେ ୧୩ତମ ଏବଂ ୨୦୧୮ ଏବଂ ୨୦୧୯ରେ ୧୨ତମ ସ୍ଥାନରେ ରହିଛି। ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୁଖ୍ୟତଃ ହାଲୁକା‌ ମୋଟର ଯାନ, ଦୁଇ ଚକିଆ, ଦ୍ରୁତ ଗତି, ହେଲମେଟ୍‌ ଓ ସିଟ୍‌ ବେଲ୍‌ଟ ନପିନ୍ଧିବା, ମଦ ପିଇ ଗାଡ଼ି ଚଳାଇବା, ଭୁଲ୍ ଦିଗରେ ଗାଡ଼ି ଚଲାଇବା ଯୋଗୁ ହେଉଛି । ତେଣୁ ପ୍ରଥମେ ଏଗୁଡ଼ିକୁ କମାଇବାକୁ ସୁପ୍ରିମକୋର୍ଟ କମିଟି କହିଛି ।

ସେହିପରି ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏବେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ବିଶେଷ କରି ପରିବହନ ବିଭାଗର ତ୍ରୁଟି ଯୋଗୁଁ ହେଉଛି । ରାସ୍ତା ଡିଜାଇନ୍‌ ତ୍ରୁଟି ଜନିତ ଦୁର୍ଘଟଣା ହେଉନି । ରାଜ୍ୟରେ ଏବେ ୬୩ଟି ବ୍ଲାକ୍‌ ସ୍ପଟ୍‌ରୁ ୫୧ଟିର କାମ ଶେଷ ହୋଇଛି । ବାକି ୧୧ଟି ସ୍ଥାନରେ ବିଶେଷ ‌ଦୁର୍ଘଟଣା ହେଉନି । ଏହି ସବୁ ସ୍ଥାନରେ ଯେଉଁ ସବୁ ଦୁର୍ଘଟଣା ହୋଇଛି ତାହା ଦ୍ରୁତ ଗତିରେ ଗାଡ଼ି ଚାଳନା, ମଦ ପିଇ ଗାଡ଼ି ଚଳାଇବା ଭଳି କାରଣ ‌ଯୋଗୁ ହୋଇଛି। ସୁପ୍ରିମକୋର୍ଟ କମିଟିର ପ୍ରସ୍ତାବ ଅନୁଯାୟୀ ଆମେ ପଦ‌େକ୍ଷପ ନେଉଛୁ ।

ସୂଚନାଯୋଗ୍ୟ ଯେ, ଦେଶରେ ପ୍ରତିଦିନ ୧୨୧୪ଟି ଦୁର୍ଘଟଣା ହେଉଥିବାବେଳେ ଦିନକୁ ୩୭୭ଜଣଙ୍କର ମୃତ୍ୟୁ ହେଉଛି । ପ୍ରତି ଘଣ୍ଟାରେ ୧୬ଜଣ ମରୁଛନ୍ତି । ମୋଟ୍‌ ଦୁର୍ଘଟଣାର ୨୫% ମୃତକ ବାଇକ୍‌ ଚାଳକ । ୧୪ବର୍ଷରୁ କମ୍‌ ୨୦ଜଣ ଶିଶୁ ପ୍ରତି ଦିନ ସଡ଼କ ଦୁର୍ଘଟଣାରେ ମରୁଛନ୍ତି। ତାମିଲନାଡୁରେ ଦେଶର ସର୍ବାଧିକ ସଡ଼କ ଦୁର୍ଘଟଣା ହେଉଥିଲେ ହେଁ ଦୁର୍ଘଟଣାଜନିତ ମୃତ୍ୟୁରେ ଦିଲ୍ଲୀ ଦେଶରେ ପ୍ରଥମ ସ୍ଥାନରେ ଅଛି । ଦିଲ୍ଲୀ ପଛକୁ ଚେନ୍ନାଇ, ଜୟପୁର, ବେଙ୍ଗାଲୁର, ମୁମ୍ବାଇ, କାନପୁର ଭଳି ସହର ଅଛନ୍ତି ।