ରାଜ୍ୟ ରାଜନୀତିର ଟାଣୁଆ ନେତା ଥିଲେ ନବ ଦାସ: କଂଗ୍ରେସରୁ ବିଜେଡି ଏମିତି ଥିଲା ରାଜନୈତିକ ପତିଆରା…

805

କନକ ବ୍ୟୁରୋ: କେତେବେଳେ ପ୍ରତିପତି ତ କେତେବେଳେ ପତିଆରା… ଆଉ କେତେବେଳେ ଶନିଙ୍କୁ ସୁନା କଳସ ଦାନ କରି ଚର୍ଚ୍ଚାରେ ରହୁଥିବା ଝାରସୁଗୁଡା ବିଧାୟକ ଆଉ ନାହାନ୍ତି । ପୋଲିସ ଏଏସଆଇ ଗୋପାଳ ଦାସଙ୍କ ଗୁଳିମାଡରେ ସବୁଦିନ ପାଇଁ ଆଖି ବୁଜିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଆଜି ବ୍ରଜରାଜନଗରର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ଏଭଳି ଏକ ଅଘଟଣ ଘଟିଥିଲା । ଗୁଳିମାଡ ପରେ ମନ୍ତ୍ରୀଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲେ ବି ତାଙ୍କୁ ବଞ୍ଚାଯାଇ ପାରିନଥିଲା ।

ତେବେ ଆଜି ଓଡିଶା ରାଜନୀତିରେ ଏକ ବଡ କ୍ଷତି ଘଟିଛି । ପଶ୍ଚିମ ଓଡିଶା ସହ ରାଜ୍ୟରାଜନୀତିରରେ ଦବାଦବା ରଖିଥିବା ନବ ଦାସଙ୍କୁ ଜଣେ ପୋଲିସ କର୍ମଚାରୀ କାହିଁକି ମାରିଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଆସନ୍ତୁ ଜାଣିବା ନବଙ୍କ ରାଜ୍ୟ ରାଜନୀତିରେ କେମିତି ଥିଲା ଦବଦବା ।
ନବ କିଶୋର ଦାସଙ୍କ ଜନ୍ମ ୧୯୬୨ ଜାନୁଆରୀ ୭ ତାରିଖରେ ହୋଇଥିଲା । ତାଙ୍କ ବାପାଙ୍କ ନାଁ ନୃସିଂହ ଚରଣ ଦାସ । ପରିବାରର ତୃତୀୟ ସନ୍ତାନ ଥିଲେ ନବ ଦାସ । ସେ ନିଜ ରାଜନୈତିକ କ୍ୟାରିୟର ଛାତ୍ର ଜୀବନରୁ ହିଁ ଆରମ୍ଭ କରିଥିଲେ । ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ପାଠ ପଢିବା ସମୟରେ ସେ ଅଶି ଦଶକରୁ କଂଗ୍ରେସରେ ସାମିଲ ହୋଇଥିଲେ । ଆଉ ଦୀର୍ଘ ବର୍ଷ ଧରି କଂଗ୍ରେସରେ ରହି ରାଜନୀତି କରିଥିଲେ ।

ହେଲେ ୨୦୦୪ ମସିହାରେ ସେ ଆରମ୍ଭ କରିଥିଲେ ପ୍ରକୃତ ରାଜନୀତି । ଆଉ ରାଜ୍ୟ ରାଜନୀତିରେ ପାଥ ଥାପିଥିଲେ । ୨୦୦୪ ମସିହାରେ କଂଗ୍ରେସ ଟିକେଟରୁ ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ନିର୍ବାଚନ ଲଢିଥିଲେ । ହେଲେ ପ୍ରଥମଥର ପାଇଁ ଆରମ୍ଭ କରିଥିବା ରାଜନୀତି ଯାତ୍ରାରେ ତାଙ୍କୁ ଝଟକା ଲାଗିଥିଲା । ସେ ଏହି ନିର୍ବାଚନ ହାରି ଯାଇଥିଲେ । ହେଲେ ହାର ମାନିନଥିଲେ । ପୁଣି ୨୦୦୯ରେ ନିର୍ବାଚନ ଲଢିଥିଲେ ଆଉ ୨୨ ହଜାର ଭୋଟରେ କିଶୋର କୁମାର ମହାନ୍ତିଙ୍କୁ ହରାଇ କଂଗ୍ରେସରୁ ଝାରସୁଗୁଡାର ବିଧାୟକ ହୋଇଥିଲେ ।

୨୦୦୯ ପରେ ପୁଣି ୨୦୧୪ରେ ବି ନବ ଦାସ କଂଗ୍ରେସ ତରଫରୁ ନିର୍ବାଚନ ଜିତିଥିଲେ । ଆଉ ଦ୍ୱିତୀୟଥର ପାଇଁ ବିଧାୟକ ହୋଇଥିଲେ । ହେଲେ ୨୦୧୯ ନିର୍ବାଚନ ପୂର୍ବରୁ ସେ କଂଗ୍ରେସର ହାତ ଛାଡି, ବିଜେଡିରେ ସାମିଲ ହୋଇଥିଲେ । ଯାହାକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି ହୋଇଥିଲା । ୨୦୧୯ ସାଧାରଣ ନିର୍ବାଚନରେ ଦଳ କିଶୋର ନା ନବ କାହାକୁ ଟିକେଟ ଦେବ ସେନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଥିଲା । ହେଲେ ଶେଷରେ ସବୁ ଚର୍ଚ୍ଚାର ଅନ୍ତ ଘଟାଇ ନବଙ୍କ ଉପରେ ଭରସା କରିଥିଲେ ନବୀନ । ଆଉ ୨୦୧୯ରେ ବିଜେଡି ଟିକେଟ ପାଇ ନିର୍ବାଚନ ଲଢିଥିଲେ ନବ । ଆଉ ନବ ବି ଦଳର ଭରସା ଜିତି ପୁଣି ବିଜୟୀ ହୋଇ ବିଜେଡି ବିଧାୟକ ଭାବେ ନିଜ ତୃତୀୟ ଟର୍ମ ଆରମ୍ଭ କରିଥିଲେ ।

ଏତେ ଦିନର ରାଜନୈତିକ ଯାତ୍ରା ମଧ୍ୟରେ ପଶ୍ଚିମ ଓଡିଶାର ଜଣେ ଜଣାଶୁଣା ନେତା ହୋଇସାରିଥିଲେ ନବ ଦାସ । ଆଉ ଦଳ ତାଙ୍କ ଉପରେ ଭରସା କରି ତାଙ୍କୁ ପଶ୍ଚିମ ଓଡିଶାର ମଙ୍ଗ ମଧ୍ୟ ଦେଇଥିଲେ । କେବଳ ସେତିକି ନୁହେଁ ତାଙ୍କ ଦକ୍ଷତା ପଇଁ ସେ ଖୁବଶୀଘ୍ର ନବୀନଙ୍କ ପ୍ରିୟ ଭାଜନ ହୋଇପାରିଥିଲେ । ଆଉ ଦଳ ପାଇଁ ନିଜ ପ୍ରଥମ ଇଂନିସରୁ ହିଁ ନବୀନ ତାଙ୍କୁ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ ଦେଇଥିଲେ । ୨୦୨୨ରେ ମନ୍ତ୍ରୀମଣ୍ଡଳରେ ପରିବର୍ତ୍ତନ ହୋଇଥିଲେ ବି ନବ କିନ୍ତୁ ତାଙ୍କ ସ୍ଥାନ ସୁରକ୍ଷିତ ରଖିଥିଲେ । ଆଉ ବର୍ତ୍ତମାନ ସୁଦ୍ଧା ସେ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ ।

ରାଜ୍ୟ ରାଜନୀତିର ଜଣେ ଶକ୍ତିଶାଳୀ ନେତା ଥିଲେ ନବ ଦାସ । ନିକଟରେ ପ୍ରକାଶ ପାଇଥିବା ରିପୋର୍ଟରେ ନବ ଦାସ ରାଜ୍ୟର ସବୁଠାରୁ ଧନୀ ବିଧାୟକ ଭାବେ ଚର୍ଚ୍ଚାକୁ ଆସିଥିଲେ । କେବଳ ସେତିକି ନୁହେଁ ନବ ଦାସ ଦାମୀ ଗାଡି ରଖିବାର ସୌକ ମଧ୍ୟ ରଖୁଥିଲେ । ନବ ଦାସ ଶିକ୍ଷିତ ରାଜନେତା ଥିଲେ । ସେ ଇଂରାଜୀରେ ଏମଏ କରିବା ପରେ ଲ ଶିକ୍ଷା ମଧ୍ୟ ଗ୍ରହଣ କରିଥିଲେ । ତେବେ ନବ ଦାସଙ୍କ ଏଭଳି ଅକାଳ ବିୟୋଗରେ ଏବେ ରାଜ୍ୟ ରଜନୀତି ସ୍ତବ୍ଧ ହୋଇଯାଇଛି, ଶୋକ ବୁଡି ଯାଇଛି ପୂରା ଓଡିଶା ।