ଆଜିଠୁ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ : ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେବାକୁ ଘୋଷଣା କରିଛି ଡ୍ରାଇଭର ସଂଘ

446

କନକ ବ୍ୟୁରୋ : ଆଜିଠୁ ଡ୍ରାଇଭରଙ୍କ ଆନ୍ଦୋଳନ । ଡ୍ରାଇଭରଙ୍କ ୧୦ ଦଫା ଦାବିକୁ ରାଜ୍ୟ ସରକାର ପୂରଣ କରିନଥିବାରୁ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିୟରିଂ ଛାଡ ଆନ୍ଦୋଳନ ଡାକରା ଦେଇଛି । ହେଲେ ଆନ୍ଦୋଳନ ନୁହେଁ ଶାନ୍ତିପୂର୍ଣ୍ଣ ଧାରଣା ଦେବ ଓଡ଼ିଶା ଡ୍ରାଇଭର ମହାଂସଘ । ଦଶମ ଶ୍ରେଣୀ ପିଲାଙ୍କ ପରୀକ୍ଷା ଚାଲିଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଓଡ଼ିଶା ଡ୍ରାଇଭର ମହାସଂଘ ସହ ଓଡ଼ିଶା ମଟର ଚାଳକ ସଂଘ, ଓଡ଼ିଶା ପରିବହନ ସଂଘ, ଓ କଳିଙ୍ଗ ଅଟୋ ମହାସଂଘ ଆଲୋଚନା କରିବା ପରେ ନିଷ୍ପତ୍ତି ନିଆଯାଇଛି ।

ଭୁବନେଶ୍ୱରରେ କୌଣସି ବିରୋଧ କରାଯିବ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଭୁବନେଶ୍ୱରରେ ଯଦି କୌଣସି ବ୍ୟକ୍ତି ଆଇନକୁ ହାତକୁ ନେବେ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୁଲିସ କମିଶନର । କୌଣସି ଅପ୍ରତିକର ପରିସ୍ଥିତିର ମୁକାବିଲା ପାଇଁ ଅତିରିକ୍ତ ୧୫ ପ୍ଲାଟୁନ୍ ଫୋର୍ସ ଏବଂ ୪୦ ଜଣ ଅଫିସର ମୁତୟନ ରହିବେ ବୋଲି ସୂଚନା ଦେଇଛନ୍ତି । ଜିଲ୍ଳା ସ୍ତରରେ ଆନ୍ଦୋଳନ ପରିବର୍ତ୍ତେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବ । ଫଳରେ ଚକାଜାମ ଆଶଙ୍କା ଟଳିିଯାଇଛି । ଏପଟେ ପରିବହନ ମନ୍ତ୍ରୀ କହିଛନ୍ତି- ଡ୍ରାଇଭରମାନଙ୍କ ଦାବିକୁ ରାଜ୍ୟ ସରକାର ଗୁରୁତ୍ୱର ସହ ବିଚାର କରିବେ ।

ଡ୍ରାଇଭର ଏକତା ମହାମଞ୍ଚର ନେତା ଅକ୍ଷୟ ନାୟକ କହିଛନ୍ତି, ରାଜ୍ୟର ସମସ୍ତ ବ୍ଲକ ମୁଖ୍ୟରାସ୍ତାକୁ ଅବରୋଧ କରାଯିବ । ସ୍କୁଲ ବସ୍‌, ପରୀକ୍ଷା ଡ୍ୟୁଟିରେ ନିୟୋଜିତ ହୋଇଥିବା ଗାଡ଼ି, ଛାତ୍ରଛାତ୍ରୀ ଯାଉଥିବା ଗାଡ଼ି, ଆମ୍ବୁଲାନ୍ସ, ମେଡିକାଲ ଷ୍ଟାଫ୍, ଆମ୍ବୁଲାନ୍ସ, ବିଦ୍ୟୁତ୍ ବିଭାଗ ଗାଡ଼ି, ଦମକଳ ଆଦିକୁ ଛଡ଼ାଯିବ । ହେଲେ ବିଭିନ୍ନ ସ‌ାମଗ୍ରୀ ପରିବହନ ପାଇଁ ନିୟୋଜିତ ଗାଡ଼ିଗୁଡ଼ିକୁ ଅଟକ ରଖାଯିବ । ରାଜ୍ୟ ସରକାରଙ୍କୁ ଆମ ଦାବି ନେଇ ଅବଗତ କରିଛୁ। ଏପରିକି ଗତକାଲି ବିଭାଗୀୟ ମନ୍ତ୍ରୀ ଆମ ସହ ଆଲୋଚନା କରିଥିଲେ। ଏଥିରେ ଆମେ ୬ଟି ପ୍ରମୁଖ ଦାବି ପୂରଣ କରିବାକୁ କହିଥିଲୁ ।

ଏପରିକି ୬ଟିରୁ ଏବେ ଗୋଟିଏ ଦାବି ଯଥା କର୍ମଜୀବୀ ଡ୍ରାଇଭରମାନଙ୍କ ପାଇଁ ଦୁର୍ଘଟଣା ବୀମା ଅର୍ଥାତ୍ ଗାଡ଼ି ଚଳାଇବା ସମୟରେ ଦୁର୍ଘଟଣା ଘଟିଲେ ୨୦ ଲକ୍ଷ ଟଙ୍କା, ଶାରୀରିକ ବିକଳାଙ୍ଗ ହେଲେ ୧୦ ଲକ୍ଷ ଟଙ୍କା, ଆହତଙ୍କ ଆଶୁ ଚିକିତ୍ସା ପାଇଁ ୫ଲକ୍ଷ ଟଙ୍କାର ବୀମା ରାଶି ତୁରନ୍ତ ଯୋଗାଇ ଦିଆଯାଉ ବୋଲି କହିଥିଲୁ । ମନ୍ତ୍ରୀ ଦାବି ପୂରଣ କରିବା ବୋଲି କହିଲେ । ପୂର୍ବରୁ ଏମିତି କହିଥିବାରୁ ଆମେ କହିଥିଲୁ ଯେ ଆପଣ ଯାହା କହୁଛନ୍ତି ତାହାକୁ ୧୫ଦିନ ମଧ୍ୟରେ ପୂରଣ କରିବେ ବୋଲି ଲିଖିତ ଆକାରରେ ଦିଅନ୍ତୁ । କିନ୍ତୁ ମନ୍ତ୍ରୀ ଶୁଣିଲେନି । ମନ୍ତ୍ରୀ କହିଥିଲେ ଯେ, ଆପଣଙ୍କ ଦାବିଗୁଡ଼ିକ କ୍ୟାବିନେଟ୍‌ ଅନୁମୋଦନ ପାଇଁ ଯାଇଛି । ୧୫ଦିନ ପରେ ଆସନ୍ତୁ ଆଲୋଚନା କରିବା । ଆଲୋଚନା ବିଫଳ ହୋଇଥିବାରୁ ଆମେ ଆନ୍ଦୋଳନକୁ ଓହ୍ଲାଇଛୁ ।