କନକ ବ୍ୟୁରୋ : ଅସ୍ତ୍ରୋପଚାର ପାଇଁ ସ୍ନାତକୋତର ଆୟୁର୍ବେଦିକ ଛାତ୍ରଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯିବା ବିଜ୍ଞପ୍ତିକୁ ଇଣ୍ଡିଆନ ମେଡିକାଲ ଆସୋସିଏସନ ବା ଆଇଏମଏର ବିରୋଧ । ଏହାକୁ ଚିକିତ୍ସା ଶିକ୍ଷା ବା ଅଭ୍ୟାସ କ୍ଷେତ୍ରରେ ଖିଚିଡିକରଣ କହିବା ସହ ଏହି ବିଜ୍ଞପ୍ତିକୁ ପ୍ରତ୍ୟାହାର ପାଇଁ ଦାବି କରିଛି ଇଣ୍ଡିଆନ ମେଡିକାଲ ଆସୋସିଏସନ । ଏହି ନିଷ୍ପତ୍ତି ଚିକିତ୍ସା ପ୍ରଣାଳିକୁ ଆହୁରି ପଛକୁ ନେଇଯିବ ବୋଲି ଆଇଏମଏ କହିଛି ।
ଗତ ୨୦ ତାରିଖରେ ଆୟୁର୍ବେଦିକ ଡାକ୍ତରୀ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଏଣିକି ଅସ୍ତ୍ରୋପଚାର ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦେବାକୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଥିଲା ଭାରତୀୟ କେନ୍ଦ୍ରୀୟ ଭେଷଜ ପରିଷଦ । ଏଣିକି ଏଲୋପେଥିକ୍ ଡାକ୍ତର ଭଳି, ଆୟୁର୍ବେଦିକ ଡାକ୍ତର ମଧ୍ୟ ଅସ୍ତ୍ରୋପଚାର କରିପାରିବେ ବୋଲି ଏଥିରେ କୁହାଯାଇଥିଲା । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ଆୟୁର୍ବେଦିକ ଡାକ୍ତରୀ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ଏଥିପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ । ସ୍ନାତକୋତ୍ତର ପାଠ୍ୟକ୍ରମରେ ଶଲ୍ୟତନ୍ତ୍ର ଓ ଶାଲକ୍ୟତନ୍ତ୍ର ଦୁଇ ପ୍ରକାର ପ୍ରଶିକ୍ଷଣ ଦିଆଯିବ । ଶଲ୍ୟତନ୍ତ୍ରରେ ଶରୀରର ଅଂଶ କାଟିବା, ଚର୍ମ ସ୍ଥାନାନ୍ତର ଆଦିର ତାଲିମ ମିଳିବ । ଶାଲକ୍ୟତନ୍ତ୍ରରେ ଆଖି, ନାକ, ନାକ, ଗଳା, ମୁଣ୍ଡ ଆଦି ଅସ୍ତ୍ରୋପଚାର ତାଲିମ ଦିଆଯିବ । ଭାରତୀୟ କେନ୍ଦ୍ରୀୟ ଭେଷଜ ପରିଷଦ ଅଧିନିୟମର ସଂଶୋଧନ ପରେ ଏଭଳି ଏକ ନିଷ୍ପତି ହୋଇଛି ।