ସ୍ଥିର ରହିପାରେ କି ଓଡ଼ିଶା ସଂକ୍ରମଣ । ୪ ଦିନ ଧରି ୬ରୁ ସାଢ଼େ ୬ ହଜାର ଭିତରେ ରହୁଛି ପଜିଟିଭ୍ ମାମଲା ।

ରାଜ୍ୟରେ ୨ ଦିନ ହେଲା ଆଇସିୟୁରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା 

361

କନକ ବ୍ୟୁରୋ: ରାଜ୍ୟରେ ପ୍ରଥମେ ୩ ହଜାର , ପରେ ୪ ହଜାର ଏବଂ ହଠାତ ୬ ହଜାର ଉପରକୁ ଡେଇଁଛି ସଂକ୍ରମଣ । କ୍ରମାଗତ ଭାବେ ୪ ଦିନ ଧରି ୬ ହଜାର ଉପରେ ରହିଛି ସଂକ୍ରମଣ । ଯଦି ଏପରି ସଂକ୍ରମଣ ହାର ଲାଗିରହେ , ତେବେ ଆଗାମୀ କିଛି ଦିନ ମଧ୍ୟରେ ସଂକ୍ରମଣ ସ୍ଥିର ହେଲା ବୋଲି କୁହାଯାଇପାରିବ । ଏହାରି ଭିତରେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ରାଜ୍ୟରେ ଆଇସିୟୁ ବେଡ ଅଛି କି ନାହିଁ ସେନେଇ ପ୍ରଶ୍ନ ଉଠିଛି ।

ଏପ୍ରିଲ ମାସ ୧୮ ତାରିଖରେ ରାଜ୍ୟରେ ୩୬୬୪ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୨୦ ତାରିଖରେ ଏହି ସଂଖ୍ୟା ୪ହଜାର ଟପିଥିଲା । ଲଗାତର ଭାବେ ୩ଦିନ ୪ହଜାର ଉପରେ ରହିଥିଲା ସଂକ୍ରମଣ । କିନ୍ତୁ ଅଚାନକ ୨୨ ଏପ୍ରିଲରେ ସଂକ୍ରମଣ ସଂଖ୍ୟା ୬ ହଜାର ଟପିଗଲା । ୨୨ ଏପ୍ରିଲରୁ ୨୫ ଏପ୍ରିଲ ମଧ୍ୟରେ ଏବେ କ୍ରମାଗତ ଭାବେ ୬ ହଜାର ଉପରେ ରହୁଛି ସଂକ୍ରମଣ । ଆଗାମୀ ୪ରୁ ୫ ଦିନ ସଂକ୍ରମଣ ହାର ଯଦି ଏହିପରି ରହେ କିମ୍ବା ୬ହଜାର ତଳକୁ ଖସିବା ଆରମ୍ଭ କରେ ତେବେ ସଂକ୍ରମଣ ସ୍ଥିର ହେଲା ବୋଲି କୁହାଯାଇପାରେ ।

  • ୧୮ ଏପ୍ରିଲ-୩୬୬୪
  • ୧୯ ଏପ୍ରିଲ-୪,୪୪୫
  • ୨୦ ଏପ୍ରିଲ-୪,୭୬୧
  • ୨୧ ଏପ୍ରିଲ-୪୮୫୧
  • ୨୨ ଏପ୍ରିଲ-୬୧୬୪
  • ୨୩ ଏପ୍ରିଲ-୬୧୨୫
  • ୨୪ ଏପ୍ରିଲ-୬୬୪୭
  • ୨୫ ଏପ୍ରିଲ-୬,୧୧୬

ରାଜ୍ୟର ହସ୍ପିଟାଲରେ ଦିନକୁ ଦିନ ବଢୁଥିବା ଆକ୍ରାନ୍ତଙ୍କ  ସଂଖ୍ୟା ଏବଂ ଆଇସିୟୁ ବେଡରେ ରୋଗୀଙ୍କ ଭର୍ତି ସଂଖ୍ୟା ଭାବିବାକୁ ବାଧ୍ୟ କରିଛି, ଆମ ପାଖରେ କେତେ କରୋନା ବେଡ ରହିଛି ଏବଂ କେତେ ଖାଲି ଅଛି? କାରଣ, ୨୩ ତାରିଖରେ ୨୬ ପ୍ରତିଶତ ଆଇସିୟୁ ବେଡ୍ ଭର୍ତି ହୋଇଥିବାବେଳେ ୨୪ ଘଂଟା ଭିତରେ ଏହା ୩୫ ପ୍ରତିଶତକୁ ବୃଦ୍ଧି ପାଇଛି । ନଜର ପକାନ୍ତୁ କରୋନା ବେଡର ସଂଖ୍ୟା ଉପରେ…

ରାଜ୍ୟରେ କରୋନା ବେଡର ହିସାବ 

  • ରାଜ୍ୟରେ ସରକାରୀ ଓ ଘରୋଇ ହସ୍ପିଟାଲରେ ମୋଟ୍ ୯୯୧୨ କରୋନା ବେଡ୍ ରହିଛି
  • ଏହା ମଧ୍ୟରୁ ୨୨.୧୮ ପ୍ରତିଶତ ଅର୍ଥାତ ୨୧୯୮ ବେଡରେ ଅଛନ୍ତି କରୋନା ଆକ୍ରାନ୍ତ
  • ସରକାରୀ ଓ ଘରୋଇ ହସ୍ପିଟାଲରେ ୨୪୩୬ ଆଇସିୟୁ ବେଡ ମହଜୁଦ ଅଛି
  • ତାହା ମଧ୍ୟରୁ ୩୫.୫୯ ପ୍ରତିଶତ ଅର୍ଥାତ ୮୬୭ଟି ଆଇସିୟୁ ବେଡରେ ଅଛନ୍ତି କରୋନା ରୋଗୀ
  • ମୋଟ୍ ୮୦୪ ଭେଂଟିଲେଟର ମଧ୍ୟରୁ ୧୮.୦୩ ପ୍ରତିଶତ ଅର୍ଥାତ ୧୪୫ ବେଡରେ ରୋଗୀ ଅଛନ୍ତି
  • ରାଜ୍ୟରେ ମୋଟ୍ ୨୦,୪୦୭ ଅକ୍ସିଜେନ ଯୁକ୍ତ ସ୍ୱତନ୍ତ୍ର ବେଡ୍ ପ୍ରସ୍ତୁତ ରଖାଯାଇଛି

ଏବେ ନଜର ପକାନ୍ତୁ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା କିପରି ବଢୁଛି । ଦେଶରେ ପ୍ରତି ମିନିଟରେ ୨୪୩ଜଣ ଲୋକ ସଂକ୍ରମିତ ହେଉଛନ୍ତି । ଗତ ୨୪ଘଂଟା ଭିତରେ ୩ ଲକ୍ଷ ୪୯ ହଜାର ୬୯୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନା ୨ ହଜାର ୭ଶହ ୬୭ଜଣଙ୍କର ଜୀବନ ନେଇଛି । ତେବେ ପ୍ରଶ୍ନ ଉଠୁଛି ଆଇସିୟୁରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ କେତେ ରୋଗୀଙ୍କ ପାଇଁ ଅକ୍ସିଜେନର ଆବଶ୍ୟକତା ପଡୁଛି । ଓଡିଶା ଅନ୍ୟ ରାଜ୍ୟଗୁଡିକୁ ଅକ୍ସିଜେନ୍ ଯୋଗାଇ ଦେଉଥିବାବେଳେ ରାଜ୍ୟର ରୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ଅକ୍ସିଜେନ୍ ମହଜୁଦ ଅଛି କି ନାହିଁ, ସେନେଇ ବଡ ପ୍ରଶ୍ନ ଉଠିଛି ।

ରାଜ୍ୟରେ ଅକ୍ସିଜେନର ହିସାବ

  • ରାଜ୍ୟରେ ମୋଟ୍ ୨ ହଜାର ୧୯୮ ଆକ୍ରାନ୍ତ ହସ୍ପିଟାଲ ବେଡରେ ଅଛନ୍ତି
  • ଏମାନଙ୍କ ମଧ୍ୟରୁ ଗୁରୁତର ରୋଗୀଙ୍କ ପାଇଁ ୩୫.୯୯ ମେଟ୍ରିକ ଟନ୍ ଅକ୍ସିଜେନ ଦରକାର
  • ରାଜ୍ୟରେ ଉତ୍ପାଦନ ହେଉଛି ପ୍ରାୟ ୫୦୦ ମେଟ୍ରିକ ଟନ୍ ଅକ୍ସିଜେନ୍
  • ସିଲିଣ୍ଡର ଜରିଆରେ ୧୨୯. ୬୮ ମେଟ୍ରିକ ଟନ୍ ଅକ୍ସିଜେନ୍ ଉତ୍ପାଦନ ହେଉଛି
  • ଦୈନିକ ୩୭୫ ମେଟ୍ରିକ ଟନ୍ ତରଳ ମେଡିକାଲ ଅକ୍ସିଜେନ୍ ଉତ୍ପାଦନ ହେଉଛି
  • ଏପର୍ଯ୍ୟନ୍ତ ୪୯ଟି ଟ୍ୟାଙ୍କରରେ ୮୬୯ ମେଟ୍ରିକ ଟନ୍ ଅକ୍ସିଜେନ୍ ବାହାର ରାଜ୍ୟକୁ ଗଲାଣି