ଝାରସୁଗୁଡାରେ ଅଭାବନୀୟ ଘଟଣା : କାର୍ଯ୍ୟରତ ସବ-ଡିଭିଜନାଲ ମ୍ୟାନେଜରଙ୍କ ମୃତ୍ୟୁକୁ ନେଇ ଉଠିଲା ପ୍ରଶ୍ନ;ଝିଅ କହିଲେ, ବାପାଙ୍କୁ କରାଯାଇଛି ହତ୍ୟା

 ଡିଭିଜନାଲ ମ୍ୟାନେଜରଙ୍କ ନାଁରେ ଆଣିଲେ ସାଂଘାତିକ ଅଭିଯୋଗ

156

କନକ ବ୍ୟୁରୋ : ବାପାଙ୍କର ମୃତ୍ୟୁ ହୋଇଛି । ଆଉ ଝିଅ ଅଭିଯୋଗ ଆଣିଛି ତାଙ୍କ ବାପାଙ୍କୁ ହତ୍ୟା କରାଯାଇଛି । ପୁରା ଘଟଣା କିଛି ଏହିପରି । ଝାରସୁଗୁଡା ଓଡିଶା ଫରେଷ୍ଟ ଡିଭିଜନାଲ କର୍ପୋରେସନରେ କାମ କରୁଥିବା ସବଡିଭିଜନାଲ ମ୍ୟାନେଜରଙ୍କ ମୃତ୍ୟୁ ହୋଇଛି । ତାଙ୍କ ନାଁ ହେଉଛି ବାସୁଦେବ ପାଲ । ୫୫ବର୍ଷିୟ ଏହି ବ୍ୟକ୍ତିଙ୍କ ଝିଅ ତନୁଜା ପାଲ ଅଭିଯୋଗ ଆଣିଛନ୍ତି ତାଙ୍କୁ ହତ୍ୟା କରାଯାଇଛି ।

ଏହା ପଛର କାରଣ ମଧ୍ୟ ସେ କହିଛନ୍ତି । ସେହି ଅଫିସରରେ କାର୍ଯ୍ୟରତ ଡିଭିଜନାଲ ମ୍ୟାନଜେର ଏ.କେ ପଟ୍ଟନାୟକ, କୁଆଡେ ତାଙ୍କ ବାପାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିଲେ । ସବୁବେଳେ ଗାଳିଗୁଲଜ କରିବା ସହିତ ଛୁଟି ଦେଉନଥିଲେ କି ୩ମାସର ଦରମା ମଧ୍ୟ ଦେଇନଥିଲେ । ଗତକାଲି ଦିନ ୧୨ଟାରୁ ଗୋଟେ ମଧ୍ୟରେ ବାପା ବେହୋସ ହୋଇଗଲେ ବୋଲି ଘରକୁ ଫୋନ ଆସିଲା । ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କଲେ ।

ମୃତକଙ୍କ ଝିଅ କହିଛନ୍ତି, ତାଙ୍କ ବାପାଙ୍କୁ ହସ୍ପିଟାଲ ନେବା ପୂର୍ବରୁ ହିଁ ମୃତ୍ୟୁ ହୋଇସାରିଥିଲା । ଏହା ଏକ ହତ୍ୟାକାଣ୍ଡ । ଅନ୍ୟପଟେ ମୃତକଙ୍କ ସାନ ଝିଅ ବାପାଙ୍କ ମୃତ୍ୟୁକୁ ସହିନପାରି ହସ୍ପିଟାଲର ବିଟହାଉସରେ ଫିନାଇଲ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏବେ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ଅନ୍ୟପକ୍ଷରେ ତାଙ୍କ ଉପରେ ଆସିଥିବା ଅଭିଯୋଗକୁ ନେଇ ସଫେଇ ରଖିଛନ୍ତି ଡିଭିଜିନାଲ ମ୍ୟାନେଜର ଏ.କେ ପଟ୍ଟନାୟକ ।